ନୂଆଦିଲ୍ଲୀ: ଭାରତୀୟ ହକି ଦଳ ଶେଷ ଥର ପାଇଁ ୧୯୮୦ ମସିହାରେ ଅର୍ଥାତ୍ ଦୀର୍ଘ ଚାରି ଦଶନ୍ଧି ତଳେ ଅଲିମ୍ପିକ୍ସ ପଦକ ଜିତିଥିଲା। ୧୯୮୦ ମସିହାର ମସ୍କୋ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତୀୟ ହକି ଦଳ ଆଉ ଅଲିମ୍ପିକ୍ସ ପୋଡିୟମ୍‌ରେ ଠିଆ ହେବାର ସୌଭାଗ୍ୟ ପାଇନି। ତେବେ ମନପ୍ରୀତ ସିଂହଙ୍କ ଅଧିନାୟକତ୍ବରେ ଖେଳୁଥିବା ସାଂପ୍ରତିକ ଭାରତୀୟ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବାର ବାସ୍ତବିକ ସମ୍ଭାବନା ରହିଛି। ମନପ୍ରୀତ ବାହିନୀ ସେହି ଅଲିମ୍ପିକ୍ସ ପଦକ ମରୁଡ଼ିକୁ ଦୂର କରିବ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ବିଜେତା ସର୍ଦାର ସିଂହ ସୋମବାର ଏଭଳି ମନ୍ତବ୍ୟ ଦେଇଛନ୍ତି। ବ୍ୟକ୍ତିଗତ ଖେଳ ଜୀବନର ଯାତ୍ରା ଏବଂ ଅଲିମ୍ପିକ୍ସ ପଦକ ଜିତି ନପାରିବାର ଅବସୋସକୁ ଦୋହରାଇ ସର୍ଦାର କହିଛନ୍ତି ଯେ ମୋ ହକି ଯାତ୍ରା ଆତ୍ମସନ୍ତୋଷଭରା ଥିଲା ବୋଲି କହି ପାରିବି।

Advertisment

କାରଣ ମୁଁ ସେହି ପିଢ଼ିର ଖେଳାଳି ଥିଲି, ଯିଏ ଭାରତୀୟ ହକିର ପୁନରୁତ୍ଥାନର ମୁକସାକ୍ଷୀ ପାଲଟିଥିଲା। ୨୦୧୨ ମସିହାର ଲଣ୍ଡନ ଅଲିମ୍ପିକ୍ସର ଶେଷ ସ୍ଥାନରେ ରହିବା ପରଠାରୁ ଆମେ ବହୁ ଆଗକୁ ବଢ଼ି ସାରିଲେଣି। ୨୦୧୮ ମସିହାରେ ମୁଁ ଅବସର ନେଲା ବେଳକୁ ଭାରତୀୟ ହକି ଦଳ ବିଶ୍ବ ମାନ୍ୟତାର ଷଷ୍ଠ ସ୍ଥାନରେ ରହିଥିଲା। ଏବେକାର ଦଳ ଚତୁର୍ଥ ସ୍ଥାନକୁ ଉଠିଛି। ଯାହା ଟୋକିଓ ଅଲିମ୍ପିକ୍ସ ଅଭିଯାନ ପରିପ୍ରେକ୍ଷୀରେ ଆତ୍ମବିଶ୍ବାସ ବୃଦ୍ଧିକାରୀ ମାନ୍ୟତା ବୋଲି କୁହାଯାଇପାରେ। ସୂଚନାଯୋଗ୍ୟ ଯେ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସମୃଦ୍ଧମୟ ଓ ସଫଳ ଇତିହାସ ରହିଛି। ଭାରତ ଏକମାତ୍ର ଦଳ ଭାବେ ଅଲିମ୍ପିକ୍ସରେ ୮ ସ୍ବର୍ଣ୍ଣ ପଦକ ଜିତିଛି। ଏହାଛଡ଼ା ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ମଧ୍ୟ ହାସଲ କରିଛି। ତେବେ ଏସବୁ ଏବେ ଇତିହାସ ହୋଇସାରିଛି। ଭାରତୀୟ ହକି ଦଳର ସେହି ଗୌରବ ଆଉ ନାହିଁ। କାରଣ ଗତ ୪୦ ବର୍ଷ ଧରି ଭାରତ ପଦକ ଜିତିବା ଛାଡ଼ନ୍ତୁ, ଦୁର୍ଭାଗ୍ୟଜନକ ଭାବେ ଏହାର ନିକଟତର ମଧ୍ୟ ହୋଇ ପାରିନି।

‘ଅଲିମ୍ପିକ୍ସ ପଦକ ଜିତି ନପାରିବା ଏକମାତ୍ର ଅବସୋସ’
ସର୍ଦାର ୩୧୪ ଅନ୍ତର୍ଜାତୀୟ ହକି ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ହେଲେ କେ‌ବେ ବି ଅଲିମ୍ପିକ୍ସ ପଦକ ଜିତି ପାରି ନାହାନ୍ତି। ଏହା ହିଁ ତାଙ୍କ ଖେଳ ଜୀବନର ଏକମାତ୍ର ଅବସୋସ ବୋଲି ସେ କହିଛନ୍ତି। ଭାରତକୁ ଅଲିମ୍ପିକ୍ସ ପଦକ ନଆଣିବାର ଦୁଃଖ ମନରେ ସବୁବେଳେ ରହିବ। ହେଲେ ମନପ୍ରୀତଙ୍କ ଦଳ ଦିନକୁ ଦିନ କରୁଥିବା ଉନ୍ନତି ଦେଖି ବହୁତ ଖୁସି ଲାଗୁଛି। ସେମାନେ ଅଲିମ୍ପିକ୍ସ ପଦକ ଜିତି ପାରିବେ ବୋଲି ମୋର ଦୃଢ଼ ଆଶା ରହିଛି। ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷକୁ ଘୁଞ୍ଚି ଯାଇଥିବାରୁ ଏହି ସମୟକୁ ଭାରତ ନୂଆ ପ୍ରତିଭା ଚିହ୍ନଟରେ ଉପଯୋଗ କରିବାକୁ ସର୍ଦାର ପରାମର୍ଶ ଦେଇଛନ୍ତି। ‘‘ଅଲିମ୍ପିକ୍ସ ସ୍ଥଗିତ ହୋଇଥିବାରୁ ଏହି ସମୟକୁ ଆମେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ସହ ଦଳର ଦୋଷ ଦୁର୍ବଳତା ଦୂର କରିବା ଦିଗରେ ଉପଯୋଗ କରି ପାରିବା। କରୋନା ପାଇଁ ଅସାଧାରଣ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ଖେଳାଳିମାନେ ଏବେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ତେବେ ଏକାଗ୍ରତା ନହରାଇବାକୁ ମୁଁ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳର ଖେଳାଳିଙ୍କୁ ପରାମର୍ଶ ଦେବି। ଭାରତ ପାଇଁ ଅଲିମ୍ପିକ୍ସ ଖେଳିବା ସେମାନଙ୍କ ଏକମାତ୍ର ଲକ୍ଷ୍ୟ ହେବା ଉଚିତ। ୧୨ ବର୍ଷର ଖେଳ ଜୀବନ ଭିତରେ ସର୍ଦାରଙ୍କ ନେତୃତ୍ବରେ ଭାରତୀୟ ହକି ଦଳ ୨୦୧୪ ମସିହା ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ୨୦୧୪ର ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ଜିତିବା ଭାରତୀୟ ହକି ପାଇଁ ନୂଆ ଆରମ୍ଭ ଥିଲା ବୋଲି ସେ ମତ ରଖିଛନ୍ତି।