ଉବେର୍ କପ୍ କ୍ବାର୍ଟରରେ ଭାରତ

ଆରହସ (ଡେନମାର୍କ), ୧୨ା୧୦: ଭାରତୀୟ ବ୍ୟାଡ଼ମିଣ୍ଟନ୍ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ କାରଣରୁ ମହିଳା ଦଳ ଚଳିତ ଉବେର କପ୍‌ର କ୍ବାର୍ଟରଫାଇନାଲକୁ ଉନ୍ନୀତ ହୋଇଛି। ମଙ୍ଗଳବାର ଭାରତ ୪-୧ରେ ସ୍କଟଲାଣ୍ଡକୁ ହରାଇ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଥିଲା। ଦୁଇ ମୁକାବିଲାରୁ ଦୁଇ ବିଜୟ ସହ ଭାରତ ଏବେ ଗ୍ରୁପ୍‌ ‘ବି’ରେ ଦ୍ବିତୀୟ ସ୍ଥାନ‌େରେ ରହିଛି। ପୂର୍ବରୁ ରବିବାର ଭାରତ ୩-୨ରେ ସ୍ପେନ୍‌କୁ ପରାସ୍ତ କରିଥିଲା। ସାଇନା‌ ନେହ୍ବାଲଙ୍କ ଅନୁପସ୍ଥିତିରେ ଭାରତର କ୍ବାର୍ଟରଫାଇନାଲ୍ ପ୍ରବେଶ ଭାରତୀୟ ଦଳର ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ସାମର୍ଥ୍ୟକୁ ଦର୍ଶାଉଛି।

ମଙ୍ଗଳବାର ମାଳବିକା ବନସୁଦ୍‌ଙ୍କୁ କ୍ରିଷ୍ଟି ଗିଲମୋର୍‌ ୧୩-୨୧, ୯-୨୧ରେ ହରାଇ ଦେଇଥିଲେ ମଧ୍ୟ ଅଦିତି ଭଟ୍ଟ ୨୧-୧୪, ୨୧-୮ରେ ରାଚେଲ୍‌ ସୁଗଡେନଙ୍କୁ ହରାଇ ସ୍ଥିତି ବରାବର କରି ଦେଇଥିଲେ। ଏହା ପରେ ଯୁଗଳ ବର୍ଗରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡାଙ୍କୁ ସାଥୀ କରି ଖେଳୁଥିବା ତାନିଶା କ୍ରାଷ୍ଟୋ ୨୧-୧୧, ୨୧-୮ରେ ଜୁଲି ମ୍ୟାଚପରସନ୍‌ ଓ କାଏରା ଟରେନ୍ସଙ୍କୁ ହରାଇ ଭାରତକୁ ୨-୧ରେ ଆଗୁଆ କରାଇଥିଲେ। ରିଭର୍ସ ସିଙ୍ଗଲ୍ସରେ ତନସିମ୍‌ ମୀର ୨୧-୧୫, ୨୧-୬ରେ ‌ଲୌରେନ୍‌ ମିଡଲଟନ୍‌ଙ୍କୁ ହରାଇ ଭାରତକୁ ବିଜୟୀ କରାଇଥିଲେ। ତଥାପି ରଭର୍ସ ଯୁଗଳ ବର୍ଗରେ ଭାରତୀୟ ଯୁବ ଯୋଡ଼ି ତ୍ରୀଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ (ପୁଲେଲା ଗୋପୀଚାନ୍ଦଙ୍କ କନ୍ୟା) ୨୧-୮, ୧୯-୨୧, ୨୧-୧୦ରେ କ୍ରିଷ୍ଟି ‌ଗିଲମୋର୍‌-ଏଲିନର୍‌ ଓ’ଡନେଲ୍‌ଙ୍କୁ ହରାଇ ଭାରତକୁ ୪-୧ରେ ଏକତରଫା ବିଜୟ ଦେଇଥିଲେ। ଭାରତ ବୁଧବାର ଶକ୍ତିଶାଳୀ ଥାଇଲାଣ୍ଡ୍‌କୁ ଭେଟିବ। ସୂଚନାଯୋଗ୍ୟ, ଉବେର କପ୍‌ରେ ଭାରତ ପୂର୍ବରୁ ମାତ୍ର ଦୁଇ ଥର (୨୦୧୪-ନୂଆଦିଲ୍ଲୀ ଓ ୨୦୧୬-କୁନସାନ୍‌) ସେମିଫାଇନାଲ୍ ଖେଳିଛି।

ସମ୍ବନ୍ଧିତ ଖବର