ଖସିଗଲା ଦିନିକିଆ ଟ୍ରଫି: ଦ୍ବିତୀୟ ମ୍ୟାଚ୍‌କୁ ୨୨ ରନ୍‌ରେ ହାରିଲା ଭାରତ, ନ୍ୟୁଜିଲାଣ୍ଡ ୨-୦ରେ ଆଗୁଆ

ଅକ୍‌ଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଭାରତ ହାତରୁ ଖସିଯାଇଛି। ପ୍ରଥମ ମ୍ୟାଚ୍ ହାରି ୦-୧ରେ ପଛୁଆ ଥିବା ଭାରତୀୟ କ୍ରିକେଟ୍ ଦଳ ଶନିବାରର ‘କର ବା ମର’ ଦ୍ବିତୀୟ ମୁକାବିଲାରେ ୨୨ ରନ୍‌ରେ ପରାଜିତ ହୋଇଛି। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଆଗୁଆ ୦-୨ରେ ହାରିଯାଇଛି। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ମୂଳପୋଛ ହୋଇଥିବା ଘରୋଇ ନ୍ୟୁଜିଲାଣ୍ଡ ତୁରନ୍ତ ଏହାର ପ୍ରତିଶୋଧ ନେଇଛି। ଶନିବାର ଅକ୍‌ଲାଣ୍ଡ ମ୍ୟାଚ୍‌କୁ ଜିତି ଗତ ୫ ବର୍ଷର ଭାରତ ବିପକ୍ଷ ଏକଦିବସୀୟ ଶୃଙ୍ଖଳା ମରୁଡ଼ିକୁ ଦୂର କରିଛି। ୨୦୧୬, ୨୦୧୭, ୨୦୧୯ରେ ଖେଳାଯାଇଥିବା ତିନିଟିଯାକ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ଭାରତଠାରୁ ପରାଜିତ ହୋଇଥିଲା। କିୱି ଦଳ ବି ବିଶ୍ବକପ୍ ସେମିଫାଇନାଲ୍ ସହ ଭାରତ ବିପକ୍ଷରେ ଲଗାତାର ହ୍ୟାଟ୍ରିକ୍ ବିଜୟ ହାସଲ କରିଛି। ନ୍ୟୁଜିଲାଣ୍ଡ ପ୍ରଥମ ଦୁଇ ମ୍ୟାଚ୍‌ରେ ବାଜି ମାରିବା ପରେ ମଙ୍ଗଳବାର ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ଭାରତ ପାଇଁ ସାନ୍ତ୍ବନାମୂଳକ ବିଜୟରେ ସମ୍ମାନ ରକ୍ଷା କରିବାର ‌ଶେଷ ସୁଯୋଗ ହୋଇଛି।

ଟେଲରଙ୍କ ଟାଣୁଆ ପାଳି
ଶୃଙ୍ଖଳାରେ ପ୍ରଥମ ଥର ପାଇଁ ଟସ୍ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତୀୟ ବୋଲର କିନ୍ତୁ ତାଙ୍କ ନିଷ୍ପତ୍ତିର ସମ୍ମାନ ରଖି ନଥିଲେ। ବଲ୍ ପକାଇବା ଲେନ୍ଥ ଓ ଗତିରେ ବିବିଧତା ଆଣିବାରେ ବିଫଳ ହୋଇ ସପ୍ତଦଶ ଓଭର ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ଯୋଡ଼ିକୁ ଭାଙ୍ଗି ପାରି ନଥିଲେ। ମାର୍ଟିନ ଗପ୍ଟିଲ (୭୯) ଓ ହେନରି ନିକୋଲାସ (୪୧) ପ୍ରଥମ ୱିକେଟ୍‌ରେ ୯୩ ରନ୍ ଯୋଡ଼ିଥିଲେ। ହେନରିଙ୍କୁ ଶେଷରେ ୟୁଜବେନ୍ଦ୍ର ଚହଲ ଏଲ୍‌ବିଡବ୍ଲ୍ୟୁ କରି ଯୋଡ଼ି ଭାଙ୍ଗି ଥିଲେ। ଦ୍ବିତୀୟ ୱିକେଟ୍ ଭାବେ ଟମ୍ ବ୍ଲୁଣ୍ଡେଲ ୨୨ ରନ୍ କରି ଆଉଟ୍ ହେବା ପରେ ଘରୋଇ ଦଳ ଅବଶ୍ୟ ୫୫ ରନ୍ ଭିତରେ ୭ ୱିକେଟ୍ ହରାଇଥିଲା। ତେବେ ପଦାର୍ପଣକାରୀ କାଇଲ୍ ଜାମିସନ୍ (୨୫) ଓ ରସ୍ ଟେଲରଙ୍କ ମଧ୍ୟରେ ହୋଇଥିବା ୭୪ ରନ୍‌ର ଭାଗୀଦାରି ଶେଷରେ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏହି ଦୁଇ ଜଣଙ୍କ ପାଇଁ ନ୍ୟୁଜିଲାଣ୍ଡ ୮ ୱିକେଟ୍ ବିନିମୟରେ ୨୭୩ ରନ୍‌ର ଆହ୍ବାନଭରା ସ୍କୋର କରି ନେଇଥିଲା। ଟେଲର ୫୧ତମ ଓ ତାଙ୍କ ପୂର୍ବରୁ ଗପ୍ଟିଲ ୩୬ତମ ଅର୍ଧଶତକ ହାସଲ କରି ନେଇଥିଲେ।

 ଯୁବ ଯୋଡ଼ି ପୁଣି ବିଫଳ
୨୭୪ ରନ୍‌ର ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତକୁ ଯୁବ ପ୍ରାରମ୍ଭିକ ଯୋଡ଼ି ପୃଥ୍ବୀ ସ’ (୨୪) ଓ ମୟଙ୍କ ଅଗ୍ରୱାଲ (୩) ପୁଣି ଥରେ ନିରାଶ କରିଥିଲେ। ଉଭୟ ୩୪ ରନ୍ ଭିତରେ ଫେରିବା ପରେ ଅଧିନାୟକ କୋହଲିଙ୍କୁ କ୍ଲିନ୍ ବୋଲ୍ଡ କରି ଟିମ୍ ସାଉଦି ଭାରତକୁ ସବୁଠୁ ବଡ଼ ଝଟ୍‌କା ଦେଇଥିଲେ। ଏହା ପରେ କେଏଲ୍ ରାହୁଲ (୪) ଓ କେଦାର ଯାଦବ (୯) ମଧ୍ୟ ବିଫଳ ହୋଇଥିଲେ। କେବଳ ଶ୍ରେୟସ୍ ଆୟର (୫୨) ଲଢ଼ୁଆ ଅର୍ଧଶତକ ଅର୍ଜନ କରିଥିଲେ। ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା (୫୫)ଙ୍କ ସହ ଲାଞ୍ଜ ପାରୁ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ଶୀର୍ଷକ୍ରମ ବିଫଳତା ପାଇଁ ଭାରତ ୯ ବଲ୍ ପୂର୍ବରୁ ୨୫୧ ରନ୍‌ରେ ଅଟକି ଯାଇଥିଲା।

ମନେ ପଡ଼ିଲା ବିଶ୍ବକପ୍ ସେମିଫାଇନାଲ୍
ଭାରତ ପରାଜୟ ଦ୍ବାର ଦେଶରେ ଥିଲା ବେଳେ ଜାଦେଜା ତ୍ରୟୋଦଶ ଅର୍ଧଶତକ ଅର୍ଜନ କରି ଭାରତ ପାଇଁ ଆଶା ସୃଷ୍ଟି କରିଥିଲେ। ଏଥିରେ ଦୁଇ ଦ୍ରୁତ ବୋଲର ଶାର୍ଦୁଲ ଠାକୁର (୧୮) ଓ ନଭଦୀପ ସୈନି (୪୫) ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ। ସୈନି ମାତ୍ର ୫ ରନ୍ ପାଇଁ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ତେବେ ଜାଦେଜା ଓ ସେ ଅଷ୍ଟମ ୱିକେଟ୍‌ରେ ୭୬ ରନ୍ ଯୋଡ଼ି ନ୍ୟୁଜିଲାଣ୍ଡକୁ ଚିନ୍ତାରେ ପକାଇ ଦେଇଥିଲେ। ଜାଦେଜାଙ୍କ ଲଢ଼ୁଆ ବ୍ୟାଟିଂ କିନ୍ତୁ ଭାରତ-ନ୍ୟୁଜିଲାଣ୍ଡ ବିଶ୍ବକପ୍‌ ସେମିଫାଇନାଲ୍ ମ୍ୟାଚ୍‌କୁ ମନେ ପକାଇ ଦେଇଥିଲା। ସେହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦେଇଥିବା ୨୪୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୯୨ ରନ୍‌ରେ ୬ ୱିକେଟ୍‌ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ଏହା ପରେ ମହେନ୍ଦ୍ର ସିଂହ ଧୋନି ଓ ଜାଦେଜା ସପ୍ତମ ୱିକେଟ୍‌ରେ ୧୧୬ ରନ୍ ଯୋଡ଼ି ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଧୋନି ୫୦ ରନ୍‌ରେ ରନ୍‌ଆଉଟ୍ ହେବା ପରେ ଜାଦେଜା ଦ୍ରୁତ ୭୭ ରନ୍ କରିଥି‌ଲେ। ତେବେ ଭାରତକୁ ଜିତାଇ ପାରି ନଥିଲେ। ଟିମ୍ ଇଣ୍ଡିଆ ୨୨୧ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲା।

ପଦାର୍ପଣରେ ଜାମିସନ୍‌ଙ୍କ ଶ୍ରେଷ୍ଠ ପ୍ରଦର୍ଶନ
ଶନିବାର ନ୍ୟୁଜିଲାଣ୍ଡର ୬ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଯୁବ ବୋଲର କାଇଲ ଜାମିସନ୍ ଦିନିକିଆ ପଦାର୍ପଣ କରିଥିଲେ। ପଦାର୍ପଣରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦଶମ ସ୍ଥାନରେ ବ୍ୟାଟିଂ ପାଇଁ ଆସି ସେ ମହତ୍ବପୂର୍ଣ୍ଣ ୨୫ ରନ୍ କରିଥିଲେ। ସେହିଭଳି ୧୦ ଓଭରରେ ମାତ୍ର ୪୨ ରନ୍ ଦେଇ ନଭଦୀପ ସୈନି ଓ ପୃଥ୍ବୀ ସ’ଙ୍କ ୱିକେଟ୍ ଅକ୍ତିଆ କରିଥିଲେ। ୨୬ ବର୍ଷୀୟ ଜାମିସନ୍ ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ଜାତୀୟ ଦଳରେ ସ୍ଥାନ ପାଇଥିଲେ। ପଦାର୍ପଣରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବାରେ ସେ ନ୍ୟୁଜିଲାଣ୍ଡ୍‌ର ଦ୍ବିତୀୟ ଖେଳାଳି ହୋଇଥିଲେ। ୨୦୧୧ରେ ଜିମ୍ବାୱେ ବିପକ୍ଷ ପଦାର୍ପଣରେ ରବ୍‌ ନିକୋଲ ପ୍ରଥମ ଖେଳାଳି ଭାବେ ଏଭଳି ପୁରସ୍କାର ପାଇଥିଲେ।

ଭାରତର ଆଲୋଡ଼ା କୀର୍ତ୍ତିମାନ
ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳା ପରାଜୟ ସହିତ ଭାରତ ମଧ୍ୟ ଏକ ଆଲୋଡ଼ା କୀର୍ତ୍ତିମାନର ଅଧିକାରୀ ହୋଇଛି। ଏକଦିବସୀୟ କ୍ରିକେଟ୍ ଇତିହାସରେ ସର୍ବାଧିକ ପରାଜୟ ଏବେ ଭାରତ ନାମକୁ ଚାଲିଆସିଛି। ଶୃଙ୍ଖଳା ଆରମ୍ଭ ପୂର୍ବରୁ ଭାରତ ଏବଂ ଶ୍ରୀଲଙ୍କା ସମାନ ୪୨୧ ଲେଖାଏଁ ଦିନିକିଆ ମ୍ୟାଚ୍‌ରେ ହାରିଥିଲେ। ଭାରତର ପରାଜୟ ଏବେ ୪୨୩ରେ ପହଞ୍ଚିଯାଇଛି। ପାକିସ୍ତାନ (୪୧୩), ୱେଷ୍ଟଇଣ୍ଡିଜ୍ (୩୭୮), ନ୍ୟୁଜିଲାଣ୍ଡ୍‌ (୩୭୩) ପଛକୁ ପଛ ରହିଛନ୍ତି।

ସମ୍ବନ୍ଧିତ ଖବର