ସେ ବର୍ଷ, ଆଜିର ଦିନ: ପାକିସ୍ତାନକୁ ହରାଇ ଫାଇନାଲ୍ ଯାଇଥିଲା ଭାରତ

ନୂଆଦିଲ୍ଲୀ: ଆଜକୁ ଠିକ୍ ୯ ବର୍ଷ ତଳେ ପାକିସ୍ତାନକୁ ହରାଇ ୨୦୧୧ ମସିହାର ଆଇସିସି ୫୦ ଓଭରିଆ ବିଶ୍ବକପ୍‌ର ଫାଇନାଲ୍‌କୁ ଉନ୍ନୀତ ହୋଇଥିଲା ଭାରତ। ଏହି ଫର୍ମାଟ୍‌ର ବିଶ୍ବକପ୍‌ରେ ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତ ନିଜର ଶତ ପ୍ରତିଶତ ବିଜୟକୁ ବଜାୟ ରଖିଥିଲା। ୨୦୧୧ ମସିହାରେ ଭାରତ ଦ୍ବିତୀୟ ଥର ବିଜେତା ହୋଇଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ। ମୋହାଲିର ପଞ୍ଜାବ କ୍ରିକେଟ୍ ସଂଘ (ପିସିଏ) ଷ୍ଟାଡିୟମ୍‌ରେ ମାର୍ଚ୍ଚ ୩୦ ତାରିଖରେ ସେମିଫାଇନାଲ୍‌ ଖେଳିବା ପୂର୍ବରୁ ଭାରତ କ୍ବାର୍ଟରଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ସେମିଫାଇନାଲ୍‌ରେ କିନ୍ତୁ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଖେଳିବା ସବୁଠାରୁ ଅଧିକ ଉତ୍କଣ୍ଠା ଭରି ଦେଇଥିଲା। ଭାରତ ୨୯ ରନ୍‌ ବ୍ୟବଧାନରେ ଏହି ହାଇଭୋଲ୍‌ଟେଜ୍ ମ୍ୟାଚକୁ ଜିତି ନେଇ ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ସେଦିନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେବହାଗ ପାଳି ଆରମ୍ଭ କରିଥିଲେ। ପ୍ରଥମ ୱିକେଟ୍ ପାଇଁ ଏହି ଡାହାଣହାତୀ ଯୋଡ଼ି ୪୮ ରନ୍‌ ସଂଯୋଗ କରିଥିଲେ। ମ୍ୟାଚ୍‌ର ତୃତୀୟ ଓଭରରେ ଉମର ଗୁଲ୍‌ଙ୍କଠାରୁ ବୀରେନ୍ଦ୍ର ସେବହାଗ ୨୧ ରନ୍ ଆଦାୟ କରିଥିଲେ।

ଷଷ୍ଠ ଓଭରରେ କିନ୍ତୁ ବୀରେନ୍ଦ୍ର ସେବହାଗ (୩୮)ଙ୍କୁ ୱାହାବ ରିଆଜ ଆଉଟ୍ କରି ପାକିସ୍ତାନକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟପକ୍ଷରେ ତେନ୍ଦୁଲକର ନିଜ ଆକ୍ରମଣ ଜାରି ରଖିଥିଲେ। ପାକିସ୍ତାନ କିନ୍ତୁ ୪ ଥର କ୍ୟାଚ୍‌ ଛାଡ଼ି ସଚିନଙ୍କୁ ବାରମ୍ବାର ସୁଯୋଗ ଦେଇଥିଲା। ଏଥିପାଇଁ ଦଳକୁ ମଧ୍ୟ ବହୁମୂଲ୍ୟ ଦେବାକୁ ପଡ଼ିଥିଲା। ୩୭ତମ ଓଭରରେ ସଚିନ ତେନ୍ଦୁଲକରଙ୍କୁ ସଇଦ୍ ଆଜମଲ ଆଉଟ୍ କରିଥିଲେ। ସଚିନ ୮୫ ରନ୍ କରିଥିଲେ। ଏହା ପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେଷ ଭାଗରେ ସୁରେଶ ରାଇନାଙ୍କ ବିସ୍ଫୋରକ ୩୬ ରନ୍ ବଳରେ ଭାରତ ୨୬୦ ରନ୍ କରି ନେଇଥିଲା। ୨୬୧ ରନ୍‌ର ବିଜୟ ଲକ୍ଷ୍ୟରେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ପାଇଁ କାମରାନ୍ ଆକମଲ ଏବା ମହମ୍ମଦ ହାଫିଜ୍ ପ୍ରଥମ ୱିକେଟ୍‌ରେ ୪୪ ରନ୍ ଉଠାଇଥିଲେ। ଜାହିର୍‌ ଖାନ୍‌ ଭାରତକୁ ନବମ ଓଭରରେ ପ୍ରଥମ ସଫଳତା ଦେଇଥିଲେ। ଆକମଲ (୧୯)ଙ୍କୁ ଆଉଟ୍ କରିଥିଲେ ଜାହିର୍‌। ଏହା ପରେ ପାକିସ୍ତାନ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। ଭାରତର ସମସ୍ତ ୫ ବୋଲର୍‌ ଜାହିର୍‌ ଖାନ୍‌, ଆଶିଷ ନେହେରା, ମୁନାଫ ପଟେଲ୍, ହରଭଜନ ସିଂହ ଓ ଯୁବରାଜ ସିଂହ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ବାଣ୍ଟି ନେଇଥିଲେ। ପାକିସ୍ତାନ ୨୩୧ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଏପ୍ରିଲ୍‌ ୨ରେ ଖେଳାଯାଇଥିବା ଫାଇନାଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଶ୍ରୀଲଙ୍କାକୁ ହରାଇ ୨୮ ବର୍ଷ ପରେ ବିଜେତା ହୋଇଥିଲା। ପାକିସ୍ତାନ ବିପକ୍ଷରେ ଏହା ପରେ ମଧ୍ୟ ଭାରତ ୨୦୧୫ ଏବଂ ୨୦୧୯ରେ ମଧ୍ୟ ବିଜୟୀ ହୋଇଛି ଭାରତ। ୫୦ ଓଭରିଆ ବିଶ୍ବକପ୍‌ର ସମସ୍ତ ୭ ମୁକାବିଲା (୧୯୯୨-୨୦୧୯) ଭାରତ ଜିତିଛି। ଟି-୨୦ ବିଶ୍ବକପ୍‌‌ରେ ମଧ୍ୟ ଭାରତ ଏହି ପଡ଼ୋଶୀ ଦେଶ ବିପକ୍ଷରେ ବିଜୟ ଧାରା ଅତୁଟ ରଖିଛି। କେବଳ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ୫ ମୁକାବିଲାରୁ ୩ ଥର ଜିତିଛି ପାକିସ୍ତାନ। ଏହା ମଧ୍ୟରେ ୨୦୧୭ ଫାଇନାଲ୍ ଅନ୍ତର୍ଭୁକ୍ତ।

ସମ୍ବନ୍ଧିତ ଖବର