ଅଷ୍ଟ୍ରେଲିଆଠୁ ଶୃଙ୍ଖଳା ହାରିଲା ଭାରତ

ଆଇସିସି ମହିଳା ଚାମ୍ପିଅନ୍‌ସିପ୍‌

ଭଦୋଦରା: ଆଇସିସି ମହିଳା କ୍ରିକେଟ୍‌ ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଘରୋଇ ଭାରତୀୟ ଦଳ ୦-୩ ବ୍ୟବଧାନରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ନିକଟରୁ ହାରିଯାଇଛି। ଏଠାରେ ସୋମବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌କୁ ୮ ଓ୍ଵିକେଟ୍‌ରେ ଏବଂ ଗୁରୁବାର ଦ୍ୱିତୀୟକୁ ୬୦ ରନ୍‌ରେ ହାରି ଯାଇଥିବା ଭାରତ ରବିବାର ତୃତୀୟ ତଥା ଶେଷ ମୁକାବିଲାରେ ୯୭ ରନ୍‌ରେ ପରାସ୍ତ ହୋଇଛି। ଫଳରେ ଭାରତ ଏହି ଆଇସିସି ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଖେଳିଥିବା ୬ ମ୍ୟାଚ୍‌ରୁ ୨ ବିଜୟ ୪ ପରାଜୟ ସହ ୪ ପଏଣ୍ଟ୍‌ ପାଇ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଏହି ପ୍ରତିଯୋଗିତା ଅନ୍ତର୍ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ଟିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଥିଲା। ଶୁକ୍ରବାର ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ଆଲିସା ହିଲି (୧୩୩)ଙ୍କ ଦମ୍‌ଦାର ଶତକ ବଳରେ ଭ୍ରମଣକାରୀ ଦଳ ୭ ଓ୍ଵିକେଟ୍‌ ହରାଇ ୩୩୨ ରନ୍‌ର ବଡ଼ ସ୍କୋର୍‌ ଛିଡ଼ା କରିଥିଲା। ରାଚିଲ ହାନ୍‌ସି ୪୩, ଆସିଲେ ଗାର୍ଡନର ୩୫, ବେଥ୍‌ ମୁନି ୩୪* ଏବଂ ଏଲିସ୍‌ ପେରି ୩୨ ରନ୍‌ର ପାଳି ଖେଳିଥିଲେ। ଭାରତ ପକ୍ଷରୁ ହରମନ୍‌ପ୍ରୀତ୍‌ କୌର ୨ ଏବଂ ଶିଖା ପାଣ୍ଡେ, ଦୀପ୍ତି ଶର୍ମା, ଏକ୍‌ତା ବିସ୍ତ ଓ ପୂନମ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଭାରତ ସ୍ମୃତି ମାନ୍ଧନା(୫୨)ଙ୍କ ଧୁଅାଁଧାର ଅର୍ଧଶତକ ଏବଂ ଜେମିମା ରୋଦ୍ରିଗୁଏଜ୍‌ଙ୍କ ୪୨ ରନ୍‌ ସାଙ୍ଗକୁ ପ୍ରଥମ ଓ୍ଵିକେଟ୍‌ରେ ୧୩.୩ ଓଭରରେ ୧୦୧ ରନ୍‌ ଯୋଡ଼ି ଭଲ ଆରମ୍ଭ କରିଥିଲା। କିନ୍ତୁ ଗାର୍ଡନର୍‌ ଲାଗାତାର ଦୁଇ ବଲ୍‌ରେ ଏହି ଦୁଇ ବ୍ୟାଟର୍‌ଙ୍କୁ ଆଉଟ୍‌ କରି ଭାରତ ଉପରେ ଚାପ ପକାଇଥିଲେ। ଏହା ପରେ ଅଧିନାୟିକା ମିତାଲି ରାଜ (୨୧), ହରମନ୍‌ପ୍ରୀତ କୌର (୨୫), ଦୀପ୍ତି ଶର୍ମା (୩୬) ଏବଂ ସୁଷମା ଶର୍ମା (୩୦) ପାଳିକୁ ସମ୍ଭାଳିଥିଲେ ମଧ୍ୟ ବିଜୟ ଦେଇ ପାରିନଥିଲେ। ଶେଷରେ ୪୪.୪ ଓଭରରେ ଭାରତ ସମସ୍ତ ଓ୍ଵିକେଟ୍‌ ହରାଇ ୨୩୫ ରନ୍‌ କରିପାରିଥିଲା। ଗାର୍ଡନର୍‌ ୩ ଏବଂ ମେଗାନ ଶ୍ଚୁଟ୍‌ ଓ ଏଲିସ୍‌ ପେରି ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଶତକ ହାସଲ କରିଥିବା ହିଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ସମ୍ବନ୍ଧିତ ଖବର