ନିଖତ ଓ ଲଭ୍‌ଲିନାଙ୍କୁ ବିଶ୍ବ ମୁକୁଟ, ୪ ସ୍ବର୍ଣ୍ଣ ସହ ବିଶ୍ବ ମୁଷ୍ଟିଯୁଦ୍ଧରେ ଭାରତ ଶ୍ରେଷ୍ଠ

ନୂଆଦିଲ୍ଲୀ : ଏଠାରେ ଆୟୋଜିତ ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ୪ ସ୍ବର୍ଣ୍ଣ ସହ ଦଳଗତ ଶ୍ରେଷ୍ଠ ପୁରସ୍କାର ହାସଲ କରିଛି। ଶନିବାର ନୀତୁ ଘାଙ୍ଗାସ୍‌ (୪୮ କେଜି) ଏବଂ ସ୍ବିଟି ବୋରା (୮୧ କେଜି) ବିଶ୍ବ ବିଜୟିନୀ ହୋଇଥିଲା ବେଳେ ରବିବାର ଏଥିରେ ଯୋଡ଼ି ହୋଇଛନ୍ତି ନିଖତ ଜରିନ ଓ ଲଭ୍‌ଲିନା ବୋର୍ଗୋହେଁ। ନିଖତ ଲଗାତାର ଦ୍ବିତୀୟ ଥର ଲାଗି ବିଶ୍ବ ବିଜୟିନୀ ‌ହୋଇଥିଲା ବେଳେ ଅଲିମ୍ପିକ୍‌ କାଂସ୍ୟ ବିଜୟିନୀ ଲଭ୍‌ଲିନାଙ୍କ ଏହା ପ୍ରଥମ ବିଶ୍ବ ସ୍ବର୍ଣ୍ଣ। ୨୦୦୬ ପରେ ସର୍ବାଧିକ ସ୍ବର୍ଣ୍ଣ ପଦକ ଭିତ୍ତିରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ।

ରବିବାର ୫୦ କେଜି ଓଜନ ବର୍ଗ ଫାଇନାଲ୍‌ରେ ନିଖତ ୫-୦ରେ ଦୁଇଥରର ଏସୀୟ ବିଜୟିନୀ ଭିଏତନାମର ଏନ୍‌ଗୁୟେଁ ଥି ତାମ୍‌ଙ୍କୁ ମାତ୍‌ ଦେଇଥିଲେ। ଏଥିସହ ଏମ୍‌ସି ମେରିକମ୍‌ଙ୍କ ପରେ ୨୬ ବର୍ଷୀୟା ନିଖତ ଦ୍ବିତୀୟ ଭାରତୀୟ ଭାବେ ଏକାଧିକ ସ୍ବର୍ଣ୍ଣ ଜିତିବାର ଗୌରବ ପାଇଥି‌ଲେ। ସେହିପରି ୭୫ କେଜି ଓଜନ ବର୍ଗ ଫାଇନାଲ୍‌ରେ ଲଭ୍‌ଲିନା ୪-୩ରେ ଅଷ୍ଟ୍ରେଲିଆର ପାର୍କର ଆନିଙ୍କୁ ପରାସ୍ତ କରି ତୃତୀୟ ବିଶ୍ବ ପଦକ ଜିତିଛନ୍ତି। ଏହା ପୂର୍ବରୁ ବିଶ୍ବ ପ୍ରତିଯୋଗିତାରେ ସେ ୨ କାଂସ୍ୟ ପଦକ ଜିତିଥିଲେ।

ଅନ୍ୟପକ୍ଷରେ ନିଖତ ବିଶ୍ବ ପ୍ରତିଯୋଗିତା ସ୍ବର୍ଣ୍ଣ ପଦକ ଜିତିବାରେ ଅ‌ଷ୍ଟମ ଏବଂ ଲଭ୍‌ଲିନା ନବମ ଭାରତୀୟ ହୋଇଛନ୍ତି। ରବିବାର ନିଖତ ଓ ଲଭ୍‌ଲିନାଙ୍କ ବିଜୟ ସହିତ ବିଶ୍ବ ପ୍ରତିଯୋଗିତାରେ ଭାରତର ମୋଟ ସ୍ବର୍ଣ୍ଣ ପଦକ ସଂଖ୍ୟ‌ା ୧୪କୁ ବୃଦ୍ଧି ପାଇଛି। ଏଥିରୁ କେବଳ ଏମ୍‌ସି ମେରିକମ୍‌ଙ୍କ ନାମରେ ୬ ସ୍ବର୍ଣ୍ଣ ସାମିଲ ରହିଛି। ମେରିକମ୍‌ ୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ନିଖତ (୨୦୨୨, ୨୦୨୩) ଦୁଇଟି ଏବଂ ସରିତା ଦେବୀ (୨୦୦୬), ଜେନି ଆର୍‌ଏଲ୍‌ (୨୦୦୬), ଲେଖା କେସି (୨୦୦୬), ନୀତୁ (୨୦୨୩) ଏବଂ ସ୍ବିଟି (୨୦୨୩) ଅନ୍ୟ ଭାରତୀୟ ଭାବେ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର