ଭୁବନେଶ୍ବର: ଚଳିତ ଏସୀୟ ଟେବୁଲ୍ ଟେନିସ୍ (ଟିଟି) ଦଳଗତ ପ୍ରତିଯୋଗିତାରେ ଗତ ସଂସ୍କରଣର କାଂସ୍ୟ ବିଜେତା ତଥା ବିଶ୍ବର ୪ ନମ୍ବର ଭାରତୀୟ ପୁରୁଷ ଦଳର ପଦକ ଆଶା ମଉଳି ଯାଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଦୌଡ଼କୁଦ କେନ୍ଦ୍ରଠାରେ ଚାଲିଥିବା ଏହି ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ଭାରତ ରବିବାର ନିଜଠୁ କମ୍ ମାନ୍ୟାପ୍ରାପ୍ତ ହଂକଂ (ଷଷ୍ଠ)ଠୁ ହାରିଯାଇଛି। ସିଧାସଳଖ କ୍ବାର୍ଟରଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ଦଳ ୦-୩ରେ ଏହି ମ୍ୟାଚ୍ ହାତଛଡ଼ା କରିଛି। ରବିବାର ପ୍ରଥମ ମ୍ୟାଚ୍ରେ ମନୁଷ ଶାହ ୫-୧୧, ୯-୧୧, ୧୧-୧୩ (୦-୩)ରେ ୱଙ୍ଗ ଚୁନ୍ ଟିଙ୍ଗଙ୍କଠୁ ହାରିଯିବାରୁ ଭାରତ ଆରମ୍ଭରୁ ପଛରେ ପଡ଼ିଥିଲା। ତେବେ ଭାରତର ଏକ ନମ୍ବର ଖେଳାଳି ମାନବ ଠକ୍କରଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ଚାନ୍ ବାଲ୍ଡ୍ବିନ୍ଙ୍କ ବିପକ୍ଷ ମ୍ୟାଚ୍ରେ ମାନବ ପ୍ରଥମ ଦୁଇ ଗେମ୍ ୮-୧୧, ୮-୧୧ରେ ପଛରେ ପଡ଼ି ଯାଇଥିଲେ। ହେଲେ ପରବର୍ତ୍ତୀ ଦୁଇ ଗେମ୍ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୧୨-୧୦, ୧୧-୯ରେ ଜିତି ନେଇଥିଲେ। ତେବେ ଶେଷ ଗେମ୍ ୮-୧୧ରେ ହାରିଯିବାରୁ ଭାରତ ୦-୨ରେ ପଛରେ ରହିଥିଲା। ତୃତୀୟ ମ୍ୟାଚ୍ରେ ଲାମ୍ ସିଉ ହାଙ୍ଗଙ୍କ ବିପକ୍ଷରେ ଅଙ୍କୁର ଭଟ୍ଟାଚାର୍ଯ୍ୟ କଡ଼ା ସଂଘର୍ଷ କରିଥିଲେ ମଧ୍ୟ ୧୧-୭, ୯-୧୧, ୧୪-୧୨, ୬-୧୧, ୭-୧୧ରେ ହାରି ଯିବାରୁ ଭାରତର ପଦକ ଆଶା ମଉଳି ଯାଇଥିଲା। କ୍ବାର୍ଟରରେ ହାରିବା ପରେ ଭାରତ ଏବେ ପଞ୍ଚମରୁ ଅଷ୍ଟମସ୍ଥାନ ଲାଗି ଖେଳିବ। ଅନ୍ୟଏକ କ୍ବାର୍ଟରଫାଇନାଲ୍ରେ ଜାପାନ ୩-୧ରେ ଜାପାନକୁ ହରାଇ ସେମିଫାଇନାଲ୍ରେ ପହଞ୍ଚିଛି।
ଇଣ୍ଡିଆ..ଇଣ୍ଡିଆ.. କମ୍ପିଲା ଇନ୍ଡୋର୍
ଦୁଇ ଦିନ ହେଲା କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଦୌଡ଼କୁଦ ଇନ୍ଡୋର୍ ଷ୍ଟାଡିୟମ୍ରେ ଚାଲିଛି ଏସୀୟ ଟିଟି ଦଳଗତ ପ୍ରତିଯୋଗିତା। ପ୍ରଥମ ଦିନ ଷ୍ଟାଡିୟମ୍ ଖାଲି ଖାଲି ଲାଗିଥିଲା। ଏପରିକି ରବିବାର ଦ୍ବିତୀୟ ଦିନର ପ୍ରଥମ ଅଧିବେଶନ ମଧ୍ୟ ଷ୍ଟାଡିୟମ୍ର ଦର୍ଶକ ଗ୍ୟାଲେରି ଅଧା ବି ପୂରଣ ହୋଇନଥିଲା। ଅପରାହ୍ଣ ଅଧିବେଶନରେ ଇଣ୍ଡିଆ ଇଣ୍ଡିଆ...ରେ ଷ୍ଟାଡିୟମ୍ କମ୍ପିଥିଲା। ଭାରତକୁ ସମର୍ଥନ କରିବାକୁ ଦର୍ଶକ ଗ୍ୟାଲେରି ପୂରଣ ହୋଇଯାଇଥିଲା। ସେମାନଙ୍କ ପ୍ରିୟ ଖେଳାଳି ମାନବ ଠକ୍କରଙ୍କ ସହ ପୂରା ଭାରତୀୟ ଦଳକୁ ସମର୍ଥନ କରିବାକୁ ଯାଇ ମାନବ ମାନବ... ଏବଂ ଇଣ୍ଡିଆ..ଇଣ୍ଡିଆ.. ଚିଲାଇଥିଲେ। ତେବେ ଭାରତୀୟ ପୁରୁଷ ଦଳ କ୍ବାର୍ଟରଫାଇନାଲ୍ରେ ହଂକଂଠୁ ହାରିଯିବାରୁ ଦର୍ଶକ ନିରାଶର ସହ ଫେରିଥିଲେ।