ବେଙ୍ଗାଲୁରୁ: ବେଙ୍ଗାଲୁରୁ ଟେଷ୍ଟରେ ଟିମ୍ ଇଣ୍ଡିଆ ୮ ୱିକେଟ୍‌ରେ ପରାଜୟର ସମ୍ମୁଖୀନ ହୋଇଛି। କିୱି ଦଳ ପାଇଁ ଭାରତ ୧୦୭ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହା ଦଳ ଦୁଇଟି ୱିକେଟ୍ ହରାଇ ହାସଲ କରିନେଇଛି।

Advertisment

ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଦିନ ବର୍ଷା ଯୋଗୁ ଧୋଇ ହୋଇଯାଇଥିଲା। ଯେତେବେଳେ ଦ୍ୱିତୀୟ ଦିନରେ ଟସ୍ ହୋଇଥିଲା ସେତେବେଳେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥିଲା। ପ୍ରଥମେ ବ୍ୟାଟିଂ କରି କେବଳ ୪୬ ରନ୍ ସ୍କୋର କରିବା ପରେ  ଟିମ୍ ଇଣ୍ଡିଆ ଅଲ୍ଆଉଟ୍ ହୋଇଯାଇଥିଲା।

ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୪୦୨ ରନ୍ ସ୍କୋର କରି ଅଲ୍ଆଉଟ୍ ହେବା ସହିତ ପ୍ରଥମ ଇନିଂସରେ ୩୫୬ ରନ୍ ଅଧିକ ସଂଗ୍ରହ କରିଥିଲା। ଏହାର ଜବାବ୍‌ରେ ଭାରତୀୟ ଦଳ ଦ୍ବିତୀୟ ଇନିଂସରେ ଅଲ୍ଆଉଟ୍  ହୋଇ ୪୬୨ ରନ୍ ସଂଗ୍ରହ କରିଥିଲା। ଫଳରେ ଦ୍ବିତୀୟ ଇନିଂସ ପାଇଁ ନ୍ୟୁଜିଲ୍ୟାଣ୍ଡ ଆଗରେ ୧୦୬ ରନ୍‌ର ଟାର୍ଗେଟ ଥିଲା। ଏହାର ଜବାବ୍‌ରେ କିୱି ଦଳ ମାତ୍ର ୨ ୱିକେଟ ହରାଇ ୧୧୦ ରନ୍ ସଂଗ୍ରହ କରି ମ୍ୟାଚ୍ ଜିତି ନେଇଥିଲେ।

ଅଦ୍ୟାବଧି ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ କ୍ରିକେଟ୍ ଇତିହାସରେ ଭାରତୀୟ ମାଟିରେ ମାତ୍ର ୨ ଟି ଟେଷ୍ଟ ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ଦଳର ପ୍ରଥମ ବିଜୟ ୧୯୬୯ରେ ଏବଂ ୧୯୮୮ରେ ଦ୍ୱିତୀୟ ବିଜୟ ହୋଇଥିଲା। ଏବେ ୩୬ ବର୍ଷ ପରେ, ନ୍ୟୁଜିଲ୍ୟାଣ୍ଡ ବେଙ୍ଗାଲୁରୁ ଟେଷ୍ଟ ଜିତି ଇତିହାସ ସୃଷ୍ଟି କରିଛି।  

ଏହି ମ୍ୟାଚ୍‌ରେ ହାରିଯିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଲୁଟିସି)ର ଫାଇନାଲରେ ପ୍ରବେଶ କରିବାର ଭାରତର ଆଶା ନେଇ ସାମାନ୍ୟ ଅସୁବିଧା ସୃଷ୍ଟି ହୋଇଛି।

ଏହି ପରାଜୟ ପରେ ଦଳକୁ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ସିରିଜରେ ଭଲ ଉଦ୍ୟମ କରିବାକୁ ପଡ଼ିବ। ଡବ୍ଲୁଟିସିର ଫାଇନାଲରେ ପହଞ୍ଚିବା ପାଇଁ ଦଳକୁ ବର୍ତ୍ତମାନ କେତେକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।

ଡବ୍ଲୁଟିସି ଫାଇନାଲ ପୂର୍ବରୁ ଭାରତକୁ ମୋଟ ସାତୋଟି ମ୍ୟାଚ୍ ଖେଳିବାକୁ ପଡିବ। ଦଳ ସେଥିରୁ  ଚାରୋଟି ମ୍ୟାଚ୍ ଜିତିବା ଆବଶ୍ୟକ। ବେଙ୍ଗାଲୁରୁରେ ହାରିବା ପରେ ଦଳକୁ କିୱି ଦଳ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିବାକୁ ପଡିବ। କେବଳ ଏତିକି ନୁହେଁ ଦଳକୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ସିରିଜରେ ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ।

ଏହିପରି, ସାତୋଟି ମ୍ୟାଚ୍ ମଧ୍ୟରୁ ଚାରିଟି ଜିତି ଟିମ୍ ଇଣ୍ଡିଆ ସହଜରେ ଫାଇନାଲରେ ପ୍ରବେଶ କରିପାରିବ। କିନ୍ତୁ ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ମଧ୍ୟରୁ କେବଳ ତିନୋଟି ଜିତେ, ତେବେ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ।

ଯଦି ଭାରତ ଏଥର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୁଏ, ତେବେ ଦଳ କ୍ରମାଗତ ତୃତୀୟ ଥର ଫାଇନାଲରେ ପ୍ରବେଶ କରିବ। ତେବେ ଦଳ ଥରେ ମଧ୍ୟ ଟାଇଟଲ ଜିତିବାରେ ସଫଳ ହୋଇନାହିଁ।

ପ୍ରଥମ ଥର  ଦଳ ନ୍ୟୁଜିଲ୍ୟାଣ୍ଡଠାରୁ ଏବଂ ଦ୍ୱିତୀୟ ଥର ଟାଇଟଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ଆଇସିସି ଘୋଷଣା କରିସାରିଛି ଯେ ଏଥର ଫାଇନାଲ ମ୍ୟାଚ୍ ଆସନ୍ତା ୨୦୨୫ ବର୍ଷ ଜୁନ୍ ୧୧ ରୁ ୧୫ ମଧ୍ୟରେ ଲର୍ଡସରେ ଖେଳାଯିବ। ଜୁନ୍ ୧୬ କୁ ମଧ୍ୟ ମ୍ୟାଚ୍ ପାଇଁ ରିଜର୍ଭ ଦିନ ଭାବେ ରଖାଯାଇଛି।