ଭାରତର ବିଜୟ ଭୋକ ବଢ଼ିଛି

-ଜେଫ୍ ଥମ୍ପସନ୍-
ଆଡିଲେଡ୍‌ରେ ଭାରତ କିଭଳି ଭାବେ ୨୯୮ ରନ୍‌କୁ ସଫଳତାର ସହ ପିଛା କଲା, ତାହା ଏବେ ମୁଖ୍ୟ ଚର୍ଚାର ବିଷୟ ହୋଇଛି। ହେଲେ ବ୍ୟକ୍ତିଗତ ଭାବେ ମୋତେ ଭାରତୀୟ ବୋଲିଂ ଅଧିକ ପ୍ରଭାବିତ କରିଥିଲା। ଶେଷ ଓଭରଗୁଡ଼ିକରେ ଲାଇନ୍‌ ଲେନ୍ଥ ଠିକ୍ ରଖି ଅଷ୍ଟ୍ରେଲିଆକୁ ୩୦୦ ରନ୍ ତଳେ ଅଟକାଇଥିବାରୁ ସେମାନେ ନିଶ୍ଚିତ ଭାବେ ପ୍ରଶଂସାର ପାତ୍ର। ୪୫ ଓଭର ପରେ ଅଷ୍ଟ୍ରେଲିଆ ବହୁତ ଭଲ ସ୍ଥିତିରେ ଥିଲା। ସେଥିପାଇଁ କଙ୍ଗାରୁ ବା‌ହିନୀ ୩୨୫ ରନ୍ ଛୁଇଁବାର ଯଥେଷ୍ଟ ସମ୍ଭାବନା ଥିଲା। ହେଲେ ଚଳିତ ଗ୍ରୀଷ୍ମରେ ଚମତ୍କାର ବୋଲିଂ କରି ଆସିଥିବା ଭାରତୀୟ ବୋଲରମାନେ ପୁଣି ଥରେ କମାଲ କଲେ। ସେମାନେ ଭଲ ବଲ୍‌ରେ ୱିକେଟ୍ ପାଇବା ସହ ଅନିଚ୍ଛାକୃତ ତ୍ରୁଟି କରି ନଥିଲେ। ଏକଥାକୁ ମଧ୍ୟ ମନେ ରଖିବାକୁ ହେବ ଯେ ସେମାନେ ଗସ୍ତରେ ପ୍ରଥମ ଥର ପାଇଁ ଉତ୍ତପ୍ତ ପରିବେଶ ଏବଂ ବ୍ୟାଟିଂକୁ ସୁହାଉଥିବା ପିଚ୍‌ରେ ବୋଲିଂ କରୁଥିଲେ। ବୁମରାଙ୍କ ଅନୁପସ୍ଥିତିରେ ଭୁବନେଶ୍ବର କୁମାର ଏହି ‘କର ମର’ ମ୍ୟାଚ୍‌ରେ ଭାରତୀୟ ବୋଲିଂର ନେତୃତ୍ବ ନେଇଥିଲେ। ଭାରତର ଶାଣିତ ବୋଲିଂ ପାଇଁ ଅଷ୍ଟ୍ରେଲିଆ ୨୦ ରନ୍ କମ୍ କରିଥିଲା, ଶେଷରେ ଏହାହିଁ ଦୁଇ ଦଳ ମଧ୍ୟରେ ପାଥର୍କ୍ୟ ହୋଇଥିଲା। ତଥାପି ୨୯୯ ରନ୍‌ର ଲକ୍ଷ୍ୟ ସହଜ ନଥିଲା। ଅବଶ୍ୟ ଭାରତ ଏହାକୁ ହାସଲ କରିନେବ ବୋଲି ପ୍ରଥମରୁ ହିଁ ମୁଁ ଆକଳନ କରି ନେଇଥିଲି। ପ୍ରାରମ୍ଭିକ ଯୋଡ଼ି ଭାରତକୁ ଭଲ ଆରମ୍ଭ ଦେଲେ। ପ୍ରତ୍ୟେକ ୱିକେଟ୍ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାଗୀଦାରି କରିବାକୁ ସକ୍ଷମ ହୋଇଥିଲେ। ସେମାନଙ୍କ ଅଭିମୁଖ୍ୟ ମଧ୍ୟ ପ୍ରଶଂସନୀୟ ଥିଲା। ସେମାନେ ଦାୟିତ୍ବ ସଂପନ୍ନ ଭାବେ ବ୍ୟାଟିଂ କରି ବିଜୟର ସ୍ବାଦ ଚାଖିଲେ। ଆଡିଲେଡ୍‌ରେ ଅଷ୍ଟ୍ରେଲୀୟ ବୋଲର ବିରାଟ କୋହଲିଙ୍କ ଜୀବନକୁ କଷ୍ଟକର କରିବାକୁ ଭରପୁର ଚେଷ୍ଟା କରି ବିଫଳ ହେଲେ। କଙ୍ଗାରୁ ବୋଲର ତାଙ୍କ ଚୌକା ମାରିବା ଦକ୍ଷତା ଉପରେ ଅଙ୍କୁଶ ଲଗାଇ ପାରିଥିଲେ। ତଥାପି କୋହଲି ଶତକ ଅର୍ଜନ କଲେ। ସେ ହିଁ ଭାରତ ବିଜୟର ପ୍ରମୁଖ ସୂତ୍ରଧାର ପାଲଟି‌ଲେ। ଧୋନି ଫିନିସର ରୂପରେ ଫେରିବା ଭାରତୀୟ ପ୍ରଶଂସକଙ୍କୁ ଉଲ୍ଲସିତ କରିଥିବ। ପ୍ରଥମ ପର୍ଯ୍ୟାୟରେ କୋହଲିଙ୍କୁ ଅଧିକ ଷ୍ଟ୍ରାଇକ୍ ନେବାକୁ ସେ ଚେଷ୍ଟା କଲେ। ଶେଷ ପର୍ଯ୍ୟାୟରେ ବିଜୟୀ ରନ୍ ମାରିଲେ। ଧୋନିଙ୍କ ଅପେକ୍ଷା ଦୀନେଶ କାର୍ତିକ କିନ୍ତୁ ମୋତେ ଅଧିକ ପ୍ରଭାବିତ କରିଥିଲେ। ଭାରତ ବିଜୟରେ ତାଙ୍କ ୧୪ ବଲ୍ ୨୫ ପ୍ରମୁଖ ଭୂମିକା ତୁଲାଇଥିଲା। ସେ ଘଡ଼ିସନ୍ଧି ମୁହୂର୍ତରେ ବ୍ୟାଟିଂ କରିବାକୁ ଆସିଥିଲେ। କେତେକ ଭଲ ସଟ୍ ଖେଳି ଚାପକୁ ବଢ଼ିବାକୁ ଦେଇ ନଥିଲେ। ମୁଁ ଭାବୁଛି ଆଡିଲେଡ୍ ବିଜୟ ପରେ ବିଶ୍ବକପ୍‌ ପୂର୍ବରୁ ଭାରତର ଆତ୍ମବିଶ୍ବାସକୁ ଢେର ବଢ଼ି ଯାଇଥିବ। ଏହା ମେଲବର୍ନ ବିଜୟ ଭୋକକୁ ମଧ୍ୟ ବଢ଼ାଇ ଦେଇଥିବ।

ସମ୍ବନ୍ଧିତ ଖବର