ଶୃଙ୍ଖଳା ମୂଳପୋଛ ସହ ଭାରତ ଏକ ନମ୍ବର, ନ୍ୟୁଜିଲାଣ୍ଡ ୯୦ ରନ୍‌ରେ ହାରିଲା

ଇନ୍ଦୋର: ବର୍ଷର ପ୍ରଥମ ମାସରେ ଭାରତ ଲଗାତାର ଦ୍ବିତୀୟ ଶୃଙ୍ଖଳା ମୂଳପୋଛ (୩-୦) ବିଜୟ ହାସଲ କରିଛି। ପ୍ରଥମେ ଶ୍ରୀଲଙ୍କାକୁ ହରାଇବା ପରେ ଏବେ ନ୍ୟୁଜିଲାଣ୍ଡକୁ ମଧ୍ୟ ମୂଳପୋଛ କରିଦେଇଛି। ଦ୍ବିତୀୟ ମ୍ୟାଚ୍‌ ଜିତି ଆଗୁଆ ଶୃଙ୍ଖଳା କବ୍‌ଜା କରିସାରିଥିବା ଭାରତ ମଙ୍ଗଳବାର ଔପଚାରିକ ତୃତୀୟ ଦିନିକିଆକୁ ୯୦ ରନ୍‌ରେ ଜିତି ବିଶ୍ବକପ୍‌ ପ୍ରସ୍ତୁତିକୁ ଆହୁରି ଜୋର୍‌ଦାର କରିଛି। ଏଥି ସହି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ତୃତୀୟ ଥର ଶୃଙ୍ଖଳା ମୂଳପୋଛ ବିଜୟ ପାଇଛି। ମଙ୍ଗଳବାର ଶୃଙ୍ଖଳା ବିଜୟ ସାଙ୍ଗକୁ ଭାରତ ପାଇଁ ଆଇସିସି ଦିନିକିଆ ଆନ୍ତର୍ଜାତିକ ମାନ୍ୟତା ତାଲିକାରେ ଶୀର୍ଷକୁ ଲମ୍ଫ ମାରିବା ଭଳି ସବୁଠୁ ବଡ଼ ଖୁସୀ ଖବର ମଧ୍ୟ ଆସିଛି। ଫଳରେ ଟ୍ବେଣ୍ଟି-୨୦ ସାଙ୍ଗକୁ ଏବଂ ଭାରତ ମଧ୍ୟ ଦିନିକିଆ ମାନ୍ୟତାର ଏକ ନମ୍ବର ଦଳ ହୋଇଯାଇଛି।

ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌ରେ ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ତେବେ ରୋହିତ ଶର୍ମା ଓ ଶୁବମନ ଗିଲ୍‌ଙ୍କ କୀର୍ତ୍ତିମାନ ଭରା ଭାଗୀଦାରି ପ୍ରଥମରୁ ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିରାଶ କରିଥିଲା। ପ୍ରଥମ ୱିକେଟ୍‌ରେ ଦ୍ବିତୀୟ ସର୍ବାଧିକ ଭାଗୀଦାରି (୨୧୨) କରିଥିବା ଏହି ଯୋଡ଼ି ଚୌକା ଛକାର ବର୍ଷା କରିଥିଲେ। ଉଭୟ ମଧ୍ୟ ନିଜ ନିଜର ଶତକ ହାସଲ କରିଥିଲେ। କ୍ୟାରିୟରର ୩୦ତମ ଶତକ ପୂରଣ କରିଥିବା ରୋହିତଙ୍କୁ ୨୭ତମ ଓଭରର ପ୍ରଥମ ବଲ୍‌ରେ ଆଉଟ୍‌ କରି ବ୍ରାସ୍‌ୱେଲ୍‌ ହିଁ ଯୋଡ଼ି ଭାଙ୍ଗିଥିଲେ। ଶୁବମନ ମଧ୍ୟ ପଛକୁ ପଛ ନିଜର ଚତୁର୍ଥ ତଥା ଶୃଙ୍ଖଳାର ଦ୍ବିତୀୟ ଶତକ ଜମାଇ ଭାରତକୁ ବଡ଼ ସ୍କୋର ଆଡ଼କୁ ନେଇଥିଲେ। ସ୍ଲଗ୍‌ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶାର୍ଦ୍ଦୁଲ ଠାକୁର ଦ୍ରୁତ ରନ୍‌ ସଂଗ୍ରହ କରି ଭାରତକୁ ୩୮୦ ପାର୍‌ କରାଇବାରେ ସହାୟତା କରିଥିଲେ। ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର ଜାକୋବ ଡଫି (୧୦.୦୦) ଓ ଡାରେଲ୍‌ ମିଚେଲ୍‌ (୧୦.୨୫) ସବୁଠୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ।

୩୮୬ ରନ୍‌କୁ ରନ୍‌କୁ ପିଛା କରୁଥିବା ନ୍ୟୁଜିଲାଣ୍ଡ ପ୍ରଥମ ଓଭରରୁ ଫିନ୍‌ ଆଲେନ୍‌ଙ୍କ ରୂପରେ ଝଟ୍‌କା ପାଇଥିଲା। ହାର୍ଦିକ୍‌ ପାଣ୍ଡ୍ୟା ତାଙ୍କୁ ଆଉଟ୍‌ କରିଥିଲା ବେଳେ ମଧ୍ୟକ୍ରମରେ ଶାର୍ଦୁଲ ଗୋଟିଏ ଓଭରରେ ଦୁଇଟି ଝଟ୍‌କା ଦେବା ଏବଂ ନିମ୍ନକ୍ରମରେ ‘କୁଲ୍‌ଚା’ ଯୋଡ଼ି କୁଲ୍‌ଦୀପ ଯାଦବ ଓ ୟୁଝ୍‌ବେନ୍ଦ୍ର ଚହଲ ୫ ୱିକେଟ୍‌ ଦଖଲ କରିନେବାରୁ ନ୍ୟୁଜିଲାଣ୍ଡ ପାଳି ୨୯୫ରେ ସଫା ହୋଇଯାଇଥିଲା। ଯଦିଓ ଗୋଟିଏ ପଟରୁ ଡେଭନ୍‌ କନୱେ ଏକାକି ଭାରତୀୟ ଆକ୍ରମଣକୁ ସାମ୍ନା କରି ନିର୍ଭିକ ଭାବେ ଶତକ ଅର୍ଜନ କରିଥିଲେ, କିନ୍ତୁ ଏହା ଦଳକୁ ପରାଜୟରୁ ରକ୍ଷା କରିବା ପାଇଁ ଯଥେଷ୍ଟ ହୋଇନଥିଲା। ଶାର୍ଦୁଲ ଠାକୁରଯ ମ୍ୟାଚ୍‌ର ଏବଂ ଶୁବମନ ଗିଲ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର