ଲଣ୍ଡନ୍: ଚଳିତ ମହିଳା ହକି ବିଶ୍ୱକପ୍ରେ ଭାରତକୁ ଗୁରୁବାର ଶକ୍ତ ଝଟ୍କା ଲାଗିଛି। ନିମ୍ନମାନ୍ୟତାପାପ୍ତ ଆୟର୍ଲାଣ୍ଡ୍ ନିକଟରୁ ଦଳ ୦-୧ ଗୋଲ୍ରେ ହାରି ଆଗକୁ ବଢ଼ିବା ନେଇ ଆଶଙ୍କାରେ ପଡ଼ିଯାଇଛି। ଏହି ବିଜୟ ସହିତ ଆୟର୍ଲାଣ୍ଡ୍ କିନ୍ତୁ ଗ୍ରୁପ୍ ‘ବି’ର ଶୀର୍ଷ ସ୍ଥାନକୁ ନିଶ୍ଚିତ କରି ପ୍ରଥମ ଦଳ ଭାବେ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛି। ଭାରତକୁ ଏବେ ଆମେରିକା ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ରେ କର ବା ମର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ମ୍ୟାଚ୍ ଶନିବାର ଖେଳାଯିବ। ଗୁରୁବାର ଲି ଭ୍ୟାଲି ହକି ଆଣ୍ଡ୍ ଟେନିସ୍ କେନ୍ଦ୍ରରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମ କ୍ୱାର୍ଟର ଗୋଲ୍ ବଳରେ ହିଁ ଆୟର୍ଲାଣ୍ଡ୍ ମ୍ୟାଚ୍କୁ ଜିତି ନେଇଥିଲା। ୧୩ ମିନିଟ୍ରେ ପେନାଲଟି କର୍ନରରୁ ଆନ୍ନା ଓଫ୍ଲାନ୍ଗନ୍ଙ୍କ ଗୋଲ୍ ଶେଷ ପର୍ଯ୍ୟନ୍ତ ଦଳକୁ ଆଗୁଆ ରଖିଥିଲା। ଭାରତ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ ଦେବାରେ ନିଷ୍ଫଳ ରହିଥିଲା। ୭ଟି ପେନାଲ୍ଟି କର୍ନର ସୁଯୋଗ ପାଇଥିଲେ ମଧ୍ୟ ରାଣୀ ରାମପଲ୍ଙ୍କ ଦଳ ଗୋଟିଏ ବି ଗୋଲ୍ ନ ଦେଇ ଏବେ ବିପଦ ମୁହଁରେ ପଡ଼ିଛି। ୨୭ତମ ମିନିଟ୍ରେ ଓଡ଼ିଆ ଖେଳାଳି ସୁନୀତା ଲାକ୍ରା ଗ୍ରିନ୍ କାର୍ଡ ପାଇବାରୁ ଭାରତ ପରବର୍ତୀ ୨ ମିନିଟ୍ ୧୦ ଜଣରେ ଖେଳିଥିଲା। ମୋଟାମୋଟି ଭାବେ ଭାରତର ରକ୍ଷଣଭାଗ ଓ ଅଗ୍ରଭାଗ ଖେଳାଳି ବଲ୍ ନିୟନ୍ତ୍ରଣ ଏବଂ ଫିନିସିଂରେ ବିଫଳ ହୋଇଥିଲେ। ଆୟର୍ଲାଣ୍ଡ୍ ମହିଳାଙ୍କ ଗତି ଓ ସମନ୍ଵୟ ଆଗରେ ଭାରତୀୟମାନେ ଫିକା ପଡ଼ିଥିଲେ। ଏହି ମ୍ୟାଚ୍ ଆଗରୁ ଭାରତ ଏଫ୍ଆଇଏଚ୍ ବିଶ୍ୱ ମାନ୍ୟତାରେ ୧୦ ନମ୍ବର ଏବଂ ଆୟର୍ଲାଣ୍ଡ୍ ୧୬ ନମ୍ବର ସ୍ଥାନରେ ଥିଲେ। ଏବେ ଆୟର୍ଲାଣ୍ଡ୍ ବିଖ୍ୟାତ ବିଜୟ ହାସଲ କରିନେଇଛି। ପ୍ରଥମ ମ୍ୟାଚ୍ରେ ଆୟର୍ଲାଣ୍ଡ୍ ୩-୧ରେ ଆମେରିକାକୁ ହରାଇଥିଲା। ଭାରତ କିନ୍ତୁ ଇଂଲଣ୍ଡ ସହିତ ୧-୧ରେ ପଏଣ୍ଟ୍ ବାଣ୍ଟିଥିଲା। ଶନିବାର ଭାରତ-ଆମେରିକା ଏବଂ ଇଂଲଣ୍ଡ-ଆୟର୍ଲାଣ୍ଡ୍ ମୁକାବିଲା ପରେ ଭାରତର ଭାଗ୍ୟ ନିର୍ଣ୍ଣର୍ୟ ହେବ। ଗ୍ରପ୍ ‘ବି’ର ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନରେ ରହି ପାରିଲେ ଭାରତ ପ୍ଲେ ଅଫ୍ ଯୋଗ୍ୟତା ସହିତ କ୍ୱାର୍ଟରଫାଇନାଲ୍ ଖେଳିବା ସୁଯୋଗ ପାଇବ।
ଭାରତକୁ ଶକ୍ତ ଝଟ୍କା
ଲଗାତର ବିଜୟ ସହ କ୍ୱାର୍ଟରରେ ଆୟର୍ଲାଣ୍ଡ୍
/sambad/media/post_attachments/wp-content/uploads/2018/07/10-The-Irish-team-celebrate-Anna-OFlanagans-goal-in-the-13th-minute.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)