ଭାରତ ବିଶ୍ବକପ୍ ଜିତିଲେ ବାପାଙ୍କ ପାଇଁ ସବୁଠୁ ବଡ଼ ଉପହାର ହେବ: ଆଲବର୍ଟ

କିଣ୍ଡୋ କିମ୍ବଦନ୍ତୀ

ଭୁବନେଶ୍ବର: କ୍ରମାଗତ ତିନିଟି ବିଶ୍ବକପ୍‌ ଖେଳି ପ୍ରତ୍ୟେକ ଥର ପଦକ ଜିତିଥିବା ହାତଗଣତି ଭାରତୀୟ ହକି ‌ଖେଳାଳିଙ୍କ ମଧ୍ୟରୁ ମାଇକେଲ୍ କିଣ୍ଡୋ ଅନ୍ୟତମ। ୧୯୭୧, ୭୩ ଏବଂ ସର୍ବୋପରି ୧୯୭୫ ମସିହାରେ ଭାରତ ପାଇଁ ପ୍ରଥମ ଏବଂ ଶେଷ ବିଶ୍ବକପ୍ ଜିତିଥିବା ଭାରତୀୟ ହକି ଦଳର ସେ ଥିଲେ ପ୍ରମୁଖ ସଦସ୍ୟ। ସ୍ବାଧୀନ ଭାରତ ହକି ଦଳରେ ସ୍ଥାନ ପାଇବାରେ ପ୍ରଥମ ଆଦିବାସୀ ହେବାର ଗୌରବ ଅର୍ଜନ କରିଥିବା କିଣ୍ଡୋ ଝାଡ଼ଖଣ୍ଡରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଜୀବନର ଅଧିକାଂଶ ସମୟ ଓଡ଼ିଶାରେ କଟାଇଛନ୍ତି। ଦୀର୍ଘ ୪୦ ବର୍ଷ ହେବ ଓଡ଼ିଶାକୁ ଘର କରି ନେଇଛନ୍ତି। ଇସ୍ପାତନଗରୀ ରାଉରକେଲାକୁ ସ୍ଥାୟୀ ବାସସ୍ଥଳୀ କରିଥିବା କିଣ୍ଡୋ ହେଉଛନ୍ତି ଭାରତୀୟ ହକିର ଜୀବନ୍ତ ଯୋଦ୍ଧା। ଓଡ଼ିଶାର ଏହି ଅଣଓଡ଼ିଆ ବିଶ୍ବବିଜେତାଙ୍କୁ ବିଶ୍ବ ହକିର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ରକ୍ଷଣଭାଗ ଖେଳାଳିର ମାନ୍ୟତା ମିଳେ। ସେଥିପାଇଁ ତାଙ୍କୁ ଭାରତୀୟ ହକିର ଅଭେଦ୍ୟ ପ୍ରାଚୀର ଉପାଧୀ ମିଳିଥିଲା।
କିଣ୍ଡୋଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଆଲବର୍ଟ କିଣ୍ଡୋ। ମାଇକେଲ୍ ହକିରେ ସୁନାମ ଅର୍ଜନ କରିଥିଲା ବେଳେ ଆଲବର୍ଟ ଟେବୁଲ ଟେନିସ ସଂ ସଂପୃକ୍ତ ଅଛନ୍ତି। ହେଲେ ଓଡ଼ିଶାର ପ୍ରତ୍ୟେକ କ୍ରୀଡ଼ାପ୍ରେମୀଙ୍କ ଭଳି ହକିକୁ ସେ ବହୁତ ଭଲ ପାଆନ୍ତି। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି)ରେ କାମ କରୁଥିବା ଆଲବର୍ଟ ଭୁବନେଶ୍ବର ବିଶ୍ବକପକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ନିଜ ପିତାଙ୍କ ହକି ଜୀବନର କେତେକ ଅନାଲୋଚିତ ଫର୍ଦ ଉପରୁ ପରଦା ଉଠାଇ ସେ କହିଛନ୍ତି ଯେ ହକି ପାଇଁ ବାପା ଦୀର୍ଘ ଦିନ ଧରି ଘର ବାହାରେ ରହୁଥିଲେ। ସେତେବେ‌ଳେ ମମି (ମା’) ହିଁ ଆମ ଘର ସମ୍ଭାଳୁଥିଲେ। ଜେ‌ଜେ ମା’ ପାଖରେ ଥିବାରୁ ସେମିତି କିଛି ଅସୁବିଧା ହେଉ ନଥିଲା। ଘର ଆରାମରେ ଚଳି ଯାଇଥିଲା। ବାପା ହକି ପଡ଼ିଆରେ ମାତୁଥିଲା ବେଳେ ମମି’ ତେଲ ଲୁଣ କଥା ବୁଝୁଥିଲେ। ବାପାଙ୍କ ପାଇଁ କିନ୍ତୁ ୧୯୭୫ରେ ମସିହାର ଢେର ମହତ୍ବ ଥିଲା। ସେହିବର୍ଷ ସେ ବିଶ୍ବକପ୍ ଜିତିଥିଲେ। ସଂଯୋଗ ବଶତଃ ମୁଁ ବି ୧୯୭୫ରେ ଜନ୍ମଗ୍ରହଣ କରିଥିଲି। ନିଜେ ଜଣେ ହକି ଖେଳାଳି ହୋଇଥିଲେ ମଧ୍ୟ ସେ କେବେବି ମୋତେ ହକି ଖେଳିବାକୁ ବାଧ୍ୟ କରୁ ନଥିଲେ। ସ୍କୁଲରେ ମୁଁ କ୍ରିକେଟ୍ ଖେଳୁଥିଲି। ଫୁଟ୍‌ବଲରେ ବି ରୁଚି ଥିଲା। ହେଲେ ମୁଁ ଟେବୁଲ ଟେନିସକୁ ବାଛିଥିଲି। ପରେ ଏହି ଖେଳରେ ପ୍ରଶିକ୍ଷଣ ଦେଇଥିଲି। ବିଶ୍ବକପ୍ ଅବସରର ବିଶ୍ବକପ୍ ବିଜେତା ଭାରତୀୟ କିମ୍ବଦନ୍ତୀ ଖେଳାଳିଙ୍କୁ ଓଡ଼ିଶା ସରକାର ସମ୍ମାନିତ କରିବା ବହୁତ ବଡ଼ କଥା। ଏହା ଏକ ଅଭିନବ ପରମ୍ପରା ସୃଷ୍ଟି କରିବ। ବାପା ମଧୁମେହ ଏବଂ ଆଣ୍ଠୁ ଯନ୍ତ୍ରଣାରେ ପୀଡ଼ିତ ଥିବାରୁ ମମି ଓ ମୁଁ ସମ୍ବର୍ଧନା ଉତ୍ସବକୁ ଯିବୁ। ଭୁବନେଶ୍ବରରେ ଭାରତ ଯଦି ଦ୍ବିତୀୟବାର ବିଶ୍ବବିଜୟୀ ହୁଏ, ଏହା ମୋ ବାପା ଏବଂ ୧୯୭୫ ବିଶ୍ବକପ୍‌ ବିଜୟୀ ଦଳର ସମସ୍ତ ସଦସ୍ୟଙ୍କ ପାଇଁ ସବୁଠାରୁ ବଡ଼ ଉପହାର ହେବ।

ସମ୍ବନ୍ଧିତ ଖବର