ଚଟ୍ଟୋଗ୍ରାମ: ଚଳିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟ ମୁହାଁ ହୋଇଛି। ବାଂଲାଦେଶ ସମ୍ମୁଖରେ ୫୧୩ ରନ୍‌ର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ଘରୋଇ ଦଳ ଚତୁର୍ଥ ଦିବସ ସୁଦ୍ଧା ୬ ୱିକେଟ୍‌ରେ ୨୭୨ ରନ୍‌ ସଂଗ୍ରହ କରିଛି। ଜାକିର ହାସନ୍‌ଙ୍କ ଶତକ (୨୨୪ ବଲରୁ ୧୦୦ ରନ୍‌, ୧୨‌ ଚୌକା, ୧ ଛକା), ନଜମୁଲ ହୋସେନ୍‌ ସାଣ୍ଟୋ (୧୫୬ ବଲ୍‌ରୁ ୬୭ ରନ୍‌, ୭ ଚୌକା)ଙ୍କ ଅର୍ଦ୍ଧଶତକ ଏବଂ ଅଧିନାୟକ ସାକିବ୍ ଆଲ୍ ହାସନ୍‌ (୬୯ ବଲ୍‌ରୁ ୪୦* ରନ୍‌, ୩ ଚୌକା, ୨ ଛକା)ଙ୍କ ଲଢ଼ୁଆ ବ୍ୟାଟିଂ କାରଣରୁ କେବଳ ମ୍ୟାଚ୍‌ ପଞ୍ଚମ ଦିନକୁ ଯାଇଛି। ଶନିବାର ୪୨/୦ରୁ ଖେଳିଥିବା ବାଂଲାଦେଶ ଚତୁର୍ଥ ଦିବସରେ ଢେର ଲଢ଼ିଥିଲା। ନଜମୁଲ ସାଣ୍ଟୋ ଓ ଜାକିର ହାସନ୍‌ ପ୍ରଥମ ୱିକେଟ୍ ପାଇଁ ୧୨୪ ରନ୍‌ ଉଠାଇ ଭାରତୀୟ ବୋଲରଙ୍କୁ ଧମକାଇଥିଲେ। ପ୍ରଥମ ୱିକେଟ୍ ପାଇଁ ଭାରତ ୪୭ ଓଭର ଯାଏ ଅପେକ୍ଷା କରିଥିଲା।

Advertisment

ଏହି ବହୁ ପ୍ରତୀକ୍ଷିତ ୱିକେଟଟି ଦେଇଥିଲେ ଉମେଶ ଯାଦବ। ମଧ୍ୟାହ୍ନ ଭୋଜନ ପରେ ଉମେଶଙ୍କ ବୋଲିଂରେ ସାଣ୍ଟୋ ୱିକେଟରକ୍ଷକ ପନ୍ତ୍‌ଙ୍କୁ କ୍ୟାଚ୍‌ ଦେଇ ଫେରିଥିଲେ। ଏହା ପରେ ଭାରତୀୟ ସ୍ପିନର୍‌ ପ୍ରାଧାନ୍ୟ ବିସ୍ତାର କରିବାକୁ ସବୁ ଚେଷ୍ଟା କରିଥିଲେ। ତିନି ଭାରତୀୟ ସ୍ପିନର୍‌ ଆର୍‌ ଅଶ୍ବିନ, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ ମିଳିତ ଭାବେ ୭୨ ଓଭର ବୋଲିଂ କରି ୫ ୱିକେଟ୍ ବାହାର କରିବାରୁ ଭାରତ ପ୍ରତ୍ୟାବର୍ତନ କରିବାରେ ସକ୍ଷମ ହୋଇଛି। ଜାକିର ହାସନ୍‌ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିବା ପରେ ଅଶ୍ବିନ୍ ତାଙ୍କୁ ବିଦାୟ ରାସ୍ତା ଦେଖାଇଥିଲେ।

ଏହା ପୂର୍ବରୁ କିନ୍ତୁ ଅକ୍ଷର ପଟେଲ୍‌ ୟାସିର୍ ଅଲୀଙ୍କୁ ଏବଂ ଲିଟନ ଦାସଙ୍କୁ କୁଲଦୀପ ଯାଦବ ଆଉଟ୍ କରି ଅଣ୍ଟା ମୋଡି ଦେଇଥିଲେ। ପ୍ରଥମ ଅଧିବେସନରେ ଭାରତ ୱିକେଟ୍ ପାଇନଥିଲେ ମଧ୍ୟ ପରବର୍ତୀ ୨ ଅଧିବେସନରେ ୩ ଲେଖାଏଁ ୱିକେଟ୍ ବାହାର କରି ନେଇଥିଲା। ସବୁଠୁ ପ୍ରଭାବୀ ପ୍ରଦର୍ଶନ ଦେଖାଇଥିଲେ ବାମହାତୀ ସ୍ପିନର୍‌ ଅକ୍ଷର ପଟେଲ୍‌ (୨୭-୧୦-୫୦-୩)। ୟାସିର୍ ଅଲୀଙ୍କ ପରେ ମୁସଫିକର ରହିମ୍‌ ଓ ନୁରୁଲ ହାସନ୍‌ଙ୍କ ୱିକେଟ୍‌ ମଧ୍ୟ ଅକ୍ଷର ପଟେଲ୍ ଦଖଲ କରିଥିଲେ।