ଭାରତ-ଇଣ୍ଡିଜ୍ ‌ଟ୍ବେଣ୍ଟି-୨୦ ଶୃଙ୍ଖଳା ଆଜିଠୁ

ବିଶ୍ବକପ୍ ଦଳ ଗଠନ ଉପରେ ଗୁରୁତ୍ବ

କୋଲକାତା : ମାତ୍ର ୮ ମାସ ପରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି ଭାରତୀୟ ସୀମିତ ଓଭର କ୍ରିକେଟ୍ ଦଳ। ସେଥିପାଇଁ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ଏବେଠୁ ତା’ର ସନ୍ତୁଳନକୁ ସଜାଡ଼ିବା ଆରମ୍ଭ କରିଛି। ଆଉ ସେଥିପାଇଁ ବୁଧବାରଠାରୁ କୋଲକାତାରେ ଆରମ୍ଭ ‌ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ତା’ ପାଇଁ ଏକ ଭଲ ମଞ୍ଚ ହେବାକୁ ଯାଉଛି। ୟୁଏଇରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗତ ସଂସ୍କରଣରେ ଫେଭରିଟ୍ ଆଖ୍ୟା ପାଇଥିଲେ ମଧ୍ୟ ଭାରତୀୟ ଦଳ ଅପ୍ରତ୍ୟାଶିତ ଭାବେ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଫଳରେ ସେତେବେଳର ବିରାଟ କୋହଲିଙ୍କ ଦଳରେ ଥିବା ଦୋଷ ଦୁର୍ବଳତା ଏବଂ ତ୍ରୁଟି ପଦାରେ ପଡ଼ିଥିଲା। ଏଥର ସେହି ଭୁଲ ସୁଧାରି ଦ୍ବିତୀୟ ଥର ବିଶ୍ବକପ୍ ତୋଳି ଧରିବା ଅଭିଯାନରେ ରହିଛି ଭାରତ। ରୋହିତଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚଟି ଆଇପିଏଲ୍ ଟ୍ରଫି ଜିତିଥିବାରୁ ଜାତୀୟ ଦଳ ମଧ୍ୟ ୨୦୦୭ ପରେ ଆଉଥରେ ଟ୍ବେଣ୍ଟି-୨୦ ବିଶ୍ବବିଜେତା ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ସେହିଭଳି ଦିନିକିଆ ଭଳି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ମୂଳପୋଛ ବିଜୟ ହାସଲ କରିବ ବୋଲି ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି।

ଚହଲଙ୍କ ପାଇଁ ବିଶ୍ବକୀର୍ତ୍ତିମାନ ସୁଯୋଗ
ସାଂପ୍ରତିକ ଭାରତୀୟ ଟ୍ବେଣ୍ଟି-୨୦ ଦଳର ୧୦ ଜଣ ଖେଳାଳି ଆଇପିଏଲ୍‌ରେ ଆଖିଖୋସି ହେଲା ଭଳି ଦଳରେ ବିକ୍ରି ହୋଇଛନ୍ତି। ଏଣୁ ଏହି ସିରିଜ୍‌ରେ ସମସ୍ତଙ୍କ ନଜର ସେମାନଙ୍କ ଉପରେ ରହିବ। କେଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ବୁଧବାର ଇଣ୍ଡିଜ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ରୋହିତଙ୍କ ସହ ଋତୁରାଜ ଗାଏକ୍ବାଡ୍ କିମ୍ବା ଈଶାନ କିଶନଙ୍କ ମଧ୍ୟରୁ ଜଣେ ପାଳି ଆରମ୍ଭ କରିବେ। ମଧ୍ୟକ୍ରମରେ ସୂର୍ଯକୁମାର ଯାଦବ ଏବଂ ଶ୍ରେୟସ୍ ଆୟର ଏକାଠି ଖେଳିବାର ସୁଯୋଗ ବି ରହିବ। ନିମ୍ନକ୍ରମରେ ଦୀପକ ଚହର, ଶାର୍ଦୁଳ ଠାକୁର ଓ ହର୍ଷଲ ପଟେଲ ଭଲ ବୋଲିଂ ସହ ବିସ୍ଫୋରକ ବ୍ୟାଟିଂ ମଧ୍ୟ କରିପାରନ୍ତି। ଦିନିକିଆ ଶୃଙ୍ଖଳାରେ ପ୍ରଭାବୀ ପ୍ରଦର୍ଶନ କରିବା ପରେ ୟୁଜବେନ୍ଦ୍ର ଚହଲ ରୋହିତଙ୍କ ପ୍ରଥମ ପସନ୍ଦର ସ୍ପିନର ହେବେ। ୱା‌ସିଂଟନ୍ ସୁନ୍ଦର ଆହତ ହୋଇ ଏହି ଶୃଙ୍ଖଳାରୁ ବାଦ୍ ପଡ଼ିଥିବାରୁ ତାଙ୍କ ସ୍ଥାନ କିଏ ନେବ? ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। କଚଟୀ ସ୍ପିନର କୁଲଦୀପ ଯାଦବ କିମ୍ବା ରାଜସ୍ଥାନ ସ୍ପିନର ରବି ବିଷ୍ଣୋଇ ତାଙ୍କ ବିଳଳ୍ପ ହୋଇପାରିବେ। ରୋହିତ ଯଦି କୁଲଦୀପଙ୍କୁ ଚୂଡ଼ାନ୍ତ ଏକାଦଶରେ ନିଅନ୍ତି, ତହେ‌ଲେ ଦୀର୍ଘ ଦିନ ପରେ ପୁରୁଣା ଯୋଡ଼ି କୁଲଚା (କୁଲଦୀପ ଓ ଚହଲ) ଏକାଠି ବୋଲିଂ କରୁଥିବାର ଦେଖିବାକୁ ମିଳିବେ। ବ୍ୟକ୍ତିଗତ ଭାବେ ଆଉ ୩ ୱିକେଟ୍ ନେଲେ ଚହଲ ସାଥୀ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ଟପି ଟ୍ବେଣ୍ଟି-୨୦ର ସର୍ବାଧିକ ୱିକେଟ୍ ହାସଲକାରୀ ହୋଇପାରିବେ।
ସେପଟେ ଦିନିକିଆ ଶୃଙ୍ଖଳାକୁ ୦-୩ରେ ହାରିଥିବା ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ରେ ତାର ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଛୋଟ ଫର୍ମାଟ୍ ମଧ୍ୟ ଏହି ଦଳକୁ ପୂରା ସୁହାଇବ। ଭାରତ ଆସିବା ପୂର୍ବରୁ ଖେଳିଥିବା ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ମଧ୍ୟ ରୋମାଞ୍ଚକର ଭାବେ ୩-୨ରେ ଜିତିଥିଲା ଇଣ୍ଡିଜ୍। ଭାରତ ବିପକ୍ଷ ଶେଷ ଦୁଇ ଦିନିକିଆ ଖେଳିପାରି ନଥିବା ଅଧିନାୟକ କିରଣ ପୋଲାର୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଫେରିବାର ଶତପ୍ରତିଶତ ସମ୍ଭାବନା ଥିବାରୁ ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ।

NDTV Sports

ଫେରିବେ ଦର୍ଶକ
ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ଶୃଙ୍ଖଳା ବିନା ଦର୍ଶକରେ ଖେଳାଯାଇଥିଲା। ହେଲେ ଏହି ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ପଶ୍ଚିମବଙ୍ଗ ସରକାର ୭୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଏଣୁ ଏହି ଶୃଙ୍ଖଳାରେ ଐତିହାସିକ ଇଡେନ୍ ଗାର୍ଡେନ୍ସ ପଡ଼ିଆ ବେଶ୍ ଚଳଚଞ୍ଚଳ ରହିବ। ଦର୍ଶକ ଦୀର୍ଘ ଦିନ ପରେ ଷ୍ଟାଡିୟମ୍‌କୁ ଫେରିବେ। ଖେଳାଳିମାନେ ମଧ୍ୟ ତାଙ୍କୁ ପାଖରେ ପାଇ ନିଜ ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବାକୁ ଚେଷ୍ଟା କରିବେ। ଉଭୟ ଦଳର ଖେଳାଳି ଭାରତୀୟ ଦର୍ଶକଙ୍କ ସମ୍ମୁଖରେ ନିଜ ନିଜର ଯାଦୁ ଦେଖାଇବାକୁ ପୂରା ବ୍ୟଗ୍ର ଅଛନ୍ତି।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ/ଋତୁରାଜ ଗାଏକ୍ବାଡ, ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର, ହର୍ଷଲ ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ, ଅଭେସ ଖାନ୍।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: କାଇଲ ମେୟର୍ସ, ବ୍ରାଣ୍ଡନ୍ କିଙ୍ଗ୍, ନିକୋଲାସ ପୂରନ, କିରଣ ପୋଲାର୍ଡ (ଅଧିନାୟକ), ରୋଭମନ ପାୱେଲ, ଜାସନ ହୋଲ୍ଡର, ରୋମାରିଓ ସେପାର୍ଡ, ଫାବିଏନ୍ ଆଲେନ୍, ଓଡେନ୍ ସ୍ମିଥ୍, ଅକିଲ ହୁସେନ, ‌ସେଲଡନ୍ କର୍ଟେଲ।

ବ୍ୟାଟିଂ କୌଶଳକୁ ଶାଣିତ କଲେ କୋହଲି
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ପୂର୍ବତନ ଅଧିନାୟକ ବିରାଟ କୋହଲି ଟ୍ବେଣ୍ଟି-୨୦ ଶୃଙ୍ଖଳା‌ରେ ନିଜ ଛାପ ଛାଡ଼ିବାକୁ ବ୍ୟାକୁଳ ଅଛନ୍ତି। ସେଥିପାଇଁ ଇଡେନ୍ ଗାର୍ଡେନ୍ସର ନେଟ୍ସରେ ଦୀର୍ଘ ସମୟ କଟାଇ ନିଜ ବ୍ୟାଟିଂ କୌଶଳକୁ ଆହୁରି ଶାଣିତ କରିବାରେ ଲାଗି ପଡ଼ିଛନ୍ତି। ନେଟ୍ ବୋଲରଙ୍କ ସହ ଥ୍ରୋ ଡାଉନ୍ ମେସିନର ସମ୍ମୁଖୀନ ହେଉଛନ୍ତି। ସୋମବାର ଦୀର୍ଘ ୪୫ ମିନିଟ୍ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ କୋହଲି। ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ମଧ୍ୟ କ୍ୟୁରେଟର ସୁଜନ ମୁଖାର୍ଜୀଙ୍କ ସହ ଢେର ସମୟ ପିଚ୍‌କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର