ତୌରଙ୍ଗା (ନ୍ୟୁଜିଲାଣ୍ଡ୍‌): ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ପ୍ରତିଯୋଗିତାର ତୌରଙ୍ଗା ଚରଣରେ ଦ୍ୱିତୀୟ ବିଜୟ ସହ ଭାରତ ଫାଇନାଲ୍‌ ପ୍ରବେଶ କରିଛି। ଏହି ଚରଣର ପ୍ରଥମ ମ୍ୟାଚ୍‌ରେ ଜାପାନକୁ ୬-୦ ଗୋଲ୍‌ରେ ପରାସ୍ତ କରିଦେଇଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌କୁ ବେଲ୍‌ଜିୟମ୍‌ ନିକଟରୁ ୦-୨ରେ ହାରିଯାଇଥିଲା। ହେଲେ ଶନିବାର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଆୟୋଜକ ନ୍ୟୁଜିଲାଣ୍ଡ୍‌କୁ ୩-୧ ଗୋଲ୍‌ରେ ପରାସ୍ତ କରି ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି। ହର୍‌ମନ୍‌ପ୍ରୀତ୍‌ ସିଂହ, ଦିଲ୍‌ପ୍ରୀତ୍‌ ସିଂହ ଓ ମନ୍‌ଦୀପ୍‌ ସିଂହ ଗୋଟିଏ ଲେଖାଏଁ ଗୋଲ୍‌ କରି ଭାରତକୁ ଫାଇନାଲ୍‌ ପ୍ରବେଶ କରାଇଥିଲେ। ରବିବାର ଫାଇନାଲ୍‌ରେ ହକି ବିଶ୍ୱ ଲିଗ୍‌ କାଂସ୍ୟ ପଦକ ବିଜେତା ଭାରତର ମୁକାବିଲା ଅଲିମ୍ପିକ୍‌ ରୌପ୍ୟ ବିଜେତା ବେଲ୍‌ଜିୟମ୍‌ ସହ ହେବ। ଆଉ ଏହି ଟ୍ରଫି ମୁକାବିଲା ଭାରତ ପାଇଁ ବେଲ୍‌ଜିୟମ୍‌ଠୁ ଗ୍ରୁପ୍‌ ପର୍ଯ୍ୟାୟ ପରାଜୟର ମଧୁ ପ୍ରତିଶୋଧ ନେବାର ସୁଯୋଗ ରହିବ। ବେଲ୍‌ଜିୟମ୍‌ ଶନିବାର ତା’ର ତୃତୀୟ ତଥା ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଜାପାନକୁ ୪-୧ ଗୋଲ୍‌ରେ ପରାସ୍ତ କରିଦେଇଛି। ଶନିବାର ମ୍ୟାଚ୍‌ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ୍‌ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ମ୍ୟାଚ୍‌ ଅତିକମ୍‌ରେ ଅମୀମାଂସିତ ରଖିଥିଲେ ନ୍ୟୁଜିଲାଣ୍ଡ୍‌ ଫାଇନାଲ୍‌ ପ୍ରବେଶ କରିଥାନ୍ତା। ହେଲେ ବିଶ୍ୱ ମାନ୍ୟତାର ଷଷ୍ଠ ଭାରତ ଏହା ହେବାକୁ ଦେଇନଥିଲା। ପ୍ରଥମ କ୍ୱାର୍ଟରର ଦ୍ୱିତୀୟ ମିନିଟ୍‌ରେ ହର୍‌ମନ୍‌ପ୍ରୀତ୍‌ ଏକ ପେନାଲ୍‌ଟି କର୍ନରକୁ ଗୋଲ୍‌ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଦିଲ୍‌ପ୍ରୀତ୍‌ (୨୧ ମିନିଟ୍‌) ଗୋଟିଏ ଗୋଲ୍‌ କରି ଅଗ୍ରଣୀ ବ୍ୟବଧାନ ୨-୦ କରି ଦେଇଥିଲେ। ପ୍ରଥମାର୍ଧରେ ୦-୨ରେ ପଛୁଆ ରହିଥିବା ନ୍ୟୁଜିଲାଣ୍ଡ୍‌ ଦ୍ୱିତୀୟାର୍ଧରେ ଉନ୍ନତ ପ୍ରଦର୍ଶନ କରିଥିଲା। ଫଳସ୍ୱରୂପ ୪୫ ମିନିଟ୍‌ରେ କେନ୍‌ ରସେଲ୍‌ ଏକ ପେନାଲ୍‌ଟି କର୍ନରରୁ ଗୋଲ୍‌ କରି ବ୍ୟବଧାନ କମାଇଥିଲେ। ହେଲେ ଏହାର ୨ ମିନିଟ୍‌ ପରେ ମନ୍‌ଦୀପ୍‌ ସିଂହ (୪୭ ମିନିଟ୍‌)ଙ୍କ ଗୋଲ୍‌ ନ୍ୟୁଜିଲାଣ୍ଡ୍‌ର ଫାଇନାଲ୍‌ ଆଶା ଧୂଳିସାତ୍‌ କରିଦେଇଥିଲା। ଭାରତ ୩-୧ରେ ମ୍ୟାଚ୍‌ ଜିତି ନେଇଥିଲା। ଦଳର ପ୍ରଦର୍ଶନରେ ଭାରତୀୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ବୀରେନ୍ଦ୍ରଙ୍କ ୧୫୦

Advertisment

publive-image
ଭୁବନେଶ୍ୱର: ନ୍ୟୁଜିଲାଣ୍ଡରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ପ୍ରତିଯୋଗିତାରେ ଶନିବାର ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ରାଉଣ୍ଡ ରିବନ ମ୍ୟାଚ୍‌ରେ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ୧୫୦ ମ୍ୟାଚ୍‌ ଖେଳିବାର ମାଇଲଖୁଣ୍ଟ ଛୁଇଁଛନ୍ତି। ଏହି ମୁକାବିଲାରେ ଭାରତ ୩-୧ରେ ବିଜୟୀ ହୋଇଥିବାରୁ ତାଙ୍କ ୧୫୦ତମ ମ୍ୟାଚ୍‌ ସବୁଦିନ ପାଇଁ ସ୍ମରଣୀୟ ହୋଇ ଯାଇଛି। ଭାରତୀୟ ରକ୍ଷଣଭାଗର ଅନ୍ୟତମ ପ୍ରମୁଖ ସଦସ୍ୟ ବୀରେନ୍ଦ୍ର ୨୦୧୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ସେବେଠାରୁ ଭାରତୀୟ ହକି ଦଳର ନିୟମିତ ସଦସ୍ୟ ରହି ଆସିଛନ୍ତି। ଭାରତର ଅନେକ ବିଜୟରେ ସେ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି। ୨୦୧୪ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଦଳ ସହ ୨୦୧୫ ବିଶ୍ୱ ହକି ଲିଗ୍‌ ଫାଇନାଲରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ବୀରେନ୍ଦ୍ର ସଦସ୍ୟ ଥିଲେ। ତା ଛଡ଼ା ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ଏବଂ ୨୦୧୨ ସୁଲତାନ ଆଜଲାନ ସାହା ହକିରେ କାଂସ୍ୟ ପଦକ ଜିତି ସେ ଓଡ଼ିଶା ସହ ଭାରତକୁ ଗର୍ବିତ କରିଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଖେଳି ସେ ଦୀଲିପ ତିର୍କି ଏବଂ ଲାଜରୁସ ବାର୍ଲାଙ୍କ କ୍ଲବରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ବୀରେନ୍ଦ୍ର ୧୯୯୦ ମସିହା ଫେବ୍ରୁଆରି ୩ରେ ସୁନ୍ଦରଗଡ଼ ଜିଲ୍ଲର ଲାଚଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଗତବର୍ଷ ସେ ଏକ ପୁତ୍ର ସନ୍ତାନର ପିତା ହୋଇଥିଲେ। ହକି ଇଣ୍ଡିଆ ଲିଗରେ ସେ ରାଞ୍ଚି ରାଇନୋଜ୍‌ ଏବଂ ରାଞ୍ଚି ରେଜ୍‌ ଦଳରୁ ଖେଳିଥିଲେ।