ସଡ଼କ ସୁରକ୍ଷା ବିଶ୍ବ ଶୃଙ୍ଖଳା ଫାଇନାଲ୍‌ରେ ଭାରତ

ରାୟପୁର: ଇଣ୍ଡିଆ ଲିଜେଣ୍ଡ୍ସ ଏଠାରେ ଚାଲିଥିବା ସଡ଼କ ସୁରକ୍ଷା ବିଶ୍ବ ସିରିଜ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ସେମିଫାଇନାଲ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନେତୃତ୍ବାଧୀନ ଏହି ଦଳ ୧୨ ରନ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌ ‌ଲିଜେଣ୍ଡ୍ସକୁ ପରାସ୍ତ କରିଛି। ବିଗତ ଦିନର ତଥା ଅବସରପ୍ରାପ୍ତ ଖେଳାଳିଙ୍କୁ ନେଇ ଆୟୋଜିତ ହେଉଥିବା ଏହି ନିଆରା କ୍ରିକେଟ୍‌ ଲିଗ୍‌ର ବୁଧବାର ମ୍ୟାଚ୍‌ରେ ସଚିନଙ୍କ ୪୨ ବଲ୍ ୬୫ (୬ ଚୌକା, ୩ ଛକା) ଓ ଯୁବରାଜ ସିଂହଙ୍କ ୨୦ ବଲ୍ ବିସ୍ଫୋରକ ୪୯* (୧ ଚୌକା, ୬ ଛକା) ସହ ୟୁସୁଫ ପଠାନଙ୍କ ୩୭ (୨୦ ବଲ୍, ୨ ଚୌକା, ୨ ଛକା) ଓ ବୀରେନ୍ଦ୍ର ସେହବାଗଙ୍କ ଦ୍ରୁତ ୩୫ ରନ୍ (୧୭ ବଲ୍, ୫ ଚୌକା, ୧ ଛକା) ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୧୮ ରନ୍ କରିଥିଲା ଇଣ୍ଡିଆ ଲିଜେଣ୍ଡ୍ସ।

ଏହାର ଜବାବରେ ଇଣ୍ଡିଜ୍‌ ଲିଜେଣ୍ଡ୍ସ ଦଳ ୬ ୱିକେଟ୍‌ ହରାଇ ୨୦୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଡ୍ବେନ୍‌ ସ୍ମିଥ୍‌ ୬୩ (୩୬ ବଲ୍‌, ୯ ଚୌକା, ୨ ଛକା), ନରସିଂହ ଦେଓନାରାୟଣ ୫୯ (୪୪ ବଲ୍‌, ୫ ଚୌକା, ୨ ଛକା) ଓ ଅଧିନାୟକ ବ୍ରାଏନ ଲାରା ୪୬ (୨୮ ବଲ୍‌, ୪ ଚୌକା, ୨ ଛକା) ରନ୍‌ ଲଢ଼ିଥିଲେ ମଧ୍ୟ ଦଳକୁ ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର