କୁଆଲାଲମ୍ପୁର: ଦକ୍ଷିଣ ଆଫ୍ରିକାକୁ ଏକପାଖିଆ ଭାବେ ହରାଇ ଭାରତ ପୁଣି ଥରେ ୧୯ ବର୍ଷରୁ କମ୍ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଛି। ସ୍ଥାନୀୟ ଜେବି ମାର୍କ୍ସ ଓଭାଲ୍ରେ ଖେଳାଯାଇଥିବା ଫାଇନାଲ୍ରେ ଭାରତ ୯ ୱିକେଟ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଜେତା ଟ୍ରଫି ବଜାୟ ରଖିଛି। ପ୍ରଥମ ଥର ୨୦୨୩ରେ ଆୟୋଜିତ ଏହି ବିଶ୍ବକପ୍ର ବିଜେତା ଭାରତ ସବୁବର୍ଗରେ ନିଜର ଚମତ୍କାର ପ୍ରଦର୍ଶନ ଦେଇ ୮୩ ରନ୍ ରନ୍ର ବିଜୟ ଲକ୍ଷ୍ୟକୁ ୧୧.୨ ଓଭରରେ ପହଞ୍ଚିଯାଇଥିଲା। ଏକମାତ୍ର ୱିକେଟ୍ ଭାବେ କେବଳ ଜି କମଳିନୀ (୮)ଙ୍କୁ ହରାଇ ହାସଲ କରିଥିଲା। ଗଙ୍ଗାଡ଼ି ତ୍ରିଶା (୪୪*, ୩୩ ବଲ୍, ୮ ଚୌକା) ଏବଂ ସାନିକା ଚାଲ୍କେ (୨୬*, ୨୨ ବଲ୍, ୪ ଚୌକା) ଅପରାଜିତ ରହି ଭାରତକୁ ବିଜୟ ଭେଟି ଦେଇଥିଲେ।
ପୂର୍ବରୁ ଭାରତୀୟ ବୋଲିଂକୁ ସାମ୍ନା କରି ନପାରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକାର ମାଇକେ ଭାନ୍ ଭୁର୍ଷ୍ଟ (୨୩), ଜେମ୍ମା ବୋଥା (୧୬), ଫାଏ କାଓଲିଂ (୧୫) ଓ କାରାବୁ ମେସୋ (୧୦) କେବଳ ଦୁଇଁ ଅଙ୍କ ଛୁଇଁଥିଲେ। ଭାରତର ପକ୍ଷରୁ ଗଙ୍ଗାଡ଼ି ତ୍ରିଶା (୩/୧୫), ପାରୁଣିକା ସିସୋଦିଆ (୨/୬), ଆୟୁଷୀ ଶୁକ୍ଳା (୨/୯), ବୈଷ୍ଣବୀ ଶର୍ମା (୨/୨୩) ଓ ସବନମ ସାକିଲ (୧/୭) ୱିକେଟ୍ଗୁଡ଼ିକ ବାଣ୍ଟି ନେଇଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଗଙ୍ଗାଡ଼ି ତ୍ରିଶା ଫାଇନାଲ୍ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।