ସେମିରେ ଭାରତ-ଜାପାନ

ମହିଳା ଏସିଆ କପ୍‌ ହକି: ଦୀପ୍‌ଗ୍ରେସ୍‌ଙ୍କ ଯୁଗଳ ଗୋଲ୍‌; କ୍ୱାର୍ଟରରେ କାଜାକସ୍ତାନକୁ ୭-୧ରେ ହରାଇଲା ଭାରତ

କାକାମିଗହରା (ଜାପାନ): ଭାରତୀୟ ମହିଳା ଦଳ ଚଳିତ ଏସିଆ କପ୍‌ ହକି ପ୍ରତିଯୋଗିତାର ସେମିଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି। ସିଙ୍ଗାପୁରକୁ ୧୦-୦, ଚୀନ୍‌କୁ ୪-୧ ଓ ମାଲେସିଆକୁ ୨-୦ ଗୋଲ୍‌ରେ ପରାସ୍ତ କରି ନିଜ ଗ୍ରୁପ୍‌ରେ ଶୀର୍ଷ ସ୍ଥାନ ପାଇଥିବା ଭାରତ ଗୁରୁବାର କ୍ୱାର୍ଟର ଫାଇନାଲ୍‌ରେ କାଜାକସ୍ତାନକୁ ୭-୧ ଗୋଲ୍‌ରେ ପରାସ୍ତ କରି ପୁରୁଷଙ୍କ ଭଳି ଟ୍ରଫି ଜିତିବା ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛି। ଚମତ୍କାର ଫର୍ମରେ ଥିବା ଗୁର୍‌ଜିତ୍‌ କୌରଙ୍କ ୩ ଗୋଲ୍‌ ସାଙ୍ଗକୁ ଓଡ଼ିଆ ଝିଅ ଦୀପ୍‌ଗ୍ରେସ୍‌ ଏକ୍କା ଓ ନଭନୀତ୍‌ କୌର ଦୁଇଟି ଲେଖାଏଁ ଗୋଲ୍‌ କରି ଭାରତକୁ ବଡ଼ ବ୍ୟବଧାନରେ ବିଜୟୀ ହେବାରେ ଅବଦାନ ରଖିଥିଲେ।

ଏହି ମ୍ୟାଚ୍‌ରେ ଅବଶ୍ୟ ଭାରତ ପଛୁଆ ରହି ଦମ୍‌ଦାର ପ୍ରତ୍ୟାବର୍ତନ କରିଥିଲା। ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ ଭେରା ଦୋମାସ୍‌ନେଭା ଗୋଲ୍‌ କରି କାଜାକସ୍ତାନକୁ ଆଗୁଆ କରିଥିଲେ। ହେଲେ ଗୁର୍‌ଜିତ୍‌ ଗୋଲ୍‌ ଅଭିଯାନ ଆରମ୍ଭ କରିବା ପରଠୁ ଭାରତ ଆଉ ପଛକୁ ଫେରିନଥିଲା। ଏପରିକି କାଜାକସ୍ତାନକୁ ସେହି ଏକମାତ୍ର ଗୋଲ୍‌ରେ ସନ୍ତୁଷ୍ଟ ହେବାକୁ ବାଧ୍ୟ କରିଥିଲା। ଚତୁର୍ଥ ମିନିଟ୍‌ରେ ଗୁର୍‌ଜିତ୍‌ ପ୍ରଥମ ଗୋଲ୍‌ କରି ଭାରତ ସ୍ଥିତି ସମାନ କରିଦେଇଥିଲେ। ଏହାପରେ ଦୀପ୍‌ଗ୍ରେସ୍‌ ୧୬ ମିନିଟ୍‌ରେ ନିଜର ପ୍ରଥମ ଗୋଲ୍‌ କରିଥିଲା ବେଳେ ନଭ୍‌ନୀତ୍‌ ୨୨ ଓ ୨୭ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ କରି ବ୍ୟବଧାନ ୪-୧ରେ ପହଞ୍ଚାଇ ଦେଇଥିଲେ। ୪୧ ମିନିଟ୍‌ରେ ଦୀପ୍‌ଗ୍ରେସ୍‌ ପୁଣି ଏକ ଗୋଲ୍‌ କରିବାରୁ ଭାରତ ୫-୧ରେ ଆଗେଇ ଯାଇଥିଲା। ଶେଷରେ ଗୁର୍‌ଜିତ୍‌ ୪୨ ଓ ୫୬ ମିନିଟ୍‌ରେ ବ୍ୟକ୍ତିଗତ ଭାବେ ଆଉ ଦୁଇଟି ଗୋଲ୍‌ କରି ଭାରତର ବ୍ୟବଧାନକୁ ୭-୧ରେ ପହଞ୍ଚାଇ ଦେଇଥିଲେ। ଆଉ ଏହି ମ୍ୟାଚ୍‌ରେ ୩ ଗୋଲ୍‌ ସାଙ୍ଗକୁ ଗୁର୍‌ଜିତ୍‌ (୬) ମଧ୍ୟ ଚଳିତ ଏସିଆ କପ୍‌ରେ ଭାରତ ପାଇଁ ସର୍ବାଧିକ ଗୋଲ୍‌ ସ୍କୋରର୍‌ ହୋଇଛନ୍ତି।

ଭାରତ ଶୁକ୍ରବାର ସେମିଫାଇନାଲ୍‌ରେ ଆୟୋଜକ ଜାପାନକୁ ଭେଟିବ। ଗୁରୁବାର ଅନ୍ୟଏକ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଜାପାନ ୨-୦ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରିଦେଇଛି। ସେହିପରି ଶୁକ୍ରବାରର ଅନ୍ୟ ସେମିଫାଇନାଲ୍‌ ଚୀନ୍‌ ଓ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯିବ। ଗୁରୁବାର ନିଜ ନିଜ କ୍ୱାର୍ଟର ଫାଇନାଲ୍‌ରେ ଚୀନ୍‌ ୧୦-୦ ଗୋଲ୍‌ରେ ଥାଇଲାଣ୍ଡ୍‌କୁ ଏବଂ ଦକ୍ଷିଣ କୋରିଆ ୯-୦ ଗୋଲ୍‌ରେ ସିଙ୍ଗାପୁରକୁ ପରାସ୍ତ କରିଦେଇଛି। ଅନ୍ୟପକ୍ଷରେ ମାଲେସିଆ ଓ କାଜାକସ୍ତାନ ଏବଂ ଥାଇଲାଣ୍ଡ୍‌ ଓ ସିଙ୍ଗାପୁର ଯଥାକ୍ରମେ ପଞ୍ଚମ-ଷଷ୍ଠ ଓ ସପ୍ତମ-ଅଷ୍ଟମ ସ୍ଥାନ ପାଇଁ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର