ବେନୋନି : ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ ବର୍ଷରୁ କମ ପୁରୁଷ ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି ଭାରତ । ମଙ୍ଗଳବାର ଅନୁଷ୍ଠିତ ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୨ ଓ୍ବିକେଟରେ ପରାସ୍ତ କରିବା ପରେ ଫାଇନାଲରେ ପ୍ରବେଶ କରିଛି ।
ଏହି ମ୍ୟାଚରେ ଭାରତୀୟ ଦଳ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୪୪ରନ କରିଥିଲା । ଦଳ ପକ୍ଷରୁ ଲୁହାନ-ଡ୍ରେ-ପ୍ରେଟୋରିଅସ ୭୬ ରନ କରିଥିବାବେଳେ ରିଚାର୍ଡ ସେଲେଷ୍ଟଓ୍ବାନେ ୬୪ ରନ, ଜୁଆନ ଜେମ୍ସ ୨୪ରନ ଓ ଟ୍ରିସାନ ଲୁସ୍ ୨୩ ରନ କରିଥିଲେ ।
୨୪୫ ରନର ଲକ୍ଷ୍ୟର ପିଛାକରିଥିବା ଭାରତ ଆରମ୍ଭରୁ କେତୋଟି ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ମାତ୍ର ୩୨ରନରେ ୪ଟି ଓ୍ବିକେଟ ହରାଇଥିଲା । ତେବେ ଉଦୟ ସାହାରନ ଓ ସଚିନ ଧାସଙ୍କ ମଧ୍ୟରେ ଏକ ବଡ଼ ପାର୍ଟନରସିପ ହେବା ପରେ ଖେଳ ଭାରତ ପଟକୁ ଢଳିବା ଆରମ୍ଭ କରିଥିଲା । ସାହାରନ ୮୧ ରନ କରିଥିବା ବେଳେ ଧାସ ୯୬ ରନ କରିଥିଲେ । ଭାରତ ୪୮.୫ ତମ ଓଭରରେ ୮ଟି ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା ।