ସଲାଲା (ଓମାନ୍) : ଚଳିତ କନିଷ୍ଠ ଏସିଆ କପ୍ ହକି ପ୍ରତିଯୋଗିତାର ଫାଇନାଲ୍ରେ ପ୍ରଥମ ଦଳ ଭାବେ ଭାରତ ପ୍ରବେଶ କରିଛି। ଷଷ୍ଠ ଥର ଲାଗି ଭାରତର ଏହା ଫାଇନାଲ୍ ପ୍ରବେଶ। ପୂର୍ବରୁ ଭାରତ ୩ ଥର ବିଜେତା ଏବଂ ୨ ଥର ଉପବିଜେତା ହୋଇଥିଲା। ବୁଧବାର ସେମିଫାଇନାଲ୍ରେ ବବି ସିଂହ ଧାମିଙ୍କ ହ୍ୟାଟ୍ରିକ୍ ବଳରେ ଭାରତ ୯-୧ ଗୋଲ୍ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ମ୍ୟାଚ୍ର ୧୩ତମ ମିନିଟ୍ରେ ଓଡ଼ିଆ ପୁଅ ସୁନିତ ଲାକ୍ରାଙ୍କ ଫିଲ୍ଡ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହା ପରେ ଅର୍ଜିତ ସିଂହ ହୁଣ୍ଡାଲ (୧୯ ମିନିଟ୍) ଗୋଲ୍ ଦେଇ ପ୍ରଥମାର୍ଦ୍ଧରେ ଭାରତକୁ ୨-୦ରେ ଆଗୁଆ ରଖିଥିଲେ।
ତୃତୀୟ କ୍ବାର୍ଟରରେ ଭାରତୀୟ ଖେଳାଳି ଆକ୍ରମଣକୁ ଜୋରଦାର୍ କରି ୪ଟି ଫିଲ୍ଡ ଗୋଲ୍ ଲଦି ଦେଇଥିଲେ। ବବି (୩୧, ୩୯ ମିନିଟ୍), ଅଙ୍ଗଦ ବୀର ସିଂହ (୩୪ ମିନିଟ୍) ଓ ଅଧିନାୟକ ଉତ୍ତମ ସିଂହ (୩୮ ମିନିଟ୍) ଏହି ଗୋଲ୍ ଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ବିଷ୍ଣୁକାନ୍ତ ସିଂହ (୫୧ ମିନିଟ୍), ବବି (୫୫ ମିନିଟ୍) ଓ ଶାରଦା ନନ୍ଦ ତିୱାରୀ (୫୭ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ୪୬ତମ ମିନିଟ୍ରେ କୋରିଆର କିଓନିଓଲ ୱାଙ୍ଗ ଗୋଟିଏ ଗୋଲ୍ ଶୁଝିଥିଲେ।