ଭାରତ ଏବେ ବ୍ୟାଡମିଣ୍ଟନ୍ ମହାଶକ୍ତି: ପାଦୁକୋନ

ସୋମେଶଙ୍କ କଟାକ୍ଷକୁ ଅମିତଙ୍କ ଗାଳି

ନୂଆଦିଲ୍ଲୀ: ‘‘ଭାରତର ଐତିହାସିକ ଥମାସ କପ୍ ବିଜୟ ଆମ କ୍ରୀଡ଼ା ଇତିହାସର ଯେକୌଣସି ବ୍ୟକ୍ତିଗତ ସଫଳତାଠାରୁ ନିଶ୍ଚିତ ଭାବେ ବହୁତ ବଡ଼। ଭାରତକୁ ଏଣିକି ବ୍ୟାଡମିଣ୍ଟନ୍ ମହାଶକ୍ତିର ସମ୍ମାନ ମିଳିବ। ଆଗାମୀ ସମୟରେ ଭାରତ ବିଶ୍ବରେ ଏକ ବ୍ୟାଡମିଣ୍ଟନ୍ ମହାଶକ୍ତି ଭାବେ ପରିଚିତ ହେବ।’’ ଭାରତୀୟ ପୁରୁଷର ଥମାସ କପ୍ ବିଜୟରେ ପ୍ରଥମ ପ୍ରତିକ୍ରିୟାରେ ବ୍ୟାଡମିଣ୍ଟନ୍ କିଂବଦନ୍ତି ତଥା ୧୯୮୦ ମସିହାରେ ପ୍ରଥମ ଭାରତୀୟ ଭାବେ ଅଲ୍‌ଇଂଲଣ୍ଡ ବିଜେତା ହୋଇଥିବା ପ୍ରକାଶ ପାଦୁକୋନ ଏହା କହିଛନ୍ତି। ୧୪ ଥର ବିଜେତା ଇଣ୍ଡୋନେସିଆକୁ ଏକତରଫା ଭାବେ ୩-୦ରେ ପରାସ୍ତ କରି ଭାରତ ବିଜେତା ହେବା ନେଇ ବେଶ୍ ଉଲ୍ଲସିତ ଥିବା ପାଦୁ କୋନ ଆହୁରି କହିଛନ୍ତି ଯେ ଏତେଶୀଘ୍ର ଏହି ଐତିହାସିକ ସଫଳତା ମିଳିବ ବୋଲି ମୁଁ କେବେବି ଆଶା କରି ନଥିଲି। ହୁଏତ ୮-୧୦ ବର୍ଷ ପରେ ଆମେ ଏଭଳି ବିରଳ ସଫଳତା ପାଇବା ବୋଲି ମୋର ବିଶ୍ବାସ ଥିଲା। ଏହି ବିଜୟ ଭାରତୀୟ ବ୍ୟାଡମିଣ୍ଟନ୍‌କୁ ନୂଆ ସ୍ତରକୁ ନେଇ ଯାଇଛି। ଏହା ସଂପୂର୍ଣ୍ଣ ଭାବେ ଦଳଗତ ବିଜୟ ଏବଂ ମାଇଲଖୁଣ୍ଟ ମୁହୂର୍ତ୍ତ। ଏହିଠାରୁ ଆମେ ଆଉ ପଛକୁ ଫେରି ଚାହିଁବା ଉଚିତ ନୁହେଁ। ସୂଚନାଯୋଗ୍ୟ ଯେ ୧୯୭୯ ମସିହାରେ ପାଦୁକୋନଙ୍କ ନେତୃତ୍ବରେ ହିଁ ଥମାସ କପ୍ ସେମିଫାଇନାଲ୍‌ରେ ଭାରତ ପ୍ରବେଶ କରିଥିଲା। ଦୀର୍ଘ ୪୨ ବର୍ଷ ପରେ ଏବର୍ଷ ପୁଣି ଥରେ ସେମିଫାଇନାଲ୍ ଖେଳି ପ୍ରଥମ ଥର ବିଜେତା ହେବାର ଗୌରବ ଅର୍ଜନ କରିଥିଲା।

ଭୁବନେଶ୍ବର: ସମଗ୍ର ଦେଶ ଭାରତୀୟ ବ୍ୟାଡମିଣ୍ଟନ୍ ଦଳର ଐତିହାସିକ ଥମାସ୍ କପ୍‌ ବିଜୟକୁ ନେଇ ଉଲ୍ଲସିତ ଥିବାବେଳେ କଳାହାଣ୍ଡି ଡିଆର୍‌ଡିଏ ପ୍ରକଳ୍ପ ଅଧିକାରୀ ତଥା ଆ‌ଇଏଏସ୍‌ ସୋମେଶ ଉପାଧ୍ୟାୟଙ୍କ ନିନ୍ଦନୀୟ ଟ୍ବିଟ୍‌ ଏବେ ଚର୍ଚ୍ଚାରେ ରହିଛି। ବ୍ୟାଙ୍କକ୍‌ରେ ଭାରତ ଫାଇନାଲ୍‌ରେ ୧୪ଥର ବିଜେତା ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ୭୩ ବର୍ଷର ଥମାସ କପ୍‌ ଇତିହାସରେ ପ୍ରଥମ ଥର ବିଜେତା ହୋଇଥିଲା। ସୋମେଶ ତାଙ୍କ ଟ୍ବିଟ୍‌ରେ ଲେଖିଥିଲେ ‘‘ବ୍ୟାଡମିଣ୍ଟନ୍‌ରେ ଭାରତ କିଭଳି ଏତେ ଉନ୍ନତ ଖେଳିଲା ଏହା ଇଣ୍ଡୋ‌ନେସୀୟଙ୍କୁ ନିଶ୍ଚିତ ଚକିତ କରିଥିବ’’। ସୋମେଶ କିନ୍ତୁ ଏଥି ସହ ସଂଯୋଗ କରିଥିବା ଫଟୋରେ ବ୍ୟାଡମିଣ୍ଟନ ରୢାକେଟ୍‌ ବଦଳରେ ଏକ ମଶାମରା ରୢାକେଟ୍‌ର ଫଟୋ ସଂଯୋଗ କରିଥିଲେ। ଏହି ଖରାପ କାରଣରୁ ବ୍ୟାଡମିଣ୍ଟନ୍‌ ପ୍ରଶଂସକମାନେ ସୋମେଶଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି। ସମସ୍ତଙ୍କଠାରୁ ଅଧିକ ଗାଳି ଦେଇଥିଲେ ଭାରତୀୟ କ୍ରିକେଟର୍‌ ଅମିତ ମିଶ୍ର। ଅମିତ ଏକ ଟ୍ବିଟ୍‌ କରି କହିଥିଲେ ‘ଏହା କେବଳ ଅରୁଚିକର ନୁହେଁ, ବରଂ ଆମ ବ୍ୟାଡମିଣ୍ଟନ୍‌ ନାୟକମାନଙ୍କ ପ୍ରତି ଅସମ୍ମାନ’। ଦେଶ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କ ପ୍ରତି ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଏଭଳି ଟିପ୍ପଣୀ ଗ୍ରହଣୀୟ ନୁହେଁ ବୋଲି ଡକ୍ଟର ପଲକ ସିଂହ ନାମକ ଜଣେ ବ୍ୟକ୍ତି ଉଲ୍ଲେଖ କରିଥିଲେ। ୟୁପିଏସ୍‌ସି ଏବେ ନିଜ ସ୍ତରକୁ ବଢ଼ାଇବା ଉଚିତ ‌ବୋଲି ଅନ୍ୟଜଣେ ଟ୍ବିଟରାଇଟ୍ ଲେଖିଥିଲେ। ଏହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ନିନ୍ଦନୀୟ ବୋଲି ଲେଖି ଅନେକ ସୋମେଶଙ୍କୁ ଗାଳି ଦେଇଥିଲେ। ଦୁଇ ଦିନ ବିତିଯାଇଥିଲେ ମଧ୍ୟ ସୋମେଶ ନିଜ ଟ୍ବିଟ୍‌ ହଟାଇବା କିମ୍ବା କ୍ଷମା ନମାଗିବାକୁ ଅନ୍ୟତମ ଅପରାଧ ବୋଲି ବିବେଚନା କରାଯାଉଛି।

ସମ୍ବନ୍ଧିତ ଖବର