କେପ୍ଟାଉନ୍: ଗ୍ରୁପ୍-୨ରୁ ଇଂଲଣ୍ଡ ପରେ ଭାରତ ଦ୍ବିତୀୟ ଦଳ ଭାବେ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ର ସେମିଫାଇନାଲ୍ରେ ପ୍ରବେଶ କରିଛି। ସୋମବାର ଭାରତ ଖେଳିଥିବା ଶେଷ ମ୍ୟାଚ୍ରେ ଆୟର୍ଲାଣ୍ଡକୁ ୫ ରନ୍ (ଡିଏଲ୍ଏସ୍)ରେ ହରାଇବା ପରେ ଲଗାତାର ତୃତୀୟ ଥର ପାଇଁ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏଥିପୂର୍ବରୁ ୨୦୧୮ ଓ ୨୦୨୦ରେ ଭାରତ ସେମିଫାଇନାଲ୍କୁ ଯାଇଥିଲା ବେଳେ ଗତ ସଂସ୍କରଣରେ ଉପବିଜେତା ହୋଇଥିଲା। ଭାରତ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଗୁରୁବାର ଭେଟିବ।
ବର୍ଷା ବାଧାପ୍ରାପ୍ତ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା ବେଳେ ସ୍ମୃତି ମନ୍ଧାନାଙ୍କ ଦ୍ରୁତ ୮୭ ରନ୍ ବଳରେ ୬ ୱିକେଟ୍ ବିନିମୟରେ ୧୫୫ ରନ୍ ସଂଗ୍ରହ କରିଥିଲା। ପ୍ରଥମେ ଶେଫାଳି ବର୍ମା (୨୪)ଙ୍କ ସହ ମିଶି ୬୨ ରନ୍ର ମଜବୁତ୍ ମୂଳଦୁଆ ପକାଇବା ପରେ ଅଧିନାୟିକା ହର୍ମନପ୍ରୀତ୍ଙ୍କ ସହ ୫୨ ରନ୍ର ଆଉ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏପରିକି ୪୦ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିବା ପରେ ସ୍ମୃତି ଅଧିକ ଆକ୍ରମଣାତ୍ମକ ହୋଇଥିଲେ। ପରବର୍ତ୍ତୀ ୩୭ ରନ୍ ପାଇଁ ୧୬ ବଲ୍ ଖେଳିଥିଲେ। ଟ୍ବେଣ୍ଟି-୨୦ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ପରେ ମନ୍ଧାନା ପ୍ରଥମ ଶତକ ଆଡ଼କୁ ଅଗ୍ରସର ହୋଇଥିଲେ ବି ୧୮.୪ ଓଭର ବେଳକୁ ଅଫ୍ ସାଇଡ୍ ବାହାରକୁ ପଡୁଥିବା ବଲ୍କୁ ଲଙ୍ଗ ଅଫ୍କୁ ଛକା ମାରିବାକୁ ଯାଇଥିଲେ। ହେଲେ ବାଉଣ୍ଡରୀ ପାଖରେ ଓର୍ଲା ପ୍ରେଣ୍ଡରଗାଷ୍ଟଙ୍କ ହାତରେ ଧରାପଡ଼ିଯାଇଥିଲେ।
ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆୟର୍ଲାଣ୍ଡ ପ୍ରଥମ ବଲ୍ରେ ୱିକେଟ୍ ହରାଇଥିଲା। ରେଣୁକା ସିଂହଙ୍କ ପ୍ରଥମ ବଲ୍ରେ ଏମି ହଣ୍ଟର କଭର୍କୁ ସଟ୍ ମାରି ଦୁଇ ରନ୍ ପାଇଁ ଦୌଡ଼ୁଥିଲା ବେଳେ ରଡ୍ରିଗୁଏଜଙ୍କ ଥ୍ରୋରେ ରନ୍ ଆଉଟ୍ ହୋଇଥିଲେ। ସେହିପରି ପଞ୍ଚମ ବଲ୍ରେ ଅଫ୍ସାଇଡ୍ରେ ପଡ଼ିଥିବା ଲେନ୍ଥ ବଲ୍କୁ ପ୍ରେଣ୍ଡରଗାଷ୍ଟ ଅଫ୍ସାଇଡ୍ରେ ମାରିବାକୁ ପ୍ରୟାସ କରୁଥିଲା ବେଳେ ବଲ୍ ସିଧା ଷ୍ଟମ୍ପ୍ସରେ ବାଜିଥିଲା। ପ୍ରଥମ ଓଭରରେ ଦୁଇ ୱିକେଟ୍ ହରାଇଥିଲେ ବି ଆୟର୍ଲାଣ୍ଡ ସୁବିଧାରେ ରନ୍ ବାହାର କରିପାରୁଥିଲେ। କିନ୍ତୁ ୮.୨ ଓଭର ବେଳକୁ ୫୪/୨ ସ୍କୋର ହୋଇଥିଲା ବେଳେ ବର୍ଷା ହେବାରୁ ଖେଳକୁ ବନ୍ଦ କରାଯାଇଥିଲା। ବର୍ଷା ନଛାଡ଼ିବାରୁ ଡିଏଲ୍ଏସ୍ ଅନୁଯାୟୀ ଆୟର୍ଲାଣ୍ଡ ଆଉ ୫ ରନ୍ ପଛୁଆ ଥିଲା। ଫଳରେ ଭାରତକୁ ମ୍ୟାଚ୍ ଜିତାଇବାରେ ବର୍ଷା ବଡ଼ ଭୂମିକା ନେଇଥିଲା।