ନୂଆଦିଲ୍ଲୀ: ପ୍ୟରିସ୍ ପାରାଲିମ୍ପିକ୍ସରେ ଭାରତ ନୂଆ ମାଇଲ୍ଖୁଣ୍ଟ ଛୁଇଁଛି। ଏହି ପ୍ରତିଯୋଗିତା ଲାଗି ୮୪ ଜଣିଆ ଭାରତୀୟ ପାରାଆଥ୍ଲେଟ୍ ୨୫ ପଦକ ଲକ୍ଷ୍ୟ ନେଇ ଫ୍ରାନ୍ସ ରାଜଧାନୀ ଗସ୍ତ କରିଥିଲେ। ହେଲେ ଏମାନେ ଅତୁଳନୀୟ ପ୍ରଦର୍ଶନ ଦେଇ ଏହାକୁ ଟପି ଯାଇଛନ୍ତି। ୭ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୩ କାଂସ୍ୟ ସହ ମୋଟ ୨୯ ପଦକ ପାଇ ଅଷ୍ଟାଦଶ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ। ଗତ ସଂସ୍କରଣ (ଟୋକିଓ)ରେ ଭାରତର ୫୪ ଜଣ ଅଂଶଗ୍ରହଣ କରି କୀର୍ତ୍ତିମାନଭରା ୧୯ ପଦକ ଜିତିଥିଲା। ଏଥିରେ ୫ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ ସାମିଲ ଥିଲା। ଏହା ପୂର୍ବରୁ ଶେଷ ହୋଇଥିବା ୧୧ଟି ସଂସ୍କରଣରେ ଭାରତ କେବଳ ୪ ସ୍ବର୍ଣ୍ଣ ସହ ୧୧ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ଚୀନ୍ ୨୨୦ (୯୪ ସ୍ବର୍ଣ୍ଣ, ୭୬ ରୌପ୍ୟ, ୫୦ କାଂସ୍ୟ), ବ୍ରିଟେନ୍ ୧୨୪ (୪୯ ସ୍ବର୍ଣ୍ଣ, ୪୪ ରୌପ୍ୟ, ୩୧ କାଂସ୍ୟ) ଏବଂ ଆମେରିକା ୧୦୫ (୩୬ ସ୍ବର୍ଣ୍ଣ, ୪୨ ରୌପ୍ୟ, ୨୭ କାଂସ୍ୟ) ପଦକ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଛନ୍ତି।
ପ୍ୟାରିସ୍ ପାରାଲିମ୍ପିକ୍ସରେ ପରାକ୍ରମ
ଅଷ୍ଟାଦଶ ସ୍ଥାନରେ ଅଭିଯାନ ଶେଷ
ଜିତିଲା ୭ ସ୍ବର୍ଣ୍ଣ ସହ ରେକର୍ଡ ୨୯ ପଦକ
ଦୌଡ଼କୁଦରୁ ସର୍ବାଧିକ ୧୭ ପଦକ
ପ୍ୟାରିସ୍ରେ ଭାରତ ଦୌଡ଼କୁଦରୁ ସର୍ବାଧିକ ୧୭ (୪ ସ୍ବର୍ଣ୍ଣ, ୬ ରୌପ୍ୟ, ୭ କାଂସ୍ୟ)ପଦକ ପାଇଛି। ଯାହା ମୋଟ ପଦକର ୫୮.୬୨ ପ୍ରତିଶତ। ଏହି କ୍ରୀଡ଼ାରୁ ୪ ସ୍ବର୍ଣ୍ଣ ମିଳିଥିଲା ବେଳେ ମୋଟ ଉପରେ ଏହା ଥିଲା ୫୭.୧୪ ପ୍ରତିଶତ। ବ୍ୟାଡ୍ମିଣ୍ଟନରୁ ୫ (୧ ସ୍ବର୍ଣ୍ଣ, ୨ ରୌପ୍ୟ, ୨ କାଂସ୍ୟ), ସୁଟିଂରୁ ୪ (୧ ସ୍ବର୍ଣ୍ଣ, ୧ ରୌପ୍ୟ, ୨ କାଂସ୍ୟ), ତୀରନ୍ଦାଜିରୁ ୨ (୧ ସ୍ବର୍ଣ୍ଣ, ୧ କାଂସ୍ୟ) ଏବଂ ଜୁଡ଼ୋ ୧ (୧ କାଂସ୍ୟ) ପଦକ ଆସିଥିଲା।
ଏହି ଅଲିମ୍ପିକ୍ସରେ ପ୍ରଥମ ପଦକ ଦେଇଥିଲେ ଟୋକିଓ ସ୍ବର୍ଣ୍ଣ ବିଜୟିନୀ ସୁଟର ଅବନୀ ଲାଖରା। ସେ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସ୍ଏଚ୍୧ରେ ପଦକ ବଜାୟ ରଖିଥିଲେ। ଏହି ସମାନ ଇଭେଣ୍ଟ୍ରେ ମୋନା ଅଗ୍ରୱାଲ କାଂସ୍ୟ ପାଇଥିଲେ। ଏହିଦିନ ମନୀଷ ନରୱାଲ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଏସ୍ଏଚ୍୧ରେ ରୌପ୍ୟ ପାଇଥିଲେ। ସ୍ପ୍ରିଣ୍ଟର ପ୍ରୀତି ପାଲ କାଂସ୍ୟ ଜିତିଥିଲେ ମହିଳା ୧୦୦ ମିଟର ଦୌଡ଼ ଟି୩୫ରେ। ଫଳରେ ଏହି ଦିନ ଭାରତକୁ ମିଳିଥିଲା ମୋଟ ୪ ପଦକ। ତୃତୀୟ ଦିନରେ ଭାରତକୁ ଗୋଟିଏ କାଂସ୍ୟ ମିଳିଥିଲା ବେଳେ ଚତୁର୍ଥ ଦିନରେ ଗୋଟିଏ ରୌପ୍ୟ ଓ କାଂସ୍ୟ ଆସିଥିଲା। ଫଳରେ ୪ ଦିନରେ ୭ ପଦକ ଜିତିଥିଲା ବେଳେ ପରବର୍ତ୍ତୀ ୩ ଦିନରେ ୪ ସ୍ବର୍ଣ୍ଣ ସହ ୧୭ ପଦକ କରାୟତ୍ତ କରିଥିଲା। ଫଳରେ ଦଳ ୨୫ ପଦକ ଲକ୍ଷ୍ୟର ନିକଟତର ହୋଇଥିଲା।
ଅଷ୍ଟମ ଦିନରେ କମପିଲ ପରମାର ଜୁଡ଼ୋରେ ଐତିହାସିକ କାଂସ୍ୟ ଜିତି ପଦକ ସଂଖ୍ୟା ୨୫ରେ ପହଞ୍ଚାଇ ଦେଇଥିଲେ। ନବମ ଦିନରେ ହାଇଜମ୍ପର୍ ପ୍ରବୀଣ କୁମାର ଭାରତକୁ ଷଷ୍ଠ ସ୍ବର୍ଣ୍ଣ ଭେଟି ଦେଇଥିଲା ବେଳେ ସଟ୍ପୁଟର ହୋକାତୋ କାଂସ୍ୟ ଜିତିଥିଲେ। ଦଶମ ଦିନରେ ନବଦୀପ ସିଂହ ଓ ସିମ୍ରନ ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ଜିତି ପଦକ ସଂଖ୍ୟାକୁ ୨୯ରେ ପହଞ୍ଚାଇଥିଲେ। ନବଦୀପ ପୁରୁଷ ଜାଭଲିନ୍ରେ ଏବଂ ସିମ୍ରନ ମହିଳା ୨୦୦ ମିଟରରେ ଏହି ପଦକ ଜିତିଥିଲେ।