ଇଡେନ୍‌ ଗା‌ର୍ଡେନ୍ସରୁ ଦେବାଶିଷ ସୁନ୍ଦରାୟ

କୋଲକାତା: ଇଡେନ୍‌ ଗା‌ର୍ଡେନ୍ସରେ ଥିବା ୪୦,୦୦୦ରୁ ଅଧିକ ଦର୍ଶକ ପ୍ରତି ମୁହୂର୍ତ୍ତରେ ଉତ୍ସାହିତ କରୁଥିଲେ। ପ୍ରତିଟି ରନ୍‌ରେ ସମୂହ ଭାବେ ତାଳିମାରି ଘରୋଇ ବ୍ୟାଟର୍‌ଙ୍କ ମନୋବଳ ବଢ଼ାଉଥିଲେ। ହୋ ହଲ୍ଲା ବଢ଼ି ଚାଲିଥିଲେ ମଧ୍ୟ ବିଶ୍ବ ଚାମ୍ପିଅନ୍ ଦକ୍ଷିଣ ଆଫ୍ରିକା ଅବିଚଳିତ ଭାବେ ଗୋଟିଏ ପରେ ଗୋଟିଏ ୱିକେଟ୍ ଝାଡ଼ି ଚାଲିଥି‌ଲା। କେଶବ ମହାରାଜ ଶେଷ ୱିକେଟ୍ ଭାବେ ମହମ୍ମଦ ସିରାଜଙ୍କୁ ଶିକାର କରିବା ପରେ ପୂରା ଷ୍ଟାଡିୟମ୍‌ରେ ଅବିଶ୍ବସନୀୟ ନିରବତା ଭରି ଯାଇଥିଲା। ଦର୍ଶକ ଏହାକୁ ହଜମ କରିବା ପୂର୍ବରୁ ଭାରତ ୩୦ ରନ୍‌ରେ ଇଡେନ୍ ଲଢ଼େଇକୁ ହାରି ସାରିଥିଲା। ପ୍ରଥମ ପାଳିରେ ପଛୁଆ ରହିବା ସତ୍ତ୍ବେ ଦକ୍ଷିଣ ଆଫ୍ରିକା ଅସାଧାରଣ ପ୍ରତ୍ୟାବର୍ତ୍ତନ କରି ଅସାଧାରଣ ବିଜୟ ପାଇଲା। ଅଧିନାୟକ ଶୁବମନ୍ ଗିଲ୍‌ ଅପ୍ରତ୍ୟାଶିତ ଭା‌ବେ ଆହତ ହେବା ଧକ୍କାରୁ ବାହରି ପାରି ନଥିବା ଭାରତ ବିଛାଇଥିବା ନିଜ ସ୍ପିନ୍ ଚକ୍ରବ୍ୟୂହରେ ଏକପ୍ରକାର ନିଜେ ଫଶି ଯାଇଥିଲା। ସେହିଭଳି ବ୍ୟାଟିଂ ସନ୍ତୁଳନ ବିଗିଡ଼ିଯିବାରୁ ଚାପରେ ଚାପି ହୋଇ ଦକ୍ଷିଣ ଆଫ୍ରିକା ଦେଇଥିବା ୧୨୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୯୩ ରନ୍‌ରେ ଅଟକି ଯାଇଥିଲା। ଇଡେନ୍‌‌ରେ ଭାରତର ୧୩ ବର୍ଷର ଅପରାଜେୟ ଧାରା ତିନି ଦିନ ଖେଳରେ ତୁଟି ଯାଇଥିଲା। ସେହିଭଳି ଘରୋଇ ପରିବେଶରେ ୧୫ ବର୍ଷ ପରେ ଦକ୍ଷିଣ ଆଫ୍ରିକାଠାରୁ ଟିମ୍ ଇଣ୍ଡିଆ ପ୍ରଥମ ପରାଜୟ ବରଣ କରିଛି। ଘରୋଇ ପରିବେଶରେ ଖେଳିଥିବା ଗତ ୬ ଟେଷ୍ଟ୍‌ରୁ ଭାରତର ଏହା ଚତୁର୍ଥ ପରାଜୟ। ୧୦ ବର୍ଷ ପରେ ଭାରତରେ ଟେଷ୍ଟ୍ ଖେଳୁଥିବା ଦକ୍ଷିଣ ଆଫ୍ରିକୀୟ ସ୍ପିନର୍‌ ସିମୋନ ହାର୍ମର ତାଙ୍କ ୮ ୱିକେଟ୍ ସଫଳତା ଲାଗି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ତେମ୍ବା ବଭୁମାଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ୧୧ ଟେଷ୍ଟ୍ ଖେଳି ଦଶମ ବିଜୟ ଓ ଗୋଟିଏ ଡ୍ର’ ସହ ଅପରାଜେୟ ଧାରାକୁ ଆଗେଇ ନେଇଥିଲା। ଐତିହାସିକ ବିଜୟ ପରେ ଦକ୍ଷିଣ ଆଫ୍ରିକା ଏବେ ଗୁଆହାଟୀରେ ଆସନ୍ତା ୨୨ ତାରିଖରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌ ପୂର୍ବରୁ ୧-୦ରେ ଅଗ୍ରଣୀ ରହିଛି।

Advertisment

୩ ଦିନରେ ତୁଟିଲା ୧୩ ବର୍ଷର ଧାରା
ପ୍ରଥମ ଟେଷ୍ଟ୍‌କୁ ୩୦ ରନ୍‌ରେ ହାରିଲା ଭାରତ
୧୫ ବର୍ଷ ପରେ ଦକ୍ଷିଣ ଆଫ୍ରିକାଠୁ ପ୍ରଥମ ଘରୋଇ ପରାଜୟ
ସିମୋନ ହାର୍ମର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ଅନ୍ୟପକ୍ଷରେ ଶୃଙ୍ଖଳା ବଞ୍ଚାଇବା ଲାଗି ଭାରତ ଏହି ମ୍ୟାଚ୍‌ରେ ‘କର ବା ମର’ ସ୍ଥିତିରେ ରହିବ। ପ୍ରକାଶଯୋଗ୍ୟ ଯେ ଶେଷ ଥର ଲାଗି ଇଡେନ୍‌ ଗା‌ର୍ଡେନ୍ସରେ ଭରତ ୨୦୧୨ ମସିହାରେ ଇଂଲଣ୍ଡଠାରୁ ୭ ୱିକେଟ୍‌ରେ ହାରିଥିଲା। ଅଢ଼େଇ ଦିନରେ ‌ଲଢ଼େଇ ଶେଷ ହୋଇଥିଲେ ମଧ୍ୟ ପୂରା ମ୍ୟାଚ୍‌ରେ ରୋମାଞ୍ଚ ଭରି ରହିଥିଲା। କେତେବେଳେ ସ୍ପିନର୍‌ ତ କେତେବେଳେ ପେସର୍‌କୁ ସୁହାଉଥିବା ଇଡେନ୍‌ର କଠିନ ପିଚ୍‌ରେ ଦକ୍ଷିଣ ଆଫ୍ରିକା ଶୁକ୍ରବାରର ସ୍କୋର୍ ୯୭/୩ରୁ ଶନିବାର ଖେଳ ଆରମ୍ଭ କରିଥିଲା। ଅଧିନାୟକ ବଭୁମା ଶେଷ ୩ ବ୍ୟାଟର୍‌ଙ୍କ ସହ ମିଶି ୬୨ ରନ୍ ଯୋଡ଼ିବା ଶେଷରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ପ୍ରତିକୂଳ ପରିବେଶ ସତ୍ତ୍ବେ ପ୍ରତି ଆକ୍ରମଣକୁ ଅସ୍ତ୍ର କରି କ୍ୟାରିୟରର ୨୬ତମ ଅର୍ଦ୍ଧଶତକ ଅର୍ଜନ କରିଥିଲେ ବଭୁମା। ଦକ୍ଷିଣ ଆଫ୍ରିକାର ଶେଷ ୩ ୱିକେଟ୍ ସିରାଜ (ଦୁଇଟି) ଓ ବୁମ୍‌ରା (ଗୋଟିଏ)ଙ୍କ ଖାତାକୁ ଯାଇଥିଲା। ବୋଲର୍‌ ନିଜ ଦାୟିତ୍ବ ଠିକ୍ ଭାବେ ତୁଲାଇଥିଲେ ମଧ୍ୟ ପଶ୍ଚାତ୍‌ଧାବନରେ ଭାରତୀୟ ବ୍ୟାଟର୍ ଆରମ୍ଭରୁ ନିରାଶ କରିଥିଲେ। ଦଳୀୟ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭରରେ ଯଶସ୍ବୀ ଜୟସ୍ବାଲ (୦) ଏବଂ ତୃତୀୟ ଓଭର୍‌ରେ କେଏଲ୍ ରାହୁଲ (୧)ଙ୍କୁ ହରାଇ ସଂଘର୍ଷ କରିଥିଲା ଟିମ୍ ଇଣ୍ଡିଆ। ଧ୍ରୁବ ଜୁରେଲ ଓ ୱାସିଂଟନ୍ ସୁନ୍ଦର ୩୨ ରନ୍‌ର ଭାଗୀଦାର ଗଢ଼ି ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ। ତେବେ ଘଡ଼ିସନ୍ଧି ମୁହୂର୍ତ୍ତରେ ଜୁରେଲଙ୍କ ଅଜବ ସଟ୍ ଏବଂ କାମଚଳା ଅଧନାୟକ ଋଷଭ ପନ୍ତଙ୍କ ବେପରୁଆ ବ୍ୟାଟିଂ ଭାରତକୁ ପରାଜୟ ଆଡ଼କୁ ଠେଲି ଦେଇଥିଲା। ସ୍ପିନ୍ ସହ ସଫଳ ଲଢ଼େଇ କରୁଥିବା ୱାସିଂଟନ୍‌ ସୁନ୍ଦର ଆଉଟ୍ ହେବା ପରେ ଅକ୍ଷର ପଟେଲ ପାଲଟା ଆକ୍ରମଣ କରି ମ୍ୟାଚ୍‌ର ଗତପଥ ବଦଳାଇବାକୁ ଚେଷ୍ଟା କରିଥିଲେ। ତେବେ କେଶବ ମହାରାଜ ଲଗାତାର ବଲ୍‌‌ରେ ଅକ୍ଷର ଓ ସିରାଜଙ୍କୁ ଆଉଟ୍ କରିବାରୁ ଭାରତ ପାଳି ୯୩/୯ରେ ପହଞ୍ଚି ଯାଇଥିଲା। ଗିଲ୍ ବ୍ୟାଟିଂ କରିବାକୁ ଆସିବାର ନଥିବାରୁ ଭାରତ ପାଳି ସେହିଠାରେ ଶେଷ ହୋଇଯାଇଥିଲା। ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ପାଳିରେ ୧୫୯ ରନ୍ କରିଥିଲା। ଜବାବରେ ୧୮୯ ରନ୍ କରି ଭାରତ ୩୦ ରନ୍‌ର ଛୋଟିଆ ଅଗ୍ରଣୀ ପାଇଥିଲା। ତଥାପି ‌ସେହି ଅଗ୍ରଣୀ ବ୍ୟବଧାନରେ ହାରିଛି। 

ସଂକ୍ଷିପ୍ତ ସ୍କୋର୍: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି-୧୫୯। ଭାରତ ପ୍ରଥମ ପାଳି-୧୮୯। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି-୫୪ ଓଭରରେ-୧୫୩ (ତେମ୍ବା ବଭୁମା‌ ୫୫*, ରବୀନ୍ଦ୍ର ଜାଡ଼େଜା-୪/୫୦, ମହମ୍ମଦ ସିରାଜ ୨/୨, କୁଲଦୀପ ଯାଦବ-୨/୩୦, ଅକ୍ଷର ପଟେଲ-୧/୩୬)। ଭାରତ ଦ୍ବିତୀୟ ପାଳି ୩୫ ଓଭରରେ-୯୩/୯ (ୱାସିଂଟନ୍ ସୁନ୍ଦର-୩୧, ଅକ୍ଷର ପଟେଲ-୨୬, ସିମୋନ ହାର୍ମର-୪/୨୧, କେଶବ ମହାରାଜ-୨/୩୭, ମାର୍କୋ ୟାନ୍‌ସେନ୍‌-୨/୧୫)।