ଓଭାଲ୍‌ରେ ବୋବାଲ୍‌: ୧୧୧ ରନ୍‌ରେ ଝଡ଼ିଲା ଇଂଲଣ୍ଡର ୧୦ ୱିକେଟ୍

ନାଟକୀୟ ବିଜୟ ସହ ଭାରତ ୨-୧ରେ ଆଗୁଆ

ଲଣ୍ଡନ: ବୋଲରଙ୍କ ଶାଣିତ ବୋଲିଂ ବଳରେ ‘ଦି ଓଭାଲ’ରେ ୧୫୭ ରନ୍‌ର ଧମାକାଦାର ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ୍ ଦଳ। ୧୧୧ ରନ୍‌ରେ ଘରୋଇ ଦଳର ସମସ୍ତ ୧୦ ୱିକେଟ୍ ଝଡ଼ିବା ପରେ ଭାରତ ମଧ୍ୟ ଇଂଲଣ୍ଡ ମାଟିରେ ଅଷ୍ଟମ ଏବଂ ଚଳିତ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍ ବିଜୟ ପାଇଛି। ବୁମ୍ ବୁମ୍‌ ବୁମ୍‌ରାଙ୍କ ନେତୃତ୍ବରେ ଭାରତର ବୋଲିଂ ବୋବାଲ ହିଁ ସୋମବାରର ଏହି ରୋମାଞ୍ଚକର ବିଜୟକୁ ଅଧିକ ସ୍ମରଣୀୟ କରିଥିଲା। ୫୦ ବର୍ଷ ପରେ ଓଭାଲରେ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ।
ନାଟକୀୟ ଚତୁର୍ଥ ଟେଷ୍ଟ୍‌ରେ ଭାରତ ଇଂଲଣ୍ଡ ସମ୍ମୁଖରେ ୩୬୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରଥିଲା। ଏହାର ଜବାବରେ ଇଂଲଣ୍ଡ ରବିବାର ଚତୁର୍ଥ ଦିବସର ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ବିନା କ୍ଷତିରେ ୭୭ ରନ୍ କରି ନେଇଥିଲା। ସୋମବାର ମଧ୍ୟ ଏହି ଧାରାକୁ ଆଗେଇ ନେଇ ଘରୋଇ ଦଳର ଦୁଇ ପ୍ରାରମ୍ଭିକ ଯୋଡ଼ି ରୋରି ବର୍ଣ୍ଣସ (୫୦) ଓ ହସିବ ହମିଦ (୬୩) ଶତକୀୟ ଭାଗୀଦାରି କରି ନେଇଥିଲେ।

ଫଳରେ ପରାଜୟ ଆଶଙ୍କା ଛାଡ଼ି ଇଂଲଣ୍ଡ ବିଜୟ କିମ୍ବା ଡ୍ର’ କରିନେବ ବୋଲି ପ୍ରଶଂସକ ଆଶା ରଖିଥିଲେ। ହେଲେ ଏହା ପରେ ମ୍ୟାଚ୍ ନାଟକୀୟ ମୋଡ଼ ନେଇଥିଲା। ଉମେଶ ଯାଦବ, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର ଅଗ୍ନିବର୍ଷୀ ବୋଲିଂ କରି ଘରୋଇ ଦଳକୁ ପୂରା ଘାଇଲା କରି ଦେଇଥିଲେ। ଅନ୍ତିମ ୱିକେଟ୍ ଭାବେ ଜେମ୍ସ ଆଣ୍ଡରସନ୍‌ଙ୍କୁ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ କରାଇ ଉମେଶ ଖେଳ ଖତମ କରି ଦେଇଥିଲେ। ଉତ୍ଥାନପତନ ଭରା ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ଭାରତ ମାତ୍ର ୧୯୧ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୨୯୦ ରନ୍ କରି ୯୯ ରନ୍‌ର ଅଗ୍ରଣୀ ଲାଭ କରିଥିଲା। ହେଲେ ଦ୍ବିତୀୟ ପାଳିରେ ପରାକ୍ରମୀ ବ୍ୟାଟିଂ କରି ଭାରତ ୪୬୬ ରନ୍‌ର ବିଶାଳ ସ୍କୋର କରି ନେଇଥିଲା। ଏଥିରେ ରୋହିତଙ୍କଠାରୁ ଆରମ୍ଭ କରି କେଏଲ୍ ରାହୁଲ (୪୬), ଚେତେଶ୍ବର ପୂଜାରା (୬୧), ଅଧିନାୟକ କୋହଲି (୪୪), ଋଷଭ ପନ୍ତ (୫୦), ଶାର୍ଦୁଳ ଠାକୁର (୬୦)ଙ୍କ ସହ ଯଶପ୍ରୀତ ବୁମ୍‌ରା (୨୪) ଓ ଉମେଶ ଯାଦବ (୨୫) ବି ବଳିଷ୍ଠ ଭୁମିକା ନେଇଥିଲେ।

ଇଂଲଣ୍ଡ ମାଟିରେ ଅଷ୍ଟମ ଟେଷ୍ଟ୍ ବିଜୟ

ଓଭାଲ ବିଜୟ ଥିଲା ଇଂଲଣ୍ଡ ମାଟିରେ ଭାରତର ଅଷ୍ଟମ ଟେଷ୍ଟ୍ ବିଜୟ। ଏଥରର ଗସ୍ତ ପୂର୍ବରୁ ଇଂଲଣ୍ଡରେ ୪୩ ବର୍ଷ ମଧ୍ୟରେ ଖେଳିଥିବା ୧୭ ଟେଷ୍ଟ୍ ଶୃଙ୍ଖଳାରୁ ଭାରତ ମାତ୍ର ୬ ମ୍ୟାଚ୍ ଜିତିଥିଲା। ଚଳିତ ଗସ୍ତରେ ଲର୍ଡସ ପଡ଼ିଆରେ ପ୍ରଥମ ବିଜୟ ପାଇଲା ପରେ ଏବେ ଦି ଓଭାଲରେ ଦ୍ବିତୀୟ ବିଜୟ ହାସଲ କରିଛି। ସେହିଭଳି ଇଂଲଣ୍ଡ ବିପକ୍ଷରେ ଇଂଲଣ୍ଡରେ ଖେଳିଥିବା ପୂର୍ବର ୧୭ ଟେଷ୍ଟ୍‌ ଶୃଙ୍ଖଳାରୁ ଭାରତ ମାତ୍ର ୩ଟିରେ ବିଜୟୀ ହୋଇଛି। ୧୯୭୧ (୧-୦)ରେ ପ୍ରଥମ ଶୃଙ୍ଖଳା ଜିତିବା ପରେ ୧୯୮୬ (୨-୦)ରେ ଦ୍ବିତୀୟ ଏବଂ ୨୦୦୭ (୧-୦)ରେ ତୃତୀୟ ତଥା ଶେଷ ଶୃଙ୍ଖଳା ବିଜୟ ହାସଲ କରିଥିଲା ଭାରତ।

ସମ୍ବନ୍ଧିତ ଖବର