ଭାରତ ୧୦ ୱିକେଟ୍‌ରେ ପରାସ୍ତ: ଶୃଙ୍ଖଳା ୧-୧ ସ୍ଥିତିରେ

ପ୍ରଥମେ ବ୍ୟାଟିଂ କରି ବୃହତ ପରାଜୟ

ବିଶାଖାପାଟଣା: ଡକ୍ଟର ୱାଇ ଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ରବିବାର ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବା ନେଇ ଆଶଙ୍କା ଜାତ ହୋଇଥିଲା। ପୂର୍ବ ରାତିର ବର୍ଷା ସାଙ୍ଗକୁ ରବିବାର ମଧ୍ୟ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ରବିବାର ସକାଳୁ ପାଗ ବଦଳି ଯାଇଥିଲେ ମଧ୍ୟ କ୍ରିକେଟ୍‌ପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଥିଲା। ୧୦୦ ଓଭର ମ୍ୟାଚ୍‌ ପରିବର୍ତେ ମାତ୍ର ୩୭ ଓଭର ଖେଳରେ ହିଁ ଫଏସଲା ହୋଇଯାଇଥିଲା। ଭାରତ ୨୬ ଓଭରରେ ୧୧୭ ରନ୍‌ କରି ସମସ୍ତ ୱିକେଟ୍ ହରାଇଦେବା ପରେ ଅଷ୍ଟ୍ରେଲିଆ ମାତ୍ର ୧୧ ଓଭରରେ କୌଣସି ୱିକେଟ୍‌ ନ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଦୁଇ ମିଚେଲ୍‌ (ଷ୍ଟାର୍କ ଓ ମାର୍ସ) ଭାରତକୁ ହରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଷ୍ଟାର୍କ ଏକା ୫ ୱିକେଟ୍ ନେଇ ଭାରତର ମେରୁଦଣ୍ଡକୁ ଭାଙ୍ଗିଦେବା ପରେ ମାର୍ସ ୩୬ ବଲ୍‌ରୁ ୬୬* ରନ୍‌ କରି ବିଜୟ ମୁଣ୍ଡି ମାରିଥିଲେ। ମାର୍ସଙ୍କ ପ୍ରାରମ୍ଭିକ ବ୍ୟାଟିଂ ପାର୍ଟନର୍‌ ଟ୍ରାଭିସ୍‌ ହେଡ୍‌ ୩୦ ବଲ୍‌ରୁ ୫୧* ରନ୍ କରିବା ସହ ଉଭୟ ପ୍ରଥମ ୱିକେଟ୍ ପାଇଁ ୧୧ ଓଭରରେ ୧୨୧* ରନ୍ ସଂଗ୍ରହ କରି ଟ୍ବେଣ୍ଟି-୨୦ ରନ୍‌ ହାରଠୁ ବି ଆଗକୁ ବଢ଼ିଯାଇଥିଲେ। ଭାରତ ପାଳି ବେଳେ ବିରାଟ କୋହଲି ସର୍ବାଧିକ ବ୍ୟକ୍ତିଗତ ୩୧ ରନ୍‌ କରିଥିବା ବେଳେ ଅକ୍ଷର ପଟେଲ୍‌ ୨୯ ବଲ୍‌ରୁ ୨୯* ରନ୍‌ କରିଥିଲେ। ଲଗାତାର ଭାବେ ଗିଲ୍‌ ଓ ସୂର୍ଯ୍ୟକୁମାର ଯାଦବଙ୍କ ବିଫଳତା ଭାରତ ପାଇଁ ଦିନିକିଆ ବିଶ୍ବକପ୍‌ ବର୍ଷରେ ଚିନ୍ତାର କାରଣ ହୋଇଛି।

ପ୍ରଥମେ ବ୍ୟାଟିଂ କରି ବୃହତ ପରାଜୟ

-ଦିନିକିଆ କ୍ରି‌କେଟ୍ ଇତିହାସରେ ଭାରତ ରବିବାର ଏକ ଆଲୋଡ଼ା କୀର୍ତ୍ତିମାନ କରିଛି। ଅଷ୍ଟ୍ରେଲିଆ ୨୩୪ ବଲ୍‌ ବଳକା ଥାଇ ବିଜୟ ଲକ୍ଷ୍ୟରେ ପହଞ୍ଚିବା ଭାରତ ପାଇଁ ପ୍ରଥମେ ବ୍ୟାଟିଂରେ ବୃହତ୍ ପରାଜୟର ଲଜ୍ଜା ଦେଇଛି। ପୂର୍ବରୁ କୌଣସି ଦଳ ଭାରତକୁ ଏତେ ବଲ୍‌ ଥାଇ ହରାଇନଥିଲେ। ୨୦୧୯ରେ ଭାରତକୁ ନ୍ୟୁଜିଲାଣ୍ଡ୍‌ ୨୧୨ ବଲ୍‌ ପୂର୍ବରୁ ହରାଇଥିଲା। ବଲ୍‌ ବ୍ୟବଧାନ ଦୃଷ୍ଟିରୁ ଅଷ୍ଟ୍ରେଲିଆ ପାଇଁ ରବିବାରର ବିଜୟ ଦିନିକିଆରେ ତୃତୀୟ ବୃହତ।

-ଭାରତ ୧୧୭ ରନ୍‌ରେ ଅଲ୍‌ଆଉଟ୍ ହେବା ଘରୋଇ ମାଟିରେ ଚତୁର୍ଥ ସର୍ବନିମ୍ନ। ଭାରତର ସର୍ବନିମ୍ନ ଘରୋଇ ଦିନିକିଆ ସ୍କୋର୍‌ ହେଉଛି ୭୮ (ବନାମ ଶ୍ରୀଲଙ୍କା, କାନପୁର, ୧୯୮୬)। ଏହା ପଛକୁ ରହିଛି ୧୦୦ (ବନାମ ୱେଷ୍ଟଇଣ୍ଡିଜ୍‌, ଅହମଦାବାଦ, ୧୯୯୩) ଏବଂ ୧୧୨ (ବନାମ ଶ୍ରୀଲଙ୍କା, ଧର୍ମଶାଳା, ୨୦୧୭)। ଦିନିକିଆ ଇତିହାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ନିଜ ତୃତୀୟ ସର୍ବନିମ୍ନ ସ୍କୋର ପାଇଛି। ସିଡନିରେ ୧୯୮୧ରେ ୬୩ ଏବଂ ୨୦୦୦ରେ ୧୦୦ ରନ୍ କରିଥିବା ଭାରତ ୨୦୦୭ରେ ଭଦୋଦରାରେ ୨୪୮ ରନ୍‌ କରିଥିଲା।

-ଭାରତ ମାତ୍ର ୨୬ ଓଭରରେ ସମସ୍ତ ୱିକେଟ୍ ହରାଇବା ସମସ୍ତ ଦିନିକିଆରେ ଦଳର ପଞ୍ଚମ ସଂକ୍ଷିପ୍ତ ଅଲ୍‌ ଆଉଟ୍ ପାଳି ଏବଂ ଘରୋଇ ମାଟିରେ ଦ୍ବିତୀୟ ଅବସର। ୧୯୮୬ରେ ଶ୍ରୀଲଙ୍କା ବୋଲର ଭାରତ ପାଳିକୁ କାନପୁରରେ ୨୪.୧ ଓଭରରେ ଶେଷ କରି ଦେଇଥିଲେ।

-ମିଚେଲ୍ ଷ୍ଟାର୍କ ଦିନିକିଆରେ ନବମ ଥର ପାଇଁ ୫ ୱିକେଟ୍ ସଫଳତା ପାଇ‌ ନିଜ ଦେଶର ବ୍ରେଟ ଲି’ ଓ ପାକିସ୍ତାନର ସାହିଦ ଆଫ୍ରିଦିଙ୍କ ସମକକ୍ଷ ହୋଇଛନ୍ତି। ମୋଟ ଉପରେ ଏହା ତୃତୀୟ ସର୍ବାଧିକ। ୱାକର ୟୁନିସ୍‌ (୧୩ ଥର) ଏବଂ ମୁଥୟା ମୁରଲୀଧରନ (୧୦) କେବଳ ଆଗରେ ରହିଛନ୍ତି।

-ବିଶାଖାପାଟଣାରେ ମୋଟ ୨୨୨ ବଲ୍‌ ବୋଲିଂ ହୋଇଥିଲା, ଯାହାକି ଭାରତରେ ଖେଳାଯାଇଥିବା (କାଣ୍ଟଛାଣ୍ଟ ମ୍ୟାଚ୍‌ ବ୍ୟତୀତ) ଦିନିକିଆରେ ଦ୍ବିତୀୟ ସ୍ବଳ୍ପ। ସବୁଠୁ ସ୍ବଳ୍ପ ବଲ୍‌ ମ୍ୟାଚ୍‌ ୨୦୧୧ ବିଶ୍ବକପ୍‌ର କେନିଆ-ନ୍ୟୁଜିଲାଣ୍ଡ୍‌ ଚେନ୍ନାଇରେ ଖେଳାଯାଇଥିଲା। ସେଥର ମାତ୍ର ୧୯୧ ବଲ୍‌ ପଡ଼ିଥିଲା।

-ରବିବାର ଭାରତର ସମସ୍ତ ୧୦ ୱିକେଟ୍‌ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ନେଇଥିଲୋ। ଘରୋଇ ମାଟିରେ ଭାରତ ପାଇଁ ଏହା ଦ୍ବିତୀୟ ଉଦାହରଣ ଥିଲା। ୨୦୦୯ରେ ଗୁଆହାଟୀ ଦିନିକିଆରେ ଅଷ୍ଟ୍ରେଲିଆର ପେସ୍‌ ବୋଲରମାନେ ୱିକେଟ୍ ବାଣ୍ଟି ନେଇଥିବା ବେଳେ ଭାରତ ମାତ୍ର ୧୭୦ ରନ୍‌ କରିଥିଲା।

-ଭାରତ ପାଳିର ୧୦ ଓଭର ଭିତରେ ମିଚେଲ୍ ଷ୍ଟାର୍କ ୪ ୱିକେଟ୍‌ ଦଖଲ କରିଥିଲେ। ବିଗତ ୧୫ ବର୍ଷ ଭିତରେ ଅଷ୍ଟ୍ରେଲିଆ ପାଇଁ ଏହା ଦ୍ବିତୀୟ ଉଦାହରଣ। ପୂର୍ବ ଥର ମଧ୍ୟ ମିଚେଲ୍ ଷ୍ଟାର୍କ ଏଭଳି କରିଥିଲେ ୨୦୧୩ ପର୍ଥ ଦିନିକିଆରେ ‌ୱେଷ୍ଟଇଣ୍ଡିଜ୍ ବିପକ୍ଷରେ। ଭାରତର ୧୧୭ ରନ୍ ପାଳିରେ ୪ ଭାରତୀୟ ଶୂନରେ ଆଉଟ୍ ‌ହୋଇଥିଲେ। ଭାରତ ପାଇଁ ଏକ ନିର୍ଦ୍ଧିଷ୍ଟ ପାଳିରେ ୪ ଜଣ ଶୂନରେ ଆଉଟ୍ ହେବା ପୂର୍ବରୁ ମଧ୍ୟ ୫ ଥର ଦେଖିବାକୁ ମିଳିଥିଲା। ଶେଷ ଥର ପାଇଁ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ପାଳିରେ ଥିଲା।

ସମ୍ବନ୍ଧିତ ଖବର