ନୂଆଦିଲ୍ଲୀ: ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ପ୍ରଥମ ଖୋ ଖୋ ବିଶ୍ବକପ୍ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍‌ରେ ହଜାର ହଜାର ପ୍ରଶଂସକଙ୍କ ଗହଣରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସ୍ବଦେଶୀ ଖେଳର ଏହି ଐତିହାସିକ ବିଶ୍ବ ମହାକୁମ୍ଭକୁ ଉଦ୍‌ଘା‌ଟନ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଭାରତୀୟ ଅଲିମ୍ପିକ୍ସ ସଂଘ ସଭାପତି ତଥା ଦୌଡ଼ରାଣୀ ପିଟି ଉଷା, ଦିଲ୍ଲୀର ଉପରାଜ୍ୟପାଳ ବିନୀତ ସାକ୍ସେନା, ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ରାଜ୍ୟସଭା ସାଂସଦ ରାଜୀବ ଶୁକ୍ଳା, ଅନ୍ତର୍ଜାତୀୟ ଖୋ ଖୋ ମହାସଂଘ ଏବଂ ସର୍ବଭାରତୀୟ ଖୋ ଖୋ ମହାସଂଘର ସଭାପତି ସୁଧାଂଶୁ ମିତ୍ତଲଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ୨୩ ଦେଶର ମହିଳା ଓ ପୁରୁଷ ଖେଳାଳିଙ୍କୁ ସ୍ବାଗତ କରିଥିଲେ।

Advertisment

ଏହି ଅବସରରେ ଭାରତ ବର୍ଷର ମହନୀୟ କଳା, ସଂସ୍କୃତି ଓ ଆ‌ଧ୍ୟାତ୍ମିକ ପରମ୍ପରା ଆଧାରରେ ଆୟୋଜିତ ଭବ୍ୟ ଉଦ୍‌ଘାଟନୀ ଉତ୍ସବ ସମସ୍ତଙ୍କ ମନ ମୋହି ନେଇଥିଲା। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଭାରତ ରୋମାଞ୍ଚକ ଭାବେ ନେପାଳକୁ ୪୨-୩୭ରେ ହରାଇଛି। ସୂଚନାଯୋଗ୍ୟ ଯେ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ଖୋ ଖୋ ବିଶ୍ବକପ୍‌ରେ ଓଡ଼ିଶା ଖେଳାଳି ଓ ଅଧିକାରୀମାନେ ମଧ୍ୟ ନିଜ ନିଜ ଛାପ ଛାଡ଼ିବାକୁ ଯାଉଛନ୍ତି। ବିଶ୍ବକପ୍‌ରେ ରାଜ୍ୟର ୫ଜଣ ଅଧିକାରୀ ଏବଂ ୩ଜଣ ଖେଳାଳି ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ‌ହୋଇଛନ୍ତି। ପୁଣି ଓଡ଼ିଶା ସରକାର ଆସନ୍ତା ୩ବର୍ଷ ପାଇଁ ଭାରତୀୟ ଖୋ ଖୋ ଦଳର ମୁଖ୍ୟ ପ୍ରାୟୋଜକ ଅଛନ୍ତି। ଏଣୁ ଏହି ବିଶ୍ବକପ୍ ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ମଧ୍ୟ ବେଶ୍ ମହତ୍ତ୍ବ ବହନ କରୁଛି।