ସପ୍ତମରୁ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଲା ଭାରତ: କୁସ୍ତି ଆଖଡ଼ାରୁ ୮ ପଦକ

Advertisment
ସପ୍ତମରୁ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଲା ଭାରତ: କୁସ୍ତି ଆଖଡ଼ାରୁ ୮ ପଦକ

ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ଭାରତ ପାଇଁ ଥିଲା ସ୍ବର୍ଣ୍ଣିମ ଦିବସ। ଏହିଦିନ କୁସ୍ତି ଆଖଡ଼ାରୁ ଭାରତକୁ ମିଳିଛି ୬ ପଦକ। ସେଥିରେ ୩ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୨ କାଂସ୍ୟ ସାମିଲ ରହିଛି। ଶନିବାର ଆଉଏକ ସ୍ବର୍ଣ୍ଣ ଓ କାଂସ୍ୟ ସହ ଭାରତ ଏହି ଖେଳରୁ ଦେଢ଼ ଦିନରେ ୮ ପଦକ ଜିତି ସାରିଛି। ଫ୍ରିଷ୍ଟାଇଲ ପୁରୁଷ ୮୬ କେଜିରେ ବଜରଙ୍ଗ ପୂନିଆ, ମହିଳା ୬୨ କେଜିରେ ସାକ୍ଷୀ ମଲ୍ଲିକ ଏବଂ ପୁରୁଷ ୮୬ କେଜିରେ ଦୀପକ ପୁନିଆ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲାବେଳେ ମହିଳା ୫୭ କେଜିରେ ଅଂଶୁ ମଲ୍ଲିକ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ତେବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଯୋଦ୍ଧା ମହମ୍ମଦ ଇନାମଙ୍କୁ ସ୍ବର୍ଣ୍ଣ ପଦକ ମୁକାବିଲାରେ ପରାସ୍ତ କରିଥିବାରୁ ଦୀପକ ପୂନିଆ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲେ। ଅନ୍ୟପକ୍ଷରେ ଦିବ୍ୟା କାକ୍ରନ ଓ ମୋହିତ ଗ୍ରେୱାଲ କାଂସ୍ୟ ପଦକ ଜିତିଥିଲେ। ଏଥିସହିତ ଶୁକ୍ରବାର ସୁଦ୍ଧା ଭାରତ ମଧ୍ୟ ପଦକ ତାଲିକାରେ ସ୍କଟ୍‌ଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ପଛକୁ ଠେଲିଦେଇ ସପ୍ତମରୁ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛି। ଭାରତର ମୋଟ ପଦକ ସଂଖ୍ୟା ୨୬କୁ ବଢ଼ିଯାଇଛି। କୁସ୍ତି ଯୋଦ୍ଧାଙ୍କୁ ପଦକୀୟ ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି।

ସାକ୍ଷୀ ଏକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ କାନାଡାର ଆନା ଗୋଞ୍ଜଲେଜ୍‌ଙ୍କୁ (୪-୪) ପରାସ୍ତ କରି ସ୍ବର୍ଣ୍ଣ ପଦକ କରାୟତ କରିନେଇଥିଲେ। ପ୍ରଥମ ରାଉଣ୍ଡରେ ୨ ଥର ୨ ଲେଖାଏଁ ପଏଣ୍ଟ ହାସଲ କରି ୪-୦ରେ ଆଗୁଆ ରହିଥିଲେ ଗୋଞ୍ଜାଲେଜ୍‌। ତେବେ ଦ୍ବିତୀୟ ରାଉଣ୍ଡରେ ପ୍ରତ୍ୟାବର୍ତନ କରିଥିଲେ ସାକ୍ଷୀ। ସେ ପ୍ରତିପକ୍ଷଙ୍କୁ ମ୍ୟାଟ୍‌ ଉପରେ ମାଡ଼ି ବସି ତାଙ୍କୁ ଆଦୌ ଉଠିବାକୁ ଦେଇନଥିଲେ। ଏଥିରୁ ସେ ମଧ୍ୟ ଏକାଥରକେ ୪ ପଏଣ୍ଟ ହାସଲ କରିଥିଲେ। ଉଭୟ ପଏଣ୍ଟ ବରାବର କରିଥିଲେ ମଧ୍ୟ ପ୍ରତିଯୋଗିତାର ନିୟମ ଅନୁଯା‌ୟୀ ‘ଫଲ୍‌’ ଦ୍ବାରା ସାକ୍ଷୀ ବିଜୟୀ ଘୋଷିତ ହୋଇଥିଲେ। ସାକ୍ଷୀ ଏଥି ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରମାଗତ ତୃତୀୟ ପଦକ ହାସଲ କରିଥିଲେ। ୨୦୧୪ରେ ରୌପ୍ୟ, ୨୦୧୮ରେ କାଂସ୍ୟ ଏବଂ ଚଳିତ ସଂସ୍କରଣରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଶେଷ ସ୍ବର୍ଣ୍ଣ ପଦକ ଜିତିଥିଲେ ଦୀପକ ପୂନିଆ। ୮୬ କେଜି ପୁରୁଷ ଫାଇନାଲରେ ସେ ପାକିସ୍ତାନ ପ୍ରତିଦ୍ବନ୍ଦ୍ବୀ ମହମ୍ମଦ ଇନାମଙ୍କୁ ୩-୦ରେ ପରାସ୍ତ କରିଦେଇଥି‌ଲେ। ପ୍ରଥମ ରାଉଣ୍ଡରେ ୨-୦ରେ ଆଗୁଆ ରହିଥିବା ଦୀପକ ଦ୍ବିତୀୟ ରାଉଣ୍ଡରେ ଆଉ ଏକ ପଏଣ୍ଟ ଯୋଡ଼ି ପାକିସ୍ତାନ ଯୋଦ୍ଧାଙ୍କୁ କୌଣସି ସୁଯୋଗ ଦେଇନଥିଲେ।

ଶେଷରେ ମହିଳା ଫ୍ରିଷ୍ଟାଇଲ ୬୮ କେଜିରେ ଦିବ୍ୟା କାକ୍ରନ ଏବଂ ପୁରୁଷ ୧୨୫ କେଜି ବର୍ଗରେ ମୋହିତ ଗ୍ରେୱାଲ କାଂସ୍ୟ ପଦକ ଜିତିବାରୁ କୁସ୍ତିରୁ ଗୋଟିଏ ଦିନରେ ମୋଟ ୬ ପଦକ ମିଳିଯାଇଥିଲା। କାଂସ୍ୟ ମୁକାବିଲାରେ କାକ୍ରନ ଟୋଗୋର ଲେମାଲି କୋକରଙ୍କୁ ୨-୦ (ବାଇ ଫଲ୍‌ ଦ୍ବାରା)ରେ ପରାସ୍ତ କରି ପଦକ ଅମଳ କରିନେଇଥିଲେ। ସେହିପରି ପୁରୁଷ ୧୨୫ କେଜିରେ ମୋହିତ ଗ୍ରେୱାଲ କାଂସ୍ୟ ପଦକ ହାତଛଡ଼ା କରିନଥିଲେ। ସେମିଫାଇନାଲ୍‌ରେ ମୋହିତ କାନାଡାର ଅମରବୀର ଧେସିଙ୍କଠୁ ହାରି ଯାଇଥିଲେ ମଧ୍ୟ ରିପିଚେଜ୍‌ ରାଉଣ୍ଡ ଜିତି କାଂସ୍ୟ ମୁକାବିଲାକୁ ଯାଇଥିଲେ। ଏହି ମୁକାବିଲାରେ ସେ ଜାମାଇକା ପ୍ରତିଦ୍ବନ୍ଦ୍ବୀ ଆରୋନ ଜନ୍‌ସନ୍‌ଙ୍କୁ ୬-୦ରେ ଜିତି ଭାରତ ପାଇଁ ନବମ କାଂସ୍ୟ ପଦକ ଭେଟି ଦେଇଥିଲେ।

ରବି ଦେଲେ ୧୦ମ ସ୍ବର୍ଣ୍ଣ
କୁସ୍ତି ଆଖଡ଼ାରୁ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ଏହି ପଦକ ରବି କୁମାର ଦାହିଆ ୫୭ କିଲୋଗ୍ରାମ ଫ୍ରି ଷ୍ଟାଇଲରୁ ଜିତିଛନ୍ତି। ଶନିବାର ଫାଇନାଲ୍‌ରେ ରବି ପ୍ରତିପକ୍ଷ ନାଇଜେରିଆର ଏବିକେୱିନିମୋ ୱଲସନ୍‌ଙ୍କୁ ପ୍ରଥମ ରାଉଣ୍ଡରେ ହିଁ ଚିତ୍ କରି ଦେଇଥିଲେ। ତା’ ସହ ଭାରତ ପାଇଁ କୁସ୍ତିରୁ ଚତୁର୍ଥ ଏବଂ ମୋଟ ଉପରେ ଦଶମ ସ୍ବର୍ଣ୍ଣ ପଦକ କରାୟତ୍ତ କରି ନେଇଥିଲେ। ଏହି ମ୍ୟାଚ୍ ଜିତିବାକୁ ରବି ମାତ୍ର ୨ ମିନିଟ୍ ୧୬ ସେକେଣ୍ଡ ସମୟ ନେଇଥିଲେ। ଲଢ଼େଇ ଏତେ ଏକତରଫା ଥିଲା ବେଳେ ରବି ୧୦-୦ରେ ଆଗୁଆ ହେବା ପରେ ରେଫରି ତାଙ୍କୁ ଟେକ୍ନିକାଲ ସୁପିରିଓରିଟି ବା ଉନ୍ନତ ବୈଷୟିକ କୌଶଳ ଆଧାରରେ ବିଜୟୀ ଘୋଷଣା କରିଥିଲେ। ସେଥିପାଇଁ ଦ୍ବିତୀୟ ରାଉଣ୍ଡ ବି ଆଉ ଖେଳିବାକୁ ପଡ଼ି ନଥିଲା।

ପୂଜାଙ୍କୁ କାଂସ୍ୟ
ଶନିବାର ମହିଳା ୫୦ କି‌ଲୋଗ୍ରାମ ଫ୍ରିଷ୍ଟାଇଲ୍‌ରେ ଭାରତ ପୂଜା ଗେହଲେଟ୍‌ କାଂସ୍ୟ ପଦକ ଜିତିଥିଲେ। ସେମିଫାଇନାଲ୍‌ରେ ସ୍କଟଲାଣ୍ଡର କ୍ରିଷ୍ଟି‌ଲେ ଲେମୋଫ୍ୟାକ୍ ଲିଚିଜିଓଙ୍କୁ ଉନ୍ନତ ବୈଷୟିକ କୌଶଳ ବଳରେ ୧୨-୨ରେ ହରାଇ ଏହି ସଫଳତା ଲାଭ କରିଥିଲେ। କ୍ରିଷ୍ଟିଲେ ଲଢ଼େଇ ଆରମ୍ଭରୁ ଆଗୁଆ ରହିଥିଲେ। ତେବେ ଠିକଣା ସମୟରେ ତାଙ୍କୁ ସଂପୂର୍ଣ୍ଣ ଧରାଶାୟୀ କରି ପୂଜା କାଂସ୍ୟ ପଦକ ଜିତି ନେଇଥିଲେ। ୨୫ ବର୍ଷୀୟା ପୂଜାଙ୍କର ବ୍ୟକ୍ତିଗତ ଭାବେ ପ୍ରଥମ ପଦକ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe