ଘାସପଡ଼ିଆରେ ଭାରତ-ଇଟାଲି ‌‌ଡେଭିସ୍ କପ୍ ମୁକାବିଲା

ନୂଆଦିଲ୍ଲୀ,: ଆସନ୍ତା ବର୍ଷ ଫେବ୍ରୁଆରି ପହିଲାରୁ କୋଲକାତାର ସାଉଥ୍ କ୍ଲବରେ ଖେଳାଯିବାକୁ ଥିବା ଇଟାଲି ବିପକ୍ଷ ଡେଭିସ୍ କପ୍ ‌ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଘାସ ପଡ଼ିଆରେ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ଟେନିସ୍ ସଂଘ (ଆଇଟିଏଫ)ର ଦୁଇଟି ପ୍ରମୁଖ ଛାଡ଼ ପାଇବା ପରେ ଭାରତୀୟ ଟେନିସ୍ ସଂଘ (ଆଇଟା) ଏଭଳି ଘୋଷଣା କରିଛି। ବିଶ୍ବଗ୍ରୁପ୍ ଏବଂ ପ୍ଲେ ଅଫ୍ ମୁକାବିଲା ପାଇଁ ଟେନିସ୍ କୋର୍ଟର ବେସଲାଇନ୍ ୨୭ ଫୁଟ ଏବଂ ଦର୍ଶକ କ୍ଷମତା ଅନ୍ୟୁନ ୪,୦୦୦ ରହିବାର ନିୟମ ରହିଛି। ଏଭଳି ବ୍ୟବସ୍ଥା କେବଳ ନୂଆଦିଲ୍ଲୀ ଓ ମୁମ୍ବାଇରେ ରହିଛି, ଯେଉଁଠି ଘାସ ପଡ଼ିଆ ନାହିଁ। ଭାରତୀୟ ଦଳର ଅଣଖେଳାଳି ଅଧିନାୟକ ମହେଶ ଭୂପତି କିନ୍ତୁ ଗ୍ରାସ୍ କୋର୍ଟରେ ଖେଳିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କାରଣ ଇଟାଲି ଖେଳାଳି ମାନେ ହାର୍ଡକୋର୍ଟରେ ଭଲ ଖେଳିଥାନ୍ତି। ଆମେ ଆଇଟିଏଫକୁ ‌ଲେଖିଥିଲୁ କୋଲକାତାର ସାଉଥ୍ କ୍ଲବ କୋର୍ଟର ବେସ୍ ଲାଇନ୍ ୨୧ ଫୁଟ ଏବଂ ଦର୍ଶକ କ୍ଷମତା ୩୦୦୦ ରହିଛି। ଆଇଟିଏଫ ଏଥିରେ ରାଜି ହୋଇଯାଇଛି ବୋଲି ଆଇଟା ସମ୍ପାଦକ ହିରଣ୍ମୟ ଚାଟାର୍ଜୀ ପ୍ରକାଶ କରିଛନ୍ତି। ଏହି ମୁକାବିଲାକୁ ଭାରତ ମଧ୍ୟ ଶୁକ୍ରବାରା-ଶନିବାର ପରିବର୍ତେ ଶନିବାର-ରବିବାର ପାଇଁ ପ୍ରସ୍ତାବ ଦେଇଥିଲୁ, କିନ୍ତୁ ଏହା ଅଗ୍ରାହ୍ୟ ହୋଇଯାଇଛି। ଆଇଟାର ପ୍ରୟାସକୁ କିନ୍ତୁ ମହେଶ ଭୂପତି ପ୍ରଶଂସା କରିଛନ୍ତି। ଶେଷ ଥର ପାଇଁ ଭାରତ ୨୦୧୬ ମସିହାରେ ଚଣ୍ଡୀଗଡ଼ରେ କୋରିଆ ବିପକ୍ଷରେ ଘାସପଡ଼ିଆରେ ଖେଳିଥିଲା। ଏହା ଦ୍ବାରା ଆମ ପାଇଁ ଇଟାଲିକୁ ହରାଇବାର ସୁଯୋଗ ରହିବ ବୋଲି ଗ୍ରାଣ୍ଡସ୍ଲାମ ବିଜେତା ଭୂପତି କହିଛନ୍ତି।

ସମ୍ବନ୍ଧିତ ଖବର