ଫାଇନାଲରେ ଭାରତ

ଶେଷରେ ରୋହିତ ରନ୍‌ କଲେ

କଲମ୍ବୋ: ବାଂଲାଦେଶକୁ ବୁଧବାର ୧୭ ରନ୍‌ରେ ପରାସ୍ତ କରି ତୃତୀୟ ବିଜୟ ସହ ଭାରତ ନିଦାହାସ୍‌ ଟ୍ରଫି ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଫାଇନାଲରେ ପ୍ରବେଶ କରିଛି। ଭାରତ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ବାଂଲାଦେଶ ୧୫୯ ରନ୍‌ରେ ଅଟକି ଯାଇଥିଲା। ଅଧଡଜନେରୁ ଅଧିକ ମ୍ୟାଚ୍‌ରେ ବିଫଳ ହେବା ପରେ ଶେଷରେ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ରନ୍‌ ବାହାରିଲା। ବୁଧବାର ୮୯ ରନ୍‌ (୬୦ ବଲ୍‌, ୫ ଚୌକା, ୫ ଛକା)ର ଧମାକାଦାର ପାଳି ଖେଳିି ସେ କେବଳ ସମାଲୋଚକଙ୍କ ମୁହଁ ବନ୍ଦ କଲେନି, ଭାରତକୁ ମଧ୍ୟ ଫାଇନାଲରେ ପହଞ୍ଚାଇ ଦେଲେ। ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା (୪୭ ରନ୍‌, ୩୦ ବଲ୍‌, ୫ ଚୌକା, ୨ ଛକା) ମଧ୍ୟ ତାଙ୍କ ରୋମାଞ୍ଚଭରା ବ୍ୟାଟିଂର ଆଉ ଏକ ଝଲକ ଦେଖାଇଲେ। ରୋହିତ-ରାଇନାଙ୍କ ମିଳିତ ଆକ୍ରମଣ ପରେ ସ୍ପିନର ଓ୍ଵାସିଂଟନ୍‌ କଲମ୍ବୋରେ ସୁନ୍ଦର (୪-୦-୨୨-୩) ବୋଲିଂ କରି ସିଂହଳୀ ଦଳକୁ ଘାଇଲା କରିଦେଲେ। ଆଜି ବାଂଲା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ତମିମ ଇକବାଲ (୨୭) ଦ୍ରୁତ ବୋଲର ସାର୍ଦୁଲ ଠାକୁରଙ୍କ ଗୋଟିଏ ଓଭରରୁ ୧୯ ରନ୍‌ ଛାଡ଼ାଇ ନେଇଥିଲେ। ହେଲେ ପ୍ରଥମ, ଚତୁର୍ଥ ଓ ଷଷ୍ଠ ଓଭରରେ ଲିଟନ ଦାସ (୭) ସୌମ୍ୟ ସରକାର (୧) ଓ ଖୋଦ୍‌ ତମିମଙ୍କୁ ଆଉଟ୍‌ କରି ସୁନ୍ଦର ଶ୍ରୀଲଙ୍କାର ମେରୁଦଣ୍ଡ ଭାଙ୍ଗିଦେଲେ। ବାଂଲା ଦଳର ଓ୍ଵିକେଟ୍‌ ରକ୍ଷକ ମୁସଫିକର ରହିମ (୭୨* ରନ୍‌, ୫୫ ବଲ୍‌, ୮ ଚୌକା, ୧ ଛକା) ଲଗାତାର ଅର୍ଧଶତକ ଅର୍ଜନ କରିବା ଅବଶ୍ୟ କିଛି ସମୟ ପାଇଁ ଭାରତ ଶିବିରରେ ଭୟ ସଞ୍ଚାର କରିଥିଲା। ହେଲେ ସାର୍ଦୁଲ ଠାକୁର ଓ ମହମ୍ମଦ ସିରାଜ ଶେଷ ଦୁଇ ଓଭରରେ ଭଲ ବୋଲିଂ କରିବାରୁ ବାଂଲାଦେଶ ୬ ଓ୍ଵିକେଟ୍‌ ବିନିମୟରେ ୧୫୯ ରନ୍‌ରେ ଅଟକି ଯାଇଥିଲା। ଶୃଙ୍ଖଳାର ପ୍ରଥମ ଚାରି ମ୍ୟାଚ୍‌ରେ ପଛରେ ବ୍ୟାଟିଂ କରିଥିବା ଦଳ ବିଜୟ ଲାଭ କରିଥିଲେ। ଭାରତ ବୁଧବାର ପ୍ରଥମେ ବ୍ୟାଟିଂ କରି ବିଜୟୀ ହେବା ସହ ଏହି ଧାରାକୁ ଅଟକାଇ ଦେଇଥିଲା। ରୋହିତ ତାଙ୍କ ମୂଲ୍ୟବାନ ଅର୍ଧଶତକ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ବୁଧବାର ଭାରତ ତା’ର ତିନି ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କ ପାଇଁ ନିର୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍‌ ହରାଇ ୧୭୬ ରନ୍‌ କରି ନେଇଥିଲା। ଶିଖର ଧାଓ୍ଵନ (୩୫ ରନ୍‌, ୨୭ ବଲ୍‌, ୫ ଚୌକା, ୧ ଛକା) ଏବଂ ରୋହିତ ଶର୍ମା ପ୍ରଥମ ଓ୍ଵିକେଟ୍‌ରେ ୭୦ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଏହା ପରେ ଅଧିନାୟକ ରୋହିତ ଏବଂ ବାମହାତୀ ବ୍ୟାଟର ସୁରେଶ ରାଇନା ଦ୍ୱିତୀୟ ଓ୍ଵିକେଟରେ ୧୦୨ ରନ୍‌ ଯୋଡ଼ିଥିଲେ। ଉଭୟ ସିଂହଳୀ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଶେଷ ଓଭରର ପ୍ରଥମ ଓ ଶେଷ ବଲରେ ଦୁଇ ଜଣ ଯାକ ଆଉଟ୍‌ ହୋଇଥିଲେ ମଧ୍ୟ ଶେଷ ୧୦ ଓଭରରୁ ସେମାନଙ୍କ ପାଇଁ ଭାରତ ୧୦୫ ରନ୍‌ ସାଉଣ୍ଟି ନେଇଥିଲା। ଗତ ୬ ମ୍ୟାଚ୍‌ରେ ବିଫଳ ହୋଇଥିବା ରୋହିତଙ୍କ ବେପରୁଆ ବ୍ୟାଟିଂ ହିଁ ଆଜି ଭାରତ ପାଳିର ମୁଖ୍ୟ ଆକର୍ଷଣ ଥିଲା। ୪ ଚୌକା ଏବଂ ୨ ଛକା ବଳରେ ନିଜର ତ୍ରୟୋଦଶ ଟେ୍ଵଣ୍ଟି-୨୦ ଅର୍ଧଶତକ ପୂରଣ କରିଥିବା ରୋହିତ ଶେଷ ଆଡ଼କୁ ଏକବାର ହିଂସ୍ର ହୋଇ ଉଠିଥିଲେ। ହେଲେ ୧୧ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ରାଇନା ବି ୩ ରନ୍‌ ପାଇଁ ଅର୍ଧଶତକ ଛୁଇଁ ପାରି ନଥିଲେ। ଅଷ୍ଟାଦଶ ଓଭରରେ ରାଇନା-ରୋହିତ ୨୧ ରନ୍‌ ନେଇଥିଲେ। ହେଲେ ରୁବେଲ ହୁସେନ ବୋଲିଂ କରିଥିବା ୨୦ତମ ଓଭରରୁ ଭାରତ ମାତ୍ର ୪ ରନ୍‌ ପାଇଥିଲା।

ସମ୍ବନ୍ଧିତ ଖବର