ଆୟର୍ଲାଣ୍ଡ୍‌ଠୁ ବି ହାରିଲା ଭାରତ

ସୁଲ୍‌ତାନ ଆଜ୍‌ଲାନ୍‌ ଶାହ କପ୍‌ ହକି

ଇପୋ (ମାଲେସିଆ): ୨୭ତମ ସୁଲ୍‌ତାନ ଆଜ୍‌ଲାନ୍‌ ଶାହ କପ୍‌ ହକି ପ୍ରତିଯୋଗିତାରେ ଭାରତର ଖରାପ ପ୍ରଦର୍ଶନ ଜାରି ରହିଛି। ଏହି ୬ ଦଳୀୟ ପ୍ରତିଯୋଗିତାରେ ମୋଟ ୫ ମ୍ୟାଚ୍‌ ଖେଳିସାରିଥିବା ଭାରତ ଏକମାତ୍ର ବିଜୟ ଆୟୋଜକ ମାଲେସିଆ ବିପକ୍ଷରେ ପାଇଥିଲା ବେଳେ ୩ ପରାଜୟ ବରଣ କରିଛି। ଆର୍ଜେଣ୍ଟିନାଠୁ ୨-୩ ଓ ଅଷ୍ଟ୍ରେଲିଆଠୁ ୨-୪ ଗୋଲ୍‌ରେ ହାରିଥିବା ଭାରତ ଇଂଲଣ୍ଡ ସହ (୧-୧) ପଏଣ୍ଟ୍‌ ବାଣ୍ଟିଥିଲା। ହେଲେ ମାଲେସିଆକୁ ୫-୧ରେ ପରାସ୍ତ କରିବା ପରେ ଫାଇନାଲ୍‌ ଆଶା ଉଜ୍ଜୀବୀତ ହୋଇଥିଲା। ଏଥିପାଇଁ ପଞ୍ଚମ ତଥା ଶେଷ ମ୍ୟାଚ୍‌ରେ ଆୟର୍ଲାଣ୍ଡ୍‌କୁ ବଡ଼ ବ୍ୟବଧାନରେ ପରାସ୍ତ କରିବା ଜରୁରୀ ହୋଇପଡ଼ିଥିଲ। ଶୁକ୍ରବାର ଏହି ମ୍ୟାଚ୍‌ରେ ମଧ୍ୟ ଭାରତ ଚମତ୍କାର ଆରମ୍ଭ କରିଥିଲା। ରମଣଦୀପ୍‌ ସିଂହ (୧୦ ମିନିଟ୍‌, ପେନାଲ୍‌ଟି କର୍ନର) ଏବଂ ଓଡ଼ିଆ ପୁଅ ଅମିତ୍‌ ରୋହିଦାସ (୨୬ ମିନିଟ୍‌, ପେନାଲ୍‌ଟି କର୍ନର)ଙ୍କ ଗୋଲ୍‌ ବଳରେ ଭାରତ ମଧ୍ୟାନ୍ତର ବେଳକୁ ୨-୧ରେ ଆଗୁଆ ରହିଥିଲା। ମାତ୍ର ମଧ୍ୟାନ୍ତର ପରେ ଖେଳାଳିମାନଙ୍କ ନିକଟରେ ଗତି ନଥିଲା କି ବଲ୍‌ ଉପରେ ନିୟଂତ୍ରଣ ନଥିଲା। ଏକରିକି ଲାଗ ଲାଗ ଦୁଇଟି ଫ୍ରି ହିଟ୍‌ ପାଇବା ସାଙ୍ଗକୁ ୫ ପେନାଲ୍‌ଟି କର୍ନର ପାଇବା ସତ୍ତ୍ୱେ ଭାରତ ଫାଇଦା ଉଠାଇ ପାରିନଥିଲା। ଫଳରେ ଏହାର ଫାଇଦା ଉଠାଇଥିଲା ଏହି ପ୍ରତିଯୋଗିତାରେ ସବୁଠୁ ଦୁର୍ବଳ ଦଳ ମନେ ହେଉଥିବା ଆୟର୍ଲାଣ୍ଡ୍‌। ମଧ୍ୟାନ୍ତର ପରେ ଘନଘନ ଆକ୍ରମଣ କରି ଭାରତକୁ ଚାପରେ ପକାଇଥିଲା। ଏପରିକି ଭଲ ହକି ଖେଳିଥିବା ଆୟର୍ଲାଣ୍ଡ୍‌ ୨ଟି ଗୋଲ୍‌ ଲଦି ଦେଇ ଭାରତକୁ ପରାଜୟ ପାଇଁ ବାଧ୍ୟ କରିଥିଲା। ସେନ୍‌ ଓ’ଡୋନୋଘୁ ୨୪ ମିନିଟ୍‌ରେ ଆୟର୍ଲାଣ୍ଡ୍‌ ପାଇଁ ଫିଲ୍‌ଡ ଗୋଲ୍‌ କରି ଅଭିଯାନ ଆରମ୍ଭ କରିଥିଲା ବେଳେ ସିନ୍‌ ମରେ (୩୬ ମିନିଟ୍‌) ଓ ଲି କୋଲେ (୪୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ି ଦଳକୁ ବିଜୟ ଭେଟି ଦେଇଥିଲେ। ଅନ୍ୟ ୪ ଦଳଠୁ ପରାଜୟ ବରଣ କରିଥିବା ଆୟର୍ଲାଣ୍ଡ୍‌ ଶେଷରେ ଚଳିତ ପ୍ରତିଯୋଗିତାରେ ପ୍ରଥମ ବିଜୟ ପାଇଥିଲା। ଆୟର୍ଲାଣ୍ଡ୍‌ ନିକଟରୁ ପରାଜୟ ପରେ ଭାରତର ଫାଇନାଲ୍‌ ଆଶା ଧୂଳିସାତ୍‌ ହୋଇଯାଇଥିଲା ବେଳେ ଶନିବାର ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ ପୁଣି ଏହି ଦୁଇ ଦଳ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର