ଆମଷ୍ଟଲଭିନ୍: ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ ହକିର ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ରେ ଭାରତ ଶନିବାର ୧-୨ ଗୋଲ୍‌ରେ ପରାସ୍ତ ହୋଇଛି। ଅଧିନାୟକ ହର୍ମନପ୍ରୀତ୍ ସିଂହ ମ୍ୟାଚ୍‌ର ପ୍ରଥମ ଗୋଲ୍ ଦେଇ ଭାରତକୁ ୧୯ ମିନିଟ୍‌ରେ ଆଗୁଆ କରିଥିଲେ। ତେବେ ଘରୋଇ ଦଳ ଥିସ୍ ଭାନ୍ ଡାମ୍‌ଙ୍କ ଯୁଗଳ ଗୋଲ୍ (୨୯ ଓ ୫୮ ମିନିଟ୍) ବଳରେ ଶେଷରେ ରୋମାଞ୍ଚକ ବିଜୟ ହାସଲ କରିଥିଲା। ପ୍ରଥମାର୍ଦ୍ଧ ସହ ମ୍ୟାଚ୍‌ର ଅନ୍ତିମ ଚରଣ ପର୍ଯ୍ୟନ୍ତ ସ୍ଥିତି ୧-୧ ଥିଲା। ଖେଳ ଶେଷ ହେବାର ୨ ମିନିଟ୍ ପୂର୍ବରୁ ଥିସ୍ ବ୍ୟକ୍ତିଗତ ଭାବେ ଦେଇଥିବା ଦ୍ବିତୀୟ ଗୋଲ୍ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଏହି ମ୍ୟାଚ୍‌ ଭାରତୀୟ ହକି ଦଳର ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ର ନେଦରଲାଣ୍ଡ୍‌ସ ପର୍ଯ୍ୟୟର ପ୍ରଥମ ମ୍ୟାଚ୍ ଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ହର୍ମନପ୍ରୀତ୍‌ଙ୍କ ଦଳ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି।

Advertisment

ଭାରତୀୟ ପୁରୁଷ ହକି ଦଳର ଉପଅଧିନାୟକ ହାର୍ଦିକ ସିଂହ ଶନିବାର ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଛନ୍ତି। ୟୁରୋପ ଗସ୍ତରେ ଥିବା ଭାରତୀୟ ଦଳରୁ ଖେଳି ସେ ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଗୌରବ ପାଇଛନ୍ତି। ୨୦୧୮ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ପଦାର୍ପଣ କରିଥିବା ହାର୍ଦିକ ଭୁବନେଶ୍ବରରେ ଅନୁଷ୍ଠିତ ୨୦୧୮ ବିଶ୍ବକପ୍‌ରେ ସର୍ବକନିଷ୍ଠ ଖେଳାଳି ଭାବେ ଅଂଶଗ୍ରହଣ କରିଥିଲେ। ୨୬ ବର୍ଷୀୟ ହାର୍ଦିକ ଶନିବାର ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ରେ ୧୫୦ ମ୍ୟାଚ୍‌ ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ୨୦୨୧ରେ ଅର୍ଜୁନ ପୁରସ୍କାର, ୨୦୨୨ ଓ ୨୦୨୩ରେ ଶ୍ରେଷ୍ଠ ଖେଳାଳି ଭାବେ ହକି ଇଣ୍ଡିଆର ବଲବୀର ସିଂହ ସିନିୟର୍ ପ୍ଲେୟର୍‌ ଅଫ୍‌ ଦ ଇୟର ଏବଂ ୨୦୨୪ରେ ଅଜିତ ପାଲ୍ ସିଂହ ମିଡ୍‌ଫିଲ୍ଡର ଅଫ୍ ଦ ଇୟର୍ ପୁରସ୍କାର ପାଇଥିଲେ। ‘ମୁଁ ଅତ୍ୟନ୍ତ ଗୌରବର ସହ ଭାରତୀୟ ଜର୍ସି ପରିଧାନ କରିଛି। ୧୫୦ ମ୍ୟାଚ୍‌ ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ ଆଣିଛି। ଏହି ଯାତ୍ରା ମୋ ପାଇଁ ଶିକ୍ଷଣୀୟ ହୋଇଥିବାରୁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ’ ବୋଲି ହାର୍ଦ୍ଦିକ ପ୍ରକାଶ କରିଛନ୍ତି। ହାର୍ଦିକଙ୍କୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଏବଂ ସମ୍ପାଦକ ଭୋଳାନାଥ ସିଂହ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।