ଭାରତୀୟ ହକି ଦଳର ଅଷ୍ଟ୍ରେଲିଆ ଗସ୍ତ

ବେଙ୍ଗାଲୁରୁ/ଭୁବନେଶ୍ବର: ଭାରତୀୟ ହକି ଦଳ ରବିବାର ମଧ୍ୟରାତିରୁ ଅଷ୍ଟ୍ରେଲିଆ ଗସ୍ତ କରିଛି। ନବ ନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍‌ ଏବଂ ଅଧିନାୟକ ମନପ୍ରୀତ୍ ସିଂହଙ୍କ ତତ୍ବାବଧାନରେ ଦଳ ଏହି ଯାତ୍ରା କରିଛି। ଏହି ଗସ୍ତରେ ଭାରତୀୟ ଦଳ ମେ’ ୮ ତାରିଖରୁ ଘରୋଇ ଅଷ୍ଟ୍ରେଲିଆ ‘ଏ’ ଓ ଅଷ୍ଟ୍ରେଲିଆ ଜାତୀୟ ଦଳ ସହ ୨ଟି ଲେଖାଏଁ ଏବଂ ପଶ୍ଚିମ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସ ସହିତ ଗୋଟିଏ ମ୍ୟାଚ୍‌ ଖେଳିବ। ଆସନ୍ତା ମାସରେ ଭୁବନେଶ୍ବରରେ ଖେଳାଯିବାକୁ ଥିବା ଏଫଆଇଏଚ୍‌ ସିରିଜ୍ ଫାଇନାଲ୍ସ ପୂର୍ବରୁ ନୂଆ ପ୍ରଶିକ୍ଷକ ରିଡ୍‌ଙ୍କ ଷ୍ଟାଇଲ୍‌ ଏବଂ ସମନ୍ବୟକୁ ପରଖିବା ଲାଗି ଖେଳାଳିମାନେ ପ୍ରଥମ ସୁଯୋଗ ପାଇବେ। ବ୍ୟକ୍ତିଗତ ଖେଳାଳି ତୁଳନାରେ ଦଳୀୟ ଖେଳାଳି ଅଧିକ ମୂଲ୍ୟବାନ ବୋଲି ରିଡ୍ ବାରମ୍ବାର ମନେ ପକାଇ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି ଅଧିନାୟକ ମନପ୍ରୀତ୍ ସିଂହ। ପ୍ରତି ଖେଳାଳିଙ୍କ ବିଜୟୀ ମନୋଭାବ ଏବଂ ଶାରୀରିକ ଭାଷା ମଧ୍ୟ ଗତ ୩ ସପ୍ତାହ ବିଶିଷ୍ଟ ତାଲିମ ଶିବିରରେ ଅଗ୍ରାଧିକାର ପାଇଥିଲା। ଭୁବନେଶ୍ବର ଏଫଆଇଏଚ୍ ସିରିଜ୍ ଫାଇନାଲ୍‌ସ ଏବଂ ଅକ୍ଟୋବର ମାସର ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଭାରତ ଯୁବ ଏବଂ ଅଭିଜ୍ଞଙ୍କ ମିଶ୍ରିତ ଦଳ ପାଇଛି। ଭୁବନେଶ୍ବର ପ୍ରତିଯୋଗିତା ପୂର୍ବରୁ ଅଷ୍ଟ୍ରେଲିଆ ଭଳି ବିଶ୍ବ ଶ୍ରେଣୀୟ ଦଳ ସହ ଖେଳିବା ଗୁରୁ୍ତ୍ବପୂର୍ଣ୍ଣ। ଯଶକରଣ ସିଂହ ପଦାର୍ପଣ କରିବେ, ଗୁରସାହିବଜିତ୍ ସିଂହଙ୍କ ଦ୍ବିତୀୟ ପ୍ରତି‌ଯୋଗିତା ଏବଂ ଅର୍ମାନ କ୍ୟୁରେସୀ ପ୍ରତ୍ୟାବର୍ତନ ଦଳକୁ ବିଶ୍ବର ୨ ନମ୍ବର ଦଳ ବିପକ୍ଷରେ ଆଶା ମୁତାବକ ପ୍ରଦର୍ଶନ ଦେବ ବୋଲି ମନପ୍ରୀତ୍ ଆଶା କରିଛନ୍ତି।

ସମ୍ବନ୍ଧିତ ଖବର