୨ୟ ଟେଷ୍ଟ : ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୫୩ ରନରେ ପାଭିଲିୟନ ଫେରିଲେ ୩ ବ୍ୟାଟ୍ସମ୍ୟାନ

ଜୋହାନ୍ସବର୍ଗ : ଜୋହାନ୍ସବର୍ଗର ଓ୍ବାଣ୍ଟରର୍ସ ଷ୍ଟାଡିୟମଠାରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟେଷ୍ଟ ଖେଳାଯାଉଛି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି । ତେବେ ଆରମ୍ଭରୁ ହିଁ ଭାରତ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଛି । ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଦଳ ମାତ୍ର ୫୩ ରନରରେ ୩ଟି ଓ୍ବିକେଟ ହରାଇଛି ।

ଭାରତର ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ବ୍ୟାଟିଂ ଆରମ୍ଭ କରିଥିଲେ । କିନ୍ତୁ ମୟଙ୍କ ମାତ୍ର ୨୬ ରନ କରି ମାର୍କୋ ଜାନସେନଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ଚେତେଶ୍ବର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଯଥାକ୍ରମେ ୩ ରନ ଓ ୦ ରନରେ ଆଉଟ ହୋଇଥିଲେ । ତେବେ ରାହୁଲ ଓ ହନୁମା ବିହାରି ଏବେ ବ୍ୟାଟିଂ କରୁଛନ୍ତି । ରାହୁଲ ୧୯ ଓ ହନୁମା ୪ ରନରେ ବ୍ୟାଟିଂ କରୁଛନ୍ତି ।

ପ୍ରଥମ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରିଥିଲା । ଏହି ବିଜୟ ସହ ଭାରତ ଏହି ତିନିଟିକିଆ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । କିନ୍ତୁ ଚଳିତ ମ୍ୟାଚରେ ଲଢୁଆ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ଦଳ ସିରିଜକୁ ଫେରିବା ଆଶା ରଖିଛି । ଆହତଜନିତ କାରଣରୁ ବିରାଟ କୋହଲି ଏହି ମ୍ୟାଚରେ ଖେଳୁନାହାନ୍ତି ।

 

ସମ୍ବନ୍ଧିତ ଖବର