ଭାରତ-ଇଟାଲି ପ୍ଲେ ଅଫ୍‌ ଆଜି

ଲଣ୍ଡନ୍‌: ଚଳିତ ମହିଳା ହକି ବିଶ୍ୱକପ୍‌ର କ୍ୱାର୍ଟର୍‌ ଫାଇନାଲ୍‌ ସ୍ଥାନ ଲାଗି ମଙ୍ଗଳବାର ଭାରତ ପ୍ଲେ ଅଫ୍‌ରେ ଇଟାଲିକୁ ଭେଟିବ। ଗ୍ରୁପ୍‌ ପର୍ଯ୍ୟାୟରେ ପୁଲ୍‌-ବି’ରେ ସ୍ଥାନ ପାଇଥିବା ରାଣୀ ରାମପାଲ୍‌ାଙ୍କ ଦଳ ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ସହ ଅମୀମାଂସିତ (୧-୧) ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଆୟର୍ଲାଣ୍ଡ୍‌ଠୁ ୦-୧ରେ ହାରି ସିଧାସଳଖ କ୍ୱାର୍ଟର୍‌ ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲା। ପ୍ରତିଯୋଗିତାରେ ତିଷ୍ଟି ରହିବା ଲାଗି ଭାରତ ପାଇଁ ଆମେରିକା ବିପକ୍ଷ ଶେଷ ମ୍ୟାଚ୍‌ ବିଜୟ କିମ୍ବା ଅମୀମାଂସିତ ଆବଶ୍ୟକ ଥିଲା। ଯାହାକୁ ଶନିବାର ରାଣୀଙ୍କ ଗୋଲ୍‌ ବଳରେ ଭାରତୀୟ ଦଳ ୧-୧ରେ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲା। ଗ୍ରୁପ୍‌ ତାଲିକାର ଆୟର୍ଲାଣ୍ଡ୍‌, ଆମେରିକର ପଛକୁ ତୃତୀୟ ସ୍ଥାନରେ ରହି ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା। ଭାରତ ମଙ୍ଗଳବାର ଜିତିଲେ ଗୁରୁବାରେ କ୍ୱାର୍ଟର୍‌ ଫାଇନାଲ୍‌ରେ ଗ୍ରୁପ୍‌ ‘ବି’ ବିଜେତା ଆୟର୍ଲାଣ୍ଡ୍‌କୁ ଭେଟିବ।
ଆମେ ଏବେ କେବଳ ନିଜ ଉପରେ ହିଁ ଧ୍ୟାନ ରଖିଛୁ, ନିଜର ସାମର୍ଥ୍ୟକୁ ଦୃଢ଼ କରିବା ସହ ସକାରାତ୍ମକ ଚିନ୍ତା ନେଇ ଇଟାଲି ବିପକ୍ଷରେ ଖେଳିବୁ ବୋଲି ରାଣୀ କହିଛନ୍ତି। କ୍ୱାର୍ଟର୍‌ ଫାଇନାଲ୍‌ ସ୍ଥାନ ପାଇଁ ମହତ୍ୱପୂର୍ଣ୍ଣ ପ୍ଲେ ଅଫ୍‌ରେ ଆମେ ପୂର୍ବ ଭୁଲକୁ ସୁଧାରି ସବୁ ବଳ ଖଟାଇବୁ ବୋଲି ଏହି ଭାରତୀୟ ଷ୍ଟ୍ରାଇକର କହିଛନ୍ତି। ଇଟାଲି ନିଶ୍ଚିତ ଭଲ ଦଳ, ଏହି ପ୍ରତିଯୋଗିତାରେ ମଧ୍ୟ ଭଲ କରିଛି। ହେଲେ ଆମ ପାଖରେ ଆତ୍ମବିଶ୍ୱାସ ଅଛି, ସହଜରେ ଇଟାଲିକୁ ହରାଇ ପାରିବୁ। ୨୦୧୫ ହକି ବିଶ୍ୱ ଲିଗ୍‌ ସେମିଫାଇନାଲ୍‌ ପ୍ରତିଯୋଗିତାରେ ଏହି ଦଳକୁ ସୁଟ୍‌ ଆଉଟ୍‌ରେ ମାତ୍‌ ଦେଇଥିଲୁ। ଯାହାକି ଆମର ଆତ୍ମବିଶ୍ୱାସକୁ ବଢ଼ାଇବାରେ ସାହାଯ୍ୟ କରିବ ବୋଲି ଭାରତୀୟ ଅଧିନାୟିକା କହିଛନ୍ତି।
ଅନ୍ୟପକ୍ଷରେ ଇଟାଲି ଗ୍ରୁପ୍‌ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ ଦେଇ ଆସିଛି। ପ୍ରଥମ ମ୍ୟାଚ୍‌ରେ ୩-୦ରେ ଚୀନ୍‌କୁ ଏବଂ ଏସୀୟ ବିଜେତା କୋରିଆକୁ ୧-୦ରେ ହରାଇଥିଲା। ନେଦରଲାଣ୍ଡ୍‌ ବିପକ୍ଷରେ ୧-୧୨ ବଡ଼ ବ୍ୟାବଧାନରେ ହାରି ସିଧାସଳଖ କ୍ୱାର୍ଟର୍‌ ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲା।

ସମ୍ବନ୍ଧିତ ଖବର