କଲମ୍ବୋ: ନୀତିଶ ରାଣା ଏବଂ ହିମ୍ମତ ସିଂହଙ୍କ ଅପରାଜିତ ଅର୍ଧଶତକ ବଳରେ ଏଠାରେ ଚାଲିଥିବା ଏସିସି ଏମର୍ଜିଂ ଦଳୀୟ ଏସିଆ କପ୍ ପ୍ରତିଯୋଗିତାରେ ପାକିସ୍ତାନକୁ ୭ ୱିକେଟ୍ରେ ପରାସ୍ତ କରି ଭାରତ ଫାଇନାଲ୍ରେ ପ୍ରବେଶ କରିଛି। ଗୁରୁବାର ଟସ୍ ହାରି ବ୍ୟାଟିଂ ପାଇଥିବା ପାକିସ୍ତାନ ୪୪.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ଅଧିନାୟକ ମହମ୍ମଦ ରିଜୱାନ୍ (୬୭) ଓ ସଦ୍ ସକିଲ୍ (୬୨) ଅର୍ଧଶତକ ହାସଲ କରିଥିଲା ବେଳେ ଭାରତ ପକ୍ଷରୁ ସଫଳ ବୋଲର ଭାବେ ଲେଗ୍ ସ୍ପିନର ମୟଙ୍କ ମାର୍କଣ୍ଡେ ୪ ୱିକେଟ୍ ଅକ୍ତିଆର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ ରାଜପୁତ୍ ଓ ଜୟନ୍ତ ଯାଦବ ୨ ଲେଖାଏଁ ୱିକେଟ୍ ପାଇଥିଲେ। ଜବାବରେ ହିମ୍ମତ (୫୯*) ଓ ନୀତିଶ (୬୦*) ଚତୁର୍ଥ ୱିକେଟ୍ ଭାଗୀଦାରିରେ ୧୭୩ ରନ୍ ଯୋଡ଼ି ଭାରତକୁ ୨୭.୩ ଓଭରରେ ବିଜୟ ଭେଟି ଦେଇଥିଲେ। ଭାରତ ଶନିବାର ଫାଇନାଲ୍ରେ ଆୟୋଜକ ଶ୍ରୀଲଙ୍କାକୁ ଭେଟିବ। ପ୍ରତିଯୋଗିତାରେ ଗ୍ରୁପ୍-ବିରେ ସାମିଲ ଥିବା ଭାରତ ପ୍ରଥମ ମ୍ୟାଚ୍ରେ ଆଫ୍ଗାନିସ୍ତାନକୁ ୮୪ ରନ୍, ଓମାନ୍କୁ ୬ ୱିକେଟ୍ ଏବଂ ଶ୍ରୀଲଙ୍କାକୁ ୪ ୱିକେଟ୍ରେ ପରାସ୍ତ କରି ଗ୍ରୁପ୍ ବିଜେତା ସହ ସେମିଫାଇନାଲ୍ ଆସିଥିଲା। ଶୁକ୍ରବାର ଅନ୍ୟ ଏକ ସେମିଫାଇନାଲ୍ରେ ଗ୍ରୁପ୍-ବି ଦ୍ବିତୀୟରେ ଥିବା ଶ୍ରୀଲଙ୍କା ଗ୍ରୁପ୍-ଏ ବିଜେତା ବାଂଲାଦେଶକୁ ୪ ୱିକେଟ୍ରେ ପରାସ୍ତ କରି ଫାଇନାଲ୍କୁ ଉଠିଛି।