ସ୍ମିଥ୍‌ ଓ ୱାର୍ନରଙ୍କ ଅନୁପସ୍ଥିତି ଯୋଗୁଁ ଭାରତ ଶୃଙ୍ଖଳା ଜିତିଥିଲା: ୱାକର୍‌

କରାଚୀ: ୨୦୧୮ ମସିହାରେ ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟର ଶ୍ରେୟ ମୁଁ ଏହି ଦଳଠାରୁ କାଢ଼ି ନେଇ ଯାଉନାହିଁ। କିନ୍ତୁ ଏହା କେବଳ ଘରୋଇ ଦଳର ଦୁଇ ପ୍ରମୁଖ ଖେଳାଳି ଷ୍ଟିଭେନ୍ ସ୍ମିଥ୍ ଏବଂ ଡେଭିଡ୍‌ ୱାର୍ନରଙ୍କ ଅନୁପସ୍ଥିତି କାରଣରୁ ସମ୍ଭବ ହୋଇଥିଲା। ଏଭଳି କହିଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାକର୍‌ ୟୁନିସ୍‌। ବର୍ତମାନ ପାକିସ୍ତାନ ଦଳର ବୋଲିଂ ପ୍ରଶିକ୍ଷକ ଥିବା ଏହି କିଂବଦନ୍ତି ଖେଳାଳିଙ୍କ କହିବା କଥା ହେଲା ବଲ୍‌ ବିକୃତ ପାଇଁ ନିଲମ୍ବିତ ଥିବା କାରଣରୁ ସ୍ମିଥ୍ ଓ ୱାର୍ନର ଏହି ଶୃଙ୍ଖଳାରେ ଖେଳି ପାରିନଥିଲେ। ଭାରତ ଏହାର ସମ୍ପୂର୍ଣ୍ଣ ଫାଇଦା ନେଇଥିଲା। ଭାରତ ମଧ୍ୟ ଭଲ ଖେଳିଥିଲା। ସେମାନେ ମଧ୍ୟ ଏକ ଭଲ ଦଳ। ଅଷ୍ଟ୍ରେଲିଆ ଦଳ କିନ୍ତୁ ସେହି ସମୟରେ ଏକ ଘଡିସନ୍ଧୀ ମୁହୂର୍ତ୍ତ ଦେଇ ଗତି କରୁଥିଲା ବୋଲି ୱାକର କହିଛନ୍ତି। ନିଜ ଦେଶ ପାକିସ୍ତାନ ୧୯୯୫ ମସିହାଠାରୁ ଅଷ୍ଟ୍ରେଲିଆରେ ଗୋଟିଏ ବି ଟେଷ୍ଟ୍ ଜିତିନଥିବା ପ୍ରସଙ୍ଗରେ ପ୍ରଶ୍ନ ହେବାରୁ ୱାକର୍ ଏଭଳି କହିଥିଲେ। ଅଷ୍ଟ୍ରେଲିଆରେ ପାକିସ୍ତାନର ବିଫଳତାର କାରଣ ମଧ୍ୟ ୱାକର୍‌ ଠିକ୍‌ ଭାବେ କହି ପାରିନଥିଲେ। ‘ମୁଁ ମଧ୍ୟ ନିଶ୍ଚିତ ନୁହେଁ ପାକିସ୍ତାନ କାହିଁକି ଅଷ୍ଟ୍ରେଲିଆରେ ଜିତି ପାରିନାହିଁ। ଆମ ନିକଟରେ ଭଲ ବୋଲିଂ ସାମର୍ଥ୍ୟ ଥିବାବେଳେ ମଧ୍ୟ ହାରି ଆସିଛୁ। ଆମ ବୋଲିଂ ଭଲ କରୁଥିବା ବେଳେ ବ୍ୟାଟିଂ କାମ କରିନଥାଏ, ବ୍ୟାଟିଂ ଭଲ ହେଉଥିବା ବ‌େଳେ ବୋଲିଂ ବି ଠିକ୍ ହୋଇନଥାଏ’ ବୋଲି ୱାକର୍ ସ୍ବୀକାର କରିଥିଲେ। ୧୯୯୯ ମସିହାର ଉଦାହରଣ ଦେଇ ୱାକର୍ କହିଥିଲେ, ମୋ ସହିତ ୱାସିମ୍ ଆକ୍ରମ, ସୋଏବ ଅଖତର, ଅବଦୁଲ ରଜାକ ଏବଂ ସାକଲେନ୍ ମୁସ୍ତାକ୍ ଥିଲେ ମଧ୍ୟ ଅମେ ସେଥର ୦-୩ରେ ହାରିଥିଲୁ। ସମାନ ସମୟରେ ଭାରତ ମଧ୍ୟ ୨୦୧୮ ମସିହା ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ସଂଘର୍ଷ କରୁଥିଲା। ମନେ ରଖିବାକୁ ହେବ କୌଣସି ଦଳ ପାଇଁ ଅଷ୍ଟ୍ରେଲିଆ ଗସ୍ତ ସହଜ ହୋଇନଥାଏ। ନ୍ୟୁଜିଲାଣ୍ଡ୍ ଏକ ଭଲ ଦଳ ହୋଇଥିଲେ ବି ଏବେ ବାହାରକୁ ଆସିଲେ ଖରାପ ଭାବେ ହାରୁଛି। ଗତ ଆସେସ୍‌ରେ ବି ଇଂଲଣ୍ଡ ଏକତରଫା ଭାବେ ଅଷ୍ଟ୍ରେଲିଆରେ ହାରିଥିଲା।

ଜୁନ୍‌-ଜୁଲାଇରେ ପାକିସ୍ତାନର ଇଂଲଣ୍ଡ ଗସ୍ତ ଥିଲେ ମଧ୍ୟ ଏହା କୋଭିଡ୍‌-୧୯ କାରଣରୁ ବାତିଲ ହୋଇଛି। ପାକିସ୍ତାନ କ୍ରିକେଟ୍ ପାଇଁ ଏହା ବଡ଼ କ୍ଷତି ବୋଲି ୱାକର୍‌ କହିଛନ୍ତି। ଇଂଲଣ୍ଡ ଗସ୍ତ ପାଇଁ ମିସ୍‌ବା ଉଲ୍‌ ହକ୍, ମୁଁ ଏବଂ ସପୋର୍ଟ ଷ୍ଟାଫ୍ ମିଳିତ ଯୋଜନା କରିଥିଲୁ। ଏପରିକି ବର୍ଷ ଶେଷ ଭାଗରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ୍‌ କଥା ଚିନ୍ତା କରିଥିଲୁ। ପାରମ୍ପରିକ ଭାବେ ଆମେ ଇଂଲଣ୍ଡରେ ଭଲ କରିଥାଉ। ଟେଷ୍ଟ୍‌ ଦଳ ଗଠନ ପାଇଁ ଆମ ଲାଗି ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ବଡ଼ ଖେଳାଳିମାନେ ନିଜର ଅହଂଭାବ ପାଇଁ ପ୍ରଶିକ୍ଷକ ହୋଇପାରନ୍ତି ନାହିଁ କଥାକୁ ୱାକର୍ ଖଣ୍ଡନ କରିଥିଲେ। ଦଳର ମୁଖ୍ୟ ପ୍ରଶିକ୍ଷକ ଓ ମୁଖ୍ୟ ଚୟନକର୍ତା ମିସ୍‌ବାଙ୍କ ଅଧିନରେ କାମ କରିବା ପ୍ରସଙ୍ଗରେ ପ୍ରଶ୍ନ ହେବାରୁ ସେ ଏଭଳି କହିଥିଲେ। ଜଷ୍ଟିନ୍ ଲାଙ୍ଗର, ଗ୍ୟାରି କର୍ଷ୍ଟେନ୍‌, ଆଣ୍ଡି ଫ୍ଲାୱାର ପ୍ରମୁଖ ଏହାର ଉଦାହରଣ ବୋଲି ସେ ଦର୍ଶାଇଥିଲେ। ଅତୀତରୁ ଶିଖିଥିବା ଲୋକ ନିକଟରେ ଅହଂଭାବ ନ ଥାଏ। ଦଳର ସୀମା ସରହଦ ଜାଣିବାରେ ମୁଁ ଅଭିଜ୍ଞ ଓ ପରିପକ୍ବ। ନିଜ କାମକୁ ବି ଭଲ ଭାବେ ଜାଣିଛି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ୱାକର୍‌ ପାକିସ୍ତାନ ପାଇଁ ୮୭ ଟେଷ୍ଟ୍ ଓ ୨୬୨ ଦିନିକିଆ ଖେଳି ଯଥାକ୍ରମେ ୩୭୩ ଓ ୪୧୬ ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର