ଅନ୍ତଲ୍ୟ: ଭାରତୀୟ ପୁରୁଷ ରିକର୍ଭ ଦଳ ଏଠାରେ ଚାଲିଥିବା ତୀରନ୍ଦାଜି ବିଶ୍ବକପ୍‌ ଷ୍ଟେଜ୍‌-୧ର ଫାଇନାଲ୍‌ରେ ପହଞ୍ଚିଛି। ଅତନୁ ଦାସ, ବି ଧୀରାଜ ଓ ତରୁଣଦୀପ ରାଏଙ୍କୁ ନେଇ ଗଠିତ ଭାରତୀୟ ଦଳ ଗୁରୁବାର ୩ ମ୍ୟାଚ୍‌ ଜିତି ଏହି ସ୍ଥାନ ପକ୍କା କରିଥିଲେ। ଏଥିସହ ଭାରତ ପ୍ରାୟ ୯ ବର୍ଷ ପରେ ପ୍ରଥମ ଥର ଫାଇନାଲ୍‌ରେ ପହଞ୍ଚି ଇତିହାସ ରଚିଛି। ରବିବାର ସ୍ବର୍ଣ୍ଣ ପଦକ ପାଇଁ ଏହି ଦଳ ଚୀନ୍‌କୁ ଭେଟିବ। ଯଦି ବିଜୟୀ ହୁଏ ‌ତେବେ ୧୩ ବର୍ଷ ଧରି ସ୍ବର୍ଣ୍ଣ ମରୁଡ଼ିର ଅବସାନ ଘଟାଇବ। ୨୦୦୮ରେ ପ୍ରଥମ ଥର ଲାଗି ଜୟନ୍ତ ତାଲୁକଦାର, ରାହୁଲ ବାନାର୍ଜୀ ଓ ମଙ୍ଗଲ ସିଂହ ଚାମ୍ପିଆଙ୍କୁ ନେଇ ଗଠିତ ଭାରତୀୟ ଦଳ ମାଲେସିଆକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା। ଏହା ପରେ ଭାରତୀୟ ପୁରୁଷ ରିକର୍ଭ ଦଳ ୫ ଥର ସ୍ବର୍ଣ୍ଣ ଜିତିବାର ଗୌରବ ପାଇଥିଲା। ଶେଷ ଥର ଲାଗି ୨୦୧୦ରେ ସିଙ୍ଘାଇରେ ଭାରତ ସ୍ବର୍ଣ୍ଣ ଜିତିଥିଲା। ଏହାପରେ ୨୦୧୪ରେ ଦୁଇ ଥର ଷ୍ଟେଜ୍‌-୧ ମେଡେଲିନ ଓ ଷ୍ଟେଜ୍‌-୪ ରୋକ୍ଲାରେ ଫାଇନାଲ୍‌ରେ ହାରି ରୌପ୍ୟ‌ରେ ସନ୍ତୁଷ୍ଟ ରହିଥିଲା।

Advertisment

ଗୁରୁବାର ଚତୁର୍ଥ ମାନ୍ୟତାପ୍ରାପ୍ତ ଦଳ ଭାବେ ଯୋଗ୍ୟତା ଅର୍ଜନ କରିଥିବା ଭାରତ ପ୍ରଥମ ରାଉଣ୍ଡ ବାଇ ପାଇଥିଲା। ଏହା ପର ମ୍ୟାଚ୍‌ରେ ଦଳ କଡ଼ା ସଂଘର୍ଷ କରି ୫-୪ (୨୯-୨୮ ସୁଟ୍‌-ଅଫ୍‌)ରେ ୧୩ତମ ମାନ୍ୟତା ଜାପାନକୁ ପରାସ୍ତ କରିଥିଲା। ଏହା ପରେ ଭାରତୀୟ ତ୍ରିମୂର୍ତ୍ତି ଦ୍ବାଦଶ ମାନ୍ୟତାପ୍ରାପ୍ତ ଚାଇନିଜ୍‌ ତାଇପେକୁ ୪-୦ ଏବଂ ନବମ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ୍ସକୁ ୬-୨ ବ୍ୟବଧାନରେ ମାତ୍‌ ଦେଇଥିଲା।