ବେଙ୍ଗାଲୁରୁ : ଭାରତୀୟ ଫୁଟ୍‌ବଲ୍‌ ଦଳ ଏଠାରେ ଚାଲିଥିବା ସାଫ୍‌ କପ୍‌ର ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି। ଗ୍ରୁପ୍‌-ଏ’ର ନିଜର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଥିବା ଭାରତ ଶନିବାର ଦ୍ବିତୀୟ ମ୍ୟାଚ୍‌ରେ ନେପାଳକୁ ୨-୦ ଗୋଲ୍‌ରେ ମାତ୍‌ ଦେଇଛି। ଫଳରେ ଏହି ଦଳ ୨ରୁ ୨ ବିଜୟ ପାଇ ଟେବୁଲରେ କୁଏତ ସହ ଯୁଗ୍ମ ଶୀର୍ଷ ସ୍ଥାନ ଦଖଲ କରି ଗୋଟିଏ ମ୍ୟାଚ୍‌ ପୂର୍ବରୁ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛି। ସ୍ଥାନୀୟ ଶ୍ରୀ କାନ୍ତୀରଭା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ମହେଶ ନାଓରେମ ସିଂହଙ୍କ ପାସ୍‌କୁ ଅଧିନାୟକ ସୁନୀଲ ଛେତ୍ରୀ (୬୧ ମିନିଟ୍‌) ଗୋଲ୍‌ରେ ପରିଣତ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ଏଥିସହ ‌ଛେତ୍ରୀ ନିଜ ଅନ୍ତର୍ଜାତୀୟ ଗୋଲ୍‌ ସଂଖ୍ୟାକୁ ୯୧ରେ ପହଞ୍ଚାଇଥିଲେ। ୭୦ତମ ମିନିଟ୍‌ରେ ଛେତ୍ରୀଙ୍କ ପାସ୍‌କୁ ‌ନ‌ାଓରେମ ଗୋଲ୍‌ ଦେଇ ସ୍ଥିତି ୨-୦ କରିଥିଲେ। ଏହି ଗ୍ରୁପ୍‌ରେ ଥିବା ନେପାଳ ଓ ‌ପାକିସ୍ତାନ ବିଜୟ ଶୂନ୍ୟ ରହି ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି।