କେରଳ ନର୍ସ, ବେଙ୍ଗାଲୁରୁ ଛାତ୍ରଙ୍କ ପାଇଁ ‘ଭାରତ ଗର୍ବିତ’

ପ୍ରଶଂସା କଲେ ଗିଲକ୍ରିଷ୍ଟ୍‌, ୱାର୍ନର୍‌

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ସମୟରେ ନିସ୍ବାର୍ଥପର ଭାବେ କାମ କରି ଅଷ୍ଟ୍ରେଲିଆରେ ପ୍ରଶଂସିତ ହୋଇଛନ୍ତି ୨ ଜଣ ଯୁବ ଭାରତୀୟ। ଅଷ୍ଟ୍ରେଲିଆର ୱାଲୁଙ୍ଗଙ୍ଗ୍‌ ବିଶ୍ବବିଦ୍ୟାଳୟରୁ ନର୍ସିଂ ପଢ଼ା ଶେଷ କରିଥିବା କେରଳର ଝିଅ ସାରୋନ୍‌ ସାରୋନ୍ ଭର୍ଗିସ୍‌ ଏବେ ନିଜ ଅତିରିକ୍ତ ସମୟ କାଢ଼ି ସେଠାରେ ବୟସ୍କ ନାଗରିକଙ୍କ ଯତ୍ନ ନେଉଛନ୍ତି। ତାଙ୍କୁ ପ୍ରଶଂସା କରି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ଆଦାମ ଗିଲକ୍ରିଷ୍ଟ୍‌ ଏକ ଭିଡିଓ ଛାଡ଼ିବା ସହ ଏଥିପାଇଁ ଅଷ୍ଟ୍ରେଲିଆ, ଭାରତ ଏବଂ ତୁମ ପରିବାର ଗର୍ବିତ ବୋଲି ଉଲ୍ଲେଖ କରିଥିଲେ। ଗିଲକ୍ରିଷ୍ଟଙ୍କ ଟ୍ବିଟ୍ ପରେ ସାରୋନ୍‌ ଖୁସି ‌ହୋଇଯାଇଛନ୍ତି। ‘‘ବାସ୍ତବରେ ଆପଣଙ୍କ ଏଭଳି ପ୍ରଶଂସା ମୋତେ ଗର୍ବିତ କରିଛି, ମୋ ପିତା ଜଣେ କ୍ରିକେଟ୍ ପ୍ରଶଂସକ ଥିବାରୁ ମୁଁ ଅଧିକ ଖୁସି ହୋଇଛି’’ ବୋଲି ସାରୋନ୍ ଲେଖିଛନ୍ତି।

ଶୁକ୍ରବାର ‌ଡେଭିଡ୍ ୱାର୍ନର ଆଉ ଜଣେ ଭାରତୀୟ ଛାତ୍ରଙ୍କ ପ୍ରଶଂସା କରି ସମାନ ଢଙ୍ଗରେ ପ୍ରଶଂସା କରିଛନ୍ତି। କୁଇନ୍ସଲାଣ୍ଡ୍ ବିଶ୍ବବିଦ୍ୟାଳୟରେ କମ୍ପ୍ୟୁଟର୍‌ ବିଜ୍ଞାନ ପଢ଼ୁଥିବା ବାଙ୍ଗାଲୋର୍‌ର ଶ୍ରେୟସ‌ ଶ୍ରେଷ୍ଠ ନିଜ ସେବା ମନୋଭାବ ପାଇଁ ୱାର୍ନରଙ୍କ ପ୍ରଶଂସା ପାଇଛନ୍ତି। ଏହି ସଙ୍କଟ ପରିସ୍ଥିତିରେ ଶ୍ରେୟସ ଛାତ୍ରମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି। ଶ୍ରେୟସଙ୍କୁ ଧନ୍ୟବାଦ ଜଣାଇ ୱାର୍ନର ଲେଖିଛନ୍ତି ‘ନମସ୍ତେ, କୋଭିଡ୍‌-୧୯ ପରିପ୍ରେକ୍ଷୀରେ ତୁମ ନିସ୍ବାର୍ଥପର କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଉଛି। ମୁଁ ନିଶ୍ଚିତ ଯେ ତୁମ ମମ୍‌, ଡାଡ୍‌ ଓ ଭାରତ ଏହି ମହାନ କାମ ପାଇଁ ଗର୍ବିତ ଓ ଗୌରବାନ୍ବିତ ହେଉଥିବେ’।

ସମ୍ବନ୍ଧିତ ଖବର