ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ମହିଳା ବିଶ୍ବକପ୍ରେ ଆୟୋଜକ ଭାରତ ଏବେ ବଡ଼ ଆହ୍ବାନରେ ପଡ଼ିଛି। ପ୍ରତିଯୋଗିତା ଇତିହାସରେ ଭାରତ କେବେ ଟ୍ରଫି ତୋଳି ଧରି ନଥିବାରୁ ଘରୋଇ ମାଟିରେ ଏହି ସ୍ବପ୍ନ ସାକାର ନେଇ ଢେର୍ ଆଶା ରହିଛି। କିନ୍ତୁ ହର୍ମନପ୍ରୀତ୍ଙ୍କ ଦଳ ଏବେ ବଡ଼ ବିପଦରେ। ପ୍ରଥମ ଦୁଇ ବିଜୟ ପରେ ଭାରତ କ୍ରମାଗତ ୩ ପରାଜୟ ସହ ଏକ ଆଲୋଡ଼ା ହ୍ୟାଟ୍ରିକ୍ ଅର୍ଜନ କରିଥିବାରୁ ‘କର ବା ମର’ ସ୍ଥିତିରେ ପଡ଼ିଯାଇଛି। ଅର୍ଥାତ୍ ଭାରତ ଏବେ ନିଜ ଶେଷ ଦୁଇ ରାଉଣ୍ଡ୍ ରବିନ୍ ଲିଗ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ (ଗୁରୁବାର) ଓ ବାଂଲାଦେଶ (ରବିବାର)କୁ ହରାଇଲେ ନିଶ୍ଚିତ ସେମିଫାଇନାଲ୍ ଖେଳିବ। ନଚେତ୍ ଏକ ଜଟିଳ ଅଙ୍କର ଅପେକ୍ଷା କରିବାକୁ ପଡ଼ିପାରେ। ଶୀର୍ଷ ୩ରେ ଥିବା ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଦୁଇଟି ଦଳ ବାଂଲାଦେଶ, ପାକିସ୍ତାନ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିସାରିଛନ୍ତି। ଏବେ ଶେଷ ତଥା ଗୋଟିଏ ମାତ୍ର ସେମିଫାଇନାଲ୍ ସ୍ଥାନ ପାଇଁ ଭାରତ ସହିତ ଦୁଇ ଦେଶ ନ୍ୟୁଜିଲାଣ୍ଡ୍ ଓ ଶ୍ରୀଲଙ୍କା ଦୌଡ଼ରେ ରହିଛନ୍ତି। ଆଉ ୬ଟି ଲିଗ୍ ମ୍ୟାଚ୍ ଥିବାରୁ ପଏଣ୍ଟ୍ ଟାଇ ହେଲେ ଏନ୍ଆର୍ଆର୍ (ନେଟ୍ ରନ୍ ରେଟ୍) ନିର୍ଣ୍ଣାୟକ ହେବ।
ଭାରତ ଗୁରୁବାର ନ୍ୟୁଜିଲାଣ୍ଡ୍କୁ ହରାଇଲେ ସେମିଫାଇନାଲ୍ ପ୍ରବେଶ ନିଶ୍ଚିତ ହୋଇଯିବ। ହାରିଗଲେ ଇଂଲଣ୍ଡ ନିକଟରୁ ନ୍ୟୁଜିଲାଣ୍ଡ୍ ହାରିଯାଉ ବୋଲି ଆଶା ରଖିବ ଏବଂ ରବିବାର ବାଂଲାଦେଶକୁ ହରାଇ ହର୍ମନପ୍ରୀତ୍ଙ୍କ ଦଳ ଆଗକୁ ବଢ଼ିପାରିବ। ଭାରତ-ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ବର୍ଷା ଧୋଇନେଲେ ଏହା ଭାରତ ପାଇଁ ଭଲ ହେବ। ଇଂଲଣ୍ଡଠାରୁ ନ୍ୟୁଜିଲାଣ୍ଡ୍ ହାରିଯାଇଥିଲେ ବାଂଲାଦେଶଠାରୁ ଭାରତ ହାରିଗଲେ ବି ଚଳିବ। ଏଭଳି କ୍ଷେତ୍ରରେ ଶ୍ରୀଲଙ୍କା ଓ ପାକିସ୍ତାନ ୬ ପଏଣ୍ଟ୍ରେ ନ ପହଞ୍ଚିବା ଆବଶ୍ୟକ ପଡ଼ିବ। ନଭି ମୁମ୍ବାଇରେ ଭାରତ ଉଭୟ ମ୍ୟାଚ୍ ଖେଳିବ। ଏହି ଦୁଇ ମ୍ୟାଚ୍ ବର୍ଷା ଧୋଇନେଲେ ବି ଭାରତ ସେମିଫାଇନାଲ୍ ଖେଳିପାରିବ। ଏଭଳି କ୍ଷେତ୍ରରେ ମଧ୍ୟ ଇଂଲଣ୍ଡଠାରୁ ନ୍ୟୁଜିଲାଣ୍ଡ୍ ହାରିବା କିମ୍ବା ଏହି ମ୍ୟାଚ୍ ବାତିଲ ହେଲେ ଫଳାଫଳ ଭାରତ ସପକ୍ଷରେ ଯିବ। କାରଣ ଭାରତର ଏନ୍ଆର୍ଆର୍ (+୦.୫୨୬) ଏବେ ବି ଭଲ ରହିଛି। ନ୍ୟୁଜିଲାଣ୍ଡ୍କୁ ମଧ୍ୟ ନିଜ ଉଭୟ ମ୍ୟାଚ୍ (ବନାମ ଭାରତ, ଇଂଲଣ୍ଡ) ଜିତି ସେମିଫାଇନାଲ୍ ଯିବା ସୁଯୋଗ ରହିଛି। ଶ୍ରୀଲଙ୍କା ପାଇଁ ପଥ ଟିକେ ବନ୍ଧୁର ରହିଛି। ଏହି ଦଳ ପ୍ରଥମେ ପାକିସ୍ତାନକୁ ହରାଇବା ସହ ଭାରତ ନିଜ ଦୁଇ ମ୍ୟାଚ୍ ହାରିଯାଉ ବୋଲି ଆଶା ରଖିବ। ନ୍ୟୁଜିଲାଣ୍ଡ୍ ମଧ୍ୟ ନିଜ ମ୍ୟାଚ୍ ହାରିଯାଉ ବୋଲି ଶ୍ରୀଲଙ୍କା ଚାହୁଛି।
ବାଂଲାଦେଶ, ପାକିସ୍ତାନ ବିଦା
କଲମ୍ବୋ: ଚଳିତ ଆଇସିସି ଦିନିକିଆ ମହିଳା ବିଶ୍ବକପ୍ରେ ଦୁଇ ଏସୀୟ ଦଳ ବାଂଲାଦେଶ ଓ ପାକିସ୍ତାନ କ୍ରମାଗତ ଦୁଇ ଦିନରେ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ମଙ୍ଗଳବାର ବର୍ଷାବାଧାପ୍ରାପ୍ତ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୧୫୦ ରନ୍ (ଡିଏଲ୍ଏସ୍)ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଏଥି ସହ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଗୋଟିଏ ବିଶ୍ବକପ୍ରେ କ୍ରମାଗତ ୫ ବିଜୟ ପାଇଥିଲା। ସେମିଫାଇନାଲ୍ ସ୍ଥାନ ପକ୍କା କରିସାରିଥିବା ଦକ୍ଷିଣ ଆଫ୍ରିକା ୱଲଭର୍ଟ (୯୦) ଓ କାପ୍ (୬୮*)ଙ୍କ ପାଳି ବଳରେ ୪୦ ଓଭରରେ ୯ ୱିକେଟ୍ ହରାଇ ୩୧୨ ରନ୍ ସଂଗ୍ରହ କରିଥିଲା। ବାରମ୍ବାର ବର୍ଷା ପାଇଁ ଅଟକିଥିବା ପାକିସ୍ତାନକୁ ଶେଷରେ ୨୦ ଓଭରରେ ୨୩୪ ରନ୍ ପାଇଁ କୁହାଯାଇଥିଲା। ଫତିମା ସାନାଙ୍କ ଦଳ କିନ୍ତୁ ୮୩/୭ରେ ଅଟକିଯାଇଥିଲା। ସୋମବାର ବାଂଲାଦେଶ ନିକଟରୁ ୭ ରନ୍ରେ ବିଜୟ ଛଡ଼ାଇ ଆଣିବା ସହ ଶ୍ରୀଲଙ୍କା ଆଶା ଉଜ୍ଜୀବିତ ରଖିଛି। ଶ୍ରୀଲଙ୍କା ୨୦୨ ରନ୍ କରିଥିଲା। ବାଂଲାଦେଶ ଭଲ ସ୍ଥିତିରେ ଥିଲେ ମଧ୍ୟ ଶେଷ ଓଭରର ପ୍ରଥମ ୪ ବଲ୍ରେ ୪ ୱିକେଟ୍ ହରାଇଦେବାରୁ ୧୯୫/୯ରେ ସୀମିତ ରହିଯାଇଥିଲା। ଶେଷ ଓଭର ବୋଲିଂ କରିଥିବା ଅଧିନାୟିକା ଚାମରି ଆଟାପଟୁ (୪/୪୨)ଙ୍କୁ ପଛରେ ପକାଇ ହସିନୀ ପେରେରା (୮୫) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।