ଉବେର କପ୍‌ କ୍ବାର୍ଟର ଫାଇନାଲ୍‌ରେ ଭାରତ

ବ୍ୟାଙ୍କକ୍‌: ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ ଦଳ ଏଠାରେ ଚାଲିଥିବା‌ ଥୋମାସ୍‌ କପ୍‌ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ସାରିଥିଲା ବେଳେ ମହିଳା ଦଳ ମଧ୍ୟ ଉବେର କପ୍‌ କ୍ବାର୍ଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛି। ଗ୍ରୁପ୍‌-ଡି’ରେ ସ୍ଥାନ ପାଇଥିବା ଭାରତୀୟ ମହିଳା ଦଳ ପ୍ରଥମ ମୁକାବିଲାରେ କାନାଡାକୁ ୪-୧ରେ ହରାଇବା ପରେ ମଙ୍ଗଳବାର ଆମେରିକାକୁ ୪-୧ରେ ପରାସ୍ତ କରି କ୍ରମାଗତ ଦ୍ବିତୀୟ ବିଜୟ ସହ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପିଭି ସିନ୍ଧୁ ପୁଣି ଥରେ ଭାରତକୁ ଅଗ୍ରଣୀ ଦେଇଥିଲେ। ସେ ଏକକରେ ଆମେରିକାର ଜେନି ଗାଇଙ୍କୁ ୨୧-୧୦, ୨୧-୧୧ରେ ପରାସ୍ତ କରିବା ପରେ ଯୁଗଳ ଯୋଡ଼ି ତନୀଷା କ୍ରାଷ୍ଟୋ-ତ୍ରିଶା ଜୋଲି ୨୧-୧୯ ଓ ୨୧-୧୦ରେ ଫ୍ରାନ୍‌ସେସ୍କା କୋର୍ବେଟ-ଆଲିସନ ଲି’ଙ୍କୁ ପରାସ୍ତ କରିଥିଲେ। ଏହାପରେ ଆକର୍ଷି କାଶ୍ୟପ ଦ୍ବିତୀୟ ଏକକରେ ଇଷ୍ଟେର ସି’ଙ୍କୁ ୨୧-୧୮ ଓ ୨୧-୧୧ରେ ପରାସ୍ତ କରି ଭାରତକୁ ୩-୧ରେ ଆଗୁଆ ରଖିଥିଲେ। ହେଲେ ଦ୍ବିତୀୟ ଯୁଗଳ ମୁକାବିଲାରେ ଯୁବ ତାରକା ସିମ୍ରନ ସିଂଘି-ଋତିତା ଥାକେର ୧୨-୨୧, ୨୧-୧୭ ଓ ୧୩-୨୧ରେ ଲୌରେନ ଲାମ-କୋଡି ଟାଙ୍ଗ୍‌ ଲି’ଙ୍କ ନିକଟରୁ ହାରିଯିବାରୁ ସ୍ଥିତି ୩-୧ ହୋଇଥିଲା। ମାତ୍ର ଶେଷ ମ୍ୟାଚ୍‌ରେ ଅସ୍ମିତା ଚାଲିହା ୨୧-୧୮, ୨୧-୧୩ରେ ନାତାଲି ଚି’ଙ୍କୁ ପରାସ୍ତ କରି ଭାରତକୁ ୪-୧ର ସହଜ ବିଜୟ ଭେଟି ଦେଇଥିଲେ। ଉବେର କପ୍‌ରେ ଅତୀତରେ ଦୁଇଟି କାଂସ୍ୟ ପଦକ ଜିତିଥିବା ଭାରତୀୟ ମହିଳା ଦଳ ବୁଧବାର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ କୋରିଆକୁ ଭେଟିବ।

ସମ୍ବନ୍ଧିତ ଖବର