ଗୋଲ୍ଡକୋଷ୍ଟ: ୨୦୧୪ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହାତେଇଥିବା ସଫଳତାକୁ ଏଠାରେ ଟପିବାକୁ ଭାରତ ଲକ୍ଷ୍ୟ ରଖିଛି। ଭାରତର ୨୨୨ ଜଣିଆ ପ୍ରତିନିଧି ଦଳ ଗୋଲ୍ଡକୋଷ୍ଟ ଯାଇଛି। ଏକବିଂଶ ସଂସ୍କରଣରେ ଅଧିକ ପଦକ ହାସଲ କରିବା ଲକ୍ଷ୍ୟ ରଖିଛନ୍ତି ଭାରତୀୟ ପ୍ରତିଯୋଗୀମାନେ। ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୧୦୧ ପଦକ ଜିତିଥିଲା। ଯାହାକି ଏପର୍ଯ୍ୟନ୍ତ ଦେଶର ସବୁଠୁ ସଫଳ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରଦର୍ଶନ ରହିଆସିଛି। ୨୦୧୪ ଗ୍ଲାସ୍ଗୋ କ୍ରୀଡ଼ାରେ ଭାରତ ୬୪ ପଦକ ଜିତିଥିଲା। ସେମଧ୍ୟରେ ୧୫ ସ୍ୱର୍ଣ୍ଣ, ୩୦ ରୌପ୍ୟ ଏବଂ ୧୯ କାଂସ୍ୟ ସାମିଲ ଥିଲା। ଏବେ ବିଦେଶ ମାଟିରେ ଏହି ସଂଖ୍ୟାକୁ ଟପି ଅଧିକ ପଦକ ଅମଳ କରିବା ଲକ୍ଷ୍ୟ ରଖିଛି ଭାରତ। ବିଶେଷକରି ବନ୍ଧୁକ ଚାଳନା, କୁସ୍ତି, ଭାରୋତ୍ତୋଳନ ଏବଂ ମୁଷ୍ଟିଯୁଦ୍ଧ ହିଁ ଭାରତ ଅଧିକ ପଦକ ଜିତିବାର ଦାବିଦାର ଅଛି। ଏହା ପଛକୁ ସ୍କ୍ଵାସ୍, ବ୍ୟାଡ୍ମିଣ୍ଟନ ଏବଂ ଦୌଡ଼କୁଦରୁ ମଧ୍ୟ ପଦକ ଅମଳ ସମ୍ଭାବନା ଅଧିକ ରହିଛି। ଏପରିକି ଜିମ୍ପାଷ୍ଟିକ୍ସ ଓ ସାଇକେଲ ଚାଳନା ମଧ୍ୟ ଭାତରକୁ ପଦକ ଦେବା ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ।
ଗ୍ଲାସ୍ଗୋରେ ଭାରତ କେବଳ ବନ୍ଧୁକଚାଳନାରୁ ୧୭ ପଦକ ଜିତିଥିଲା। ଗୋଲ୍ଡକୋଷ୍ଟକୁ ୨୭ ଜଣିଆ ଦଳ ଯାଇଥିଲା ବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ବିଶ୍ୱକପ୍ ପଦକ ବିଜେତା ରହିଛନ୍ତି। ତେଣୁ ଏହି ଶୃଙ୍ଖଳରୁ ଭାରତ ଅଧିକ ପଦକ ଜିତିବାର ଆଶା ରଖିଛି। ଭାରୋତ୍ତୋଳନ, କୁସ୍ତି ଓ ମୁଷ୍ଟିଯୁଦ୍ଧରେ ମଧ୍ୟ ସଂଖ୍ୟାଧିକ ବିଶ୍ୱ ବିଜେତା ରହିଥିବାରୁ ଭାରତ ମୋଟ ପଦକ ସଂଖ୍ୟା ବଢ଼ାଇବାର ସମ୍ଭାବନା ରହିଛି। ସେହିପରି ଦୌଡ଼କୁନରେ ୨୮ ପ୍ରତିଯୋଗୀ ରହିଥିଲା ବେଳେ ବ୍ୟାଡ୍ମିଣ୍ଟନରେ ପିଭି ସିନ୍ଧୁ, ସାଇନା ନେହ୍ଵାଲ, କିଦାମ୍ବି ଶ୍ରୀକାନ୍ତ ଓ ଏଚ୍ଏସ୍ ପ୍ରଣୟ ପଦକ ଜିତିବାର ସାମର୍ଥ୍ୟ ରଖିଛନ୍ତି। ପୁରୁଷ ହକି ଦଳ ଗତ ଦୁଇଟି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟରେ ସନ୍ତୁଷ୍ଟ ରହିଥିବାରୁ ଏଠାରେ ସ୍ୱର୍ଣ୍ଣ ଉପରେ ନଜର ରଖିଛି। ମହିଳା ହକି ଦଳ ମଧ୍ୟ ଗତ ଦୁଇ କ୍ରୀଡ଼ାରେ ପଦକଶୂନ୍ୟ ରହିଥିବାରୁ ଏଥର ଖାଲି ହାତରେ ନଫେରିବାକୁ ଚାହିଁବସିଛି। ଟେବୁଲ ଟେନିସ୍, ସାଇକେଲ ଚାଳନା ଓ ଜିମ୍ନାଷ୍ଟିକ୍ସରେ ଭାରତ ପଦକ ଯୋଡ଼ିବାର ଦାବିଦାର ମଧ୍ୟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/220px-Gold_Coast_2018_Bid_Logo-1.png)