ଭୁବନେଶ୍ବର: ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ପ୍ରଥମ ଖୋ ଖୋ ବିଶ୍ବକପ୍ର ଉଭୟ ମହିଳା ଓ ପୁରୁଷରେ ଆୟୋଜକ ଭାରତ ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଛି। ମହିଳା କ୍ବାର୍ଟରଫାଇନାଲ୍ରେ ଭାରତ ଏକତରଫା ଭାବେ ୧୦୯-୧୬ରେ ବାଂଲାଦେଶକୁ ମାତ୍ ଦେଇଛି। ପ୍ରିୟଙ୍କା ଇଙ୍ଗ୍ଲେଙ୍କ ନେତୃତ୍ବାଧୀନ ଭାରତ ସମସ୍ତ ୪ ଟର୍ଣ୍ଣରେ ଆଧିପତ୍ୟ ବିସ୍ତାର କରିଥିଲା। ଏହି ଦଳ ଲଗାତାର ପଞ୍ଚମ ମ୍ୟାଚ୍ରେ ୧୦୦ରୁ ଊର୍ଧ୍ବ ପଏଣ୍ଟ କରିଥିଲା। ଓଡ଼ିଆ ଝିଅ ମାଗାଇ ମାଝୀ ଶ୍ରେଷ୍ଠ ଆଟାକର୍ ପୁରସ୍କାର ପାଇଥିଲା ବେଳେ ରିତୁରାଣୀ ସେନ ଓ ଅଶ୍ବିନୀ ସିନ୍ଦେ ଯଥାକ୍ରମେ ଶ୍ରେଷ୍ଠ ଡିଫେଣ୍ଡର ଏବଂ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ଓଡ଼ିଶା ଶନିବାର ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଦକ୍ଷିଣ ଆଫ୍ରିକା ୫୧-୪୬ରେ କେନିଆକୁ ହରାଇଥିଲା। ଅନ୍ୟଏକ ସେମିଫାଇନାଲ୍ରେ ଉଗାଣ୍ଡା-ନେପାଳ ମୁହାଁମୁହିଁ ହେବେ। ଉଗାଣ୍ଡା ୭୧-୨୬ରେ ନ୍ୟୁଜିଲାଣ୍ଡକୁ ଏବଂ ନେପାଳ ୧୦୩-୮ରେ ଇରାନକୁ ହରାଇଛି। ଅପରାଜେୟ ପୁରୁଷ ଦଳ କ୍ବାର୍ଟରଫାଇନାଲ୍ରେ ଶ୍ରୀଲଙ୍କାକୁ ୧୦୦-୪୦ରେ ପରାସ୍ତ କରିଛି। ଶନିବାର ସେମିଫାଇନାଲ୍ରେ ଏହି ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଦକ୍ଷିଣ ଆଫ୍ରିକା ୫୮-୩୮ରେ ଇଂଲଣ୍ଡକୁ ହରାଇଛି। ଅନ୍ୟଏକ ସେମିଫାଇନାଲ୍ରେ ନେପାଳକୁ ଭେଟିବ ଇରାନ। ନେପାଳ ୬୭-୧୮ରେ ବାଂଲାଦେଶକୁ ଏବଂ ଇରାନ ୮୬-୧୮ରେ କେନିଆକୁ ମାତ୍ ଦେଇଛି।