ପୁଣେ: ପ୍ରଥମ ମ୍ୟାଚ୍‌ରେ ଭାରତର ରୋମାଞ୍ଚକର ବିଜୟ ପରେ ଦ୍ବିତୀୟ ମ୍ୟାଚ୍‌ରେ ବୋଲରଙ୍କ ବିଫଳତା ଯୋଗୁଁ ଶ୍ରୀଲଙ୍କା ସହ ଚାଲିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳା ବରାବର ସ୍ଥିତିକୁ ଚାଲିଆସିଛି। ଗୁରୁବାର ପୁଣେରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଭାରତ ଶେଷ ବଲ୍‌ ପର୍ଯ୍ୟନ୍ତ ସଂଘର୍ଷ କରି ଶେଷରେ ୧୬ ରନ୍‌ରେ ହାରିଗଲା। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଶ୍ରୀଲଙ୍କାକୁ ଆହ୍ବାନ କରିଥିଲା। କିନ୍ତୁ ଲକ୍ଷ୍ୟହୀନ ବୋଲିଂ ଯୋଗୁଁ ଶ୍ରୀଲଙ୍କା ୨୦୬/୬ରେ ପହଞ୍ଚିଯାଇଥିଲା। ପଥୁମ ନିଶାଙ୍କ ଓ କୁସାଲ ମେଣ୍ଡିସ୍‌ ଆରମ୍ଭରୁ ନିର୍ଦ୍ଧୁମ୍‌ ପ୍ରହାର କରି ପ୍ରଥମ ୱିକେଟ୍‌ରେ ୮୦ ରନ୍‌ ଯୋଡ଼ିଥିଲେ। ମେଣ୍ଡିସ୍‌ ଅର୍ଦ୍ଧଶତକ କରିବା ପରେ ଚହଲଙ୍କ ଦ୍ବାରା ଆଉଟ ହେବାରୁ ରନ୍‌ ଗତି ସାମାନ୍ୟ ହ୍ରାସ ପାଇଥିଲା।

Advertisment

ପରବର୍ତ୍ତୀ ୩୦ ରନ୍‌ ଭିତରେ ଭାନୁକା ରାଜପକ୍ଷ, ନିଶାଙ୍କ ଓ ଧନଞ୍ଜୟ ଡିସିଲ୍‌ଭାଙ୍କ ୱିକେଟ୍‌ ବାହାର କରିବାରେ ଉମ୍ରାନ ମଲ୍ଲିକ ଓ ଅକ୍ଷର ପଟେଲ ସଫଳ ହୋଇଥିଲେ। କିନ୍ତୁ ଷଷ୍ଠ ସ୍ଥାନରେ ଆସିଥିବା ଅଧିନାୟକ ଦାସୁନ ଶଣକା ସ୍ଲଗ୍‌ ଓଭରଗୁଡ଼ିକରେ ବିସ୍ଫୋରକ ବ୍ୟାଟିଂ କରିବାରୁ ଦଳ ୨୦୦ ଅତିକ୍ରମ କରିପାରିଥିଲା। ଅର୍ଶଦୀପ ସିଂହ ୨ ଓଭରରେ ୩୭ ରନ୍‌ ବ୍ୟୟ କରି ଭାରତ ପାଇଁ ସବୁଠୁ ମହଙ୍ଗା ବୋଲର ହୋଇଥିଲେ। ପ୍ରଥମ ଓଭରରେ ହ୍ୟାଟ୍ରିକ୍‌ ନୋ-ବଲ୍‌ ପକାଇବା ସହ ୧୯ ରନ୍‌ ଓ ସ୍ଲଗ୍‌ ଓଭରକୁ ଆସିଥିବା ବେଳେ ଦ୍ବିତୀୟ ଓଭରରେ ୧୮ ରନ୍‌ ବ୍ୟୟ କରିଥିଲେ। ଶେଷ ୫ ଓଭରରେ ଶ୍ରୀଲଙ୍କା ୭୭ ରନ୍‌ ସଂଗ୍ରହ କରିଥିଲା।

କିନ୍ତୁ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଆସିଥିବା ଭାରତ ଆରମ୍ଭରୁ ଖରାପ ଖେଳିବା ସହ ୫୭ ରନ୍‌ ଭିତରେ ୫ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିଲା। ସୂର୍ଯ୍ୟକୁମାର ଯାଦବ ଓ ଅକ୍ଷର ପଟେଲ ଦଳର ଭାର ନିଜ କାନ୍ଧକୁ ନେଇ ଦୁଇ ପଟରୁ ରନ୍‌ ବାହାର କରିଥିଲେ। ତେବେ ଅର୍ଦ୍ଧଶତକ କରିବା ପରେ ସୂର୍ଯ୍ୟ ଆଉ ଏକ ଛକା ମାରିବାକୁ ଯାଇ ମିଡ୍‌ ଅଫ୍‌ରେ ଧରାପଡ଼ିଯାଇଥିଲେ। ତଥାପି ଅକ୍ଷରଙ୍କ ସହ ଶିବମ ମାଭି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ।