ଆଇସିସି ମହିଳା ଚାମ୍ପିଅନ୍‌ସିପ୍‌: ମିତାଲିଙ୍କ ଶତକ ଫିକା 

ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କାଠୁ ହାରିଲା ଭାରତ

କାତୁନାୟକେ (ଶ୍ରୀଲଙ୍କା): ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଚାଲିଥିବା ଆଇସିସି ମହିଳା କ୍ରିକେଟ୍‌ ଚାମ୍ପିଅନ୍‌ସିପ୍‌ର ଶେଷ ଦିନିକିଆ ମ୍ୟାଚ୍‌ରେ ଭାରତ ହାରିଯାଇଛି। ଏହି ତିନି ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମକୁ ୯ ଓ୍ଵିକେଟ୍‌ରେ ଏବଂ ଦ୍ୱିତୀୟକୁ ୬ ରନ୍‌ରେ ଜିତି ୨-୦ର ଅଗ୍ରଣୀ ପାଇଥିବା ଭାରତ ରବିବାର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କାଠୁ ୩ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି। ଏଥି ସହିତ ଚାମ୍ପିଅନ୍‌ସପି୍‌ ପଏଣ୍ଟ୍‌ ତାଲିକାରେ ଭାରତ (୮) ପଞ୍ଚମ ସ୍ଥାନରେ ରହିଛି।  ଭାରତ ମୋଟ ୯ ମ୍ୟାଚ୍‌ରୁ ୪ ବିଜୟ ହାସଲ କରିଥିଲା ବେଳେ ୫ ପରାଜୟ ବରଣ କରିଛି। ଭାରତ ପଛକୁ େଓ୍ଵଷ୍ଟଇଣ୍ଡିଜ୍‌ (୬), ଦକ୍ଷିଣ ଆଫ୍ରିକା (୪) ଓ ଶ୍ରୀଲଙ୍କା (୨) ରହିଛନ୍ତି।

କାତୁନାୟକେ ଷ୍ଟାଡିୟମ୍‌ରେ ରବିବାର ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆହ୍ଵାନ କରିଥିଲା। ଅଧିନାୟିକା ମିତାଲି ରାଜ୍‌ଙ୍କ ଚମତ୍କାର ଶତକ ସାଙ୍ଗକୁ ସ୍ମୃତି ମାନ୍ଧାନାଙ୍କ ଅର୍ଧଶତକ ବଳରେ ଭାରତ ମଧ୍ୟ ୫ ଓ୍ଵିକେଟ୍‌ ବିନିମୟରେ ୨୫୩ ରନ୍‌ କରି ଦୃଢ଼ ସ୍ଥିତି ପାଇଥିଲା। ୧୨୫ ରନ୍‌ ମଧ୍ୟ ମିତାଲିଙ୍କ ଜୀବନର ଶ୍ରେଷ୍ଠ ଦିନିକିଆ ସ୍କୋର୍‌ ଥିଲା। ଦଳୀୟ ସ୍କୋର୍‌ ୦ ବେଳେ ଭାରତ ପ୍ରଥମ ଓ୍ଵିକେଟ୍‌ ହରାଇଥିଲା। ତେବେ ସ୍ମୃତି ଓ ମିତାଲି ଦ୍ୱିତୀୟ ଓ୍ଵିକେଟ୍‌ରେ ୧୦୨ ରନ୍‌ ଯୋଡ଼ିଥିଲେ। ସ୍ମୃତି ୬୨ ବଲ୍‌ରୁ ୬ ଚୌକା ଜରିଆରେ ୫୧ ଏବଂ ମିତାଲି ୧୪୩ ବଲ୍‌ରୁ ୧୪ ଚୌକା ଓ ୧ ଛକା ବଳରେ ୧୨୫ ରନ୍‌ କରିଥିଲେ। ହର୍‌ମନ୍‌ପ୍ରୀତ୍‌ କୌର (୧୭) ଓ ଦୀପ୍ତି ଶର୍ମା (୩୮) ମୂଲ୍ୟବାନ ଅବଦାନ ରଖିବାରୁ ଭାରତ ୨୫୦ ରନ୍‌ ଟପି ଯାଇଥିଲା। ଜବାବରେ ମିତାଲିଙ୍କ ଶତକକୁ ଫିକା କରି ଦେଇଥିଲେ ପ୍ରତିପକ୍ଷ ସିଂହଳୀ ଅଧିନାୟିକା ଜୟଙ୍ଗାନୀ। ସେ ୧୩୩ ବଲ୍‌ରୁ ୧୩ ଚୌକା ଓ ୪ ଛକା ଜରିଆରେ ୧୧୫ ରନ୍‌ କରିବା ସାଙ୍ଗକୁ ହାସିନି ପେରେରା (୪୫)ଙ୍କ ସହ ପ୍ରଥମ ଓ୍ଵିକେଟ୍‌ରେ ୧୦୧ ରନ୍‌ ଯୋଡ଼ି ଭାରତକୁ ମୁହଁତୋଡ଼ ଜବାବ ଦେଇଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ ସଂଜୀବନୀ (୨୨), ଡି ସିଲ୍‌ଭା (୧୫), ଓ୍ଵିରାକୋଡ଼ି (୧୪*) ଓ ଦିଲ୍‌ବାରୀ (୧୨*) ଉପଯୋଗୀ ପାଳି ଖେଳି ଗୋଟିଏ ବଲ୍‌ ପୂର୍ବରୁ ହାତରେ ୩ ଓ୍ଵିକେଟ୍‌ ଥାଇ ଶ୍ରୀଲଙ୍କାକୁ ସାନ୍ତ୍ୱନାମୂଳକ ବିଜୟ ଭେଟି ଦେଇଥିଲେ। ଭାରତ ପକ୍ଷରୁ ଝୁଲଣ ଗୋସ୍ୱାମୀ, ମାନସୀ ଜୋଷୀ ୨ ଲେଖାଏଁ ଏବଂ ପୂନମ୍‌ ଯାଦବ ଓ ହେମଲତା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରିନଥିଲେ। ଉଭୟ ଦଳ ମଧ୍ୟରେ ଆସନ୍ତା ବୁଧବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଠ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବ।

ସମ୍ବନ୍ଧିତ ଖବର