ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଜାରି ରହିଛି। ଭାରତ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ୮ଟି ୱିକେଟ୍ ହରାଇ ୪୭୩ ରନ୍ ସଂଗ୍ରହ କରିଛି। ଏଥି ସହିତ ଇଂଲଣ୍ଡ ତୁଳନାରେ ଘରୋଇ ଟିମ୍ ୨୫୫ ରନ୍ରେ ଅଗ୍ରଣୀ ରହିଛି।
ଭାରତୀୟ ପାଳିରେ କ୍ରିକେଟ୍ ଟିମ୍ର ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟର ଶୁବମନ ଗିଲ ଶତକ ହାସଲ କରିଥିଲେ। ଉଭୟ ବ୍ୟାଟର ଦ୍ବିତୀୟ ୱିକେଟ୍ ପାଇଁ ୧୭୧ ରନ୍ର ଭାଗିଦାରୀ କରିପାରିଥିଲେ। ରୋହିତ ୧୩ଟି ଚୌକା ଓ ୩ଟି ଛକା ବଳରେ ୧୦୩ ରନ୍ ଓ ଗିଲ୍ ୧୨ଟି ଚୌକା ଓ ୫ଟି ଛକା ସହାୟତାରେ ୧୧୦ ରନ୍ କରିଥିଲେ। ସେହିପରି ଯୁବ ବ୍ୟାଟର ଦେବଦୂତ୍ତ ପଡିକଲ ଓ ସରଫରାଜ ଖାନ୍ ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକ ହାସଲ କରି ଭାରତୀୟ ସ୍କୋରକୁ ମଜବୁତ୍ କରିଥିଲେ। ଦେବଦତ୍ତ ୧୦ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୬୫ ରନ୍ ଓ ସରଫରାଜ ୮ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୫୬ ରନ୍ ସଂଗ୍ରହ କରିଥିଲେ।
ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ଧ୍ରୁବ ଜୁରେଲ ବ୍ୟକ୍ତିଗତ ଭାବେ ୧୫-୧୫ ରନ୍ ସଂଗ୍ରହ କରିଥିବା ବେଳେ ରବିଚନ୍ଦ୍ର ଅଶ୍ବିନ ଖାତା ନଖୋଲି ପାଭିଲିଅନ୍ ଫେରିଥିଲେ। କୁଲଦୀପ ଯାଦବ (୨୭ ରନ୍) ଓ ଯଶପ୍ରୀତ ବୁମରା (୧୯ ରନ୍) କରି ଅପରାଜିତ ଅଛନ୍ତି।
/sambad/media/post_attachments/wp-content/uploads/2024/03/GIJQG9FbsAA2v-s-1.jpeg)
ଇଂଲଣ୍ଡ ଟସ୍ ଜିଣି ଗୁରୁବାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅତିଥି ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ମଧ୍ୟ ଓ ଶେଷ କ୍ରମର ଖେଳାଳିମାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ଦଳ ପ୍ରଥମ ପାଳିରେ ୫୭.୪ ଓଭରରେ ୨୧୮ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଭାରତ ପ୍ରଥମ ଦିନରେ ଗୋଟିଏ ୱିକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା। ଏଥିରେ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ୫ଟି ଚୌକା ଓ ୩ଟି ଛକା ବଳରେ ୫୭ ରନ୍ ସଂଗ୍ରହ କରିଥିଲେ।