ମସ୍କଟ (ଓମାନ): ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୧/୨୨ ଅଭିଯାନକୁ ଆଧିପତ୍ୟଭରା ବିଜୟରେ ଆରମ୍ଭ କରିଥିବା ଭାରତୀୟ ମହିଳା ହକି ଦଳର ଜୟଯାତ୍ରା ଜାରି ରହିଛି। ନିଜ ପ୍ରଥମ ମୁକାବିଲାରେ ଚୀନ୍‌କୁ ୭-୧ ଗୋଲ୍‌ରେ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିବା ସବିତା ପୁନିଆଙ୍କ ନେତୃତ୍ବା‌ଧୀନ ଭାରତୀୟ ଦଳ ମଙ୍ଗଳବାର ସେହି ଚୀନ୍‌ ବିପକ୍ଷରେ ଖେଳିଥିବା ପାଲଟା ଲଢ଼େଇକୁ ରୋମାଞ୍ଚକର ଭାବେ ୨-୧ ଗୋଲ୍‌ରେ ଜିତି ନେଇଛି। ତା ସହ ୨ ମ୍ୟାଚ୍‌ରୁ ୨ ବିଜୟ ହାସଲ କରି ଚୀନ୍‌ ବିପକ୍ଷରେ ଶତପ୍ରତିଶତ ସଫଳତା ଅର୍ଜନ କରିବାର ଗୌରବ ହାସଲ କରିଛି। ସେହିଭଳି ପ୍ରଥମ ଦୁଇ ମ୍ୟାଚ୍‌ରୁ ପୂରା ୬ ପଏଣ୍ଟ୍‌ ଅମଳ କରି ନେଦରଲାଣ୍ଡ୍ସ ସହ ଯୁଗ୍ମ ଭାବେ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ରହିଛି।

Advertisment

ମଙ୍ଗଳବାରର ଏହି ମହାଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ର ପ୍ରଥମ ମିନିଟ୍‌ରୁ ଭାରତୀୟ ଦଳ ଆକ୍ରମଣାତ୍ମକ ହକି ଖେଳି ଚୀନ୍‌କୁ ଚକିତ କରି ଦେଇଥିଲା। ଯାହା ଫଳରେ ତୃତୀୟ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା। ଏହାକୁ ଏକ ତଳିଆ ଷ୍ଟ୍ରୋକ୍‌ରେ ଚତୁରତାର ସହ ଗୋଲ୍ ପୋଷ୍ଟ ଭିତରେ ପୂରାଇ ଗୁରଜିତ କୌର ଭାରତକୁ ଆଗୁଆ କରି ଦେଇଥି‌ଲେ। ଚୀନ ଘନ ଘନ ପ୍ରତି ଆକ୍ରମଣ କରିଥିଲେ ମଧ୍ୟ ସଜାଗ ଭାରତୀୟ ରକ୍ଷଣଭାଗ ପାଇଁ ପ୍ରଥମ କ୍ବା‌ର୍ଟର ୧-୦ରେ ଭାରତ ଖାତାକୁ ଯାଇଥିଲା। ଦ୍ବିତୀୟ କ୍ବାର୍ଟରରେ ଉଭୟ ଦଳ ଉଚ୍ଚକୋଟୀର ଷ୍ଟିକ୍ ଚାଳନା କରିଥିଲେ ମଧ୍ୟ ଗୋଲ୍ ଦେବାକୁ ସକ୍ଷମ ହୋଇ ନଥିଲେ। ସେଥିପାଇଁ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ସେହି ୧-୦ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର ଆରମ୍ଭରୁ ଭାରତ ତା’ର ଅଭିମୁଖ୍ୟ ସ୍ପଷ୍ଟ କରି ଆକ୍ରମଣର ମାତ୍ରା ଯଥେଷ୍ଟ ବଢ଼ାଇ ଦେଇଥିଲା। ଶର୍ମିଳା ଦେବୀ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିଥିଲେ। ଅନ୍ୟପକ୍ଷରେ ୩୯ତମ ମିନିଟ୍‌ରେ ୱାଙ୍ଗ ଶୁମିନଙ୍କ ସୁନ୍ଦର ଫିଲ୍ଡ ଗୋଲ୍‌ ବଳରେ ଚୀନ୍‌ ସ୍ଥିତି ୧-୧ କରି ନେଇଥିଲା। ଚତୁର୍ଥ କ୍ବାର୍ଟରରେ ଭାରତୀୟ ଖେଳାଳି କିନ୍ତୁ ତୃତୀୟ କ୍ବାର୍ଟରରେ କରିଥିବା ଭୁଲ ଦୋହରାଇ ନଥିଲେ। ୪୭ ମିନିଟ୍‌ରେ ଏକ ପେନାଲ୍ଟି କର୍ଣ୍ଣର ମିଳିବା ପରେ ପ୍ରଶଂସକ ବି ଉତ୍ସାହିତ ହୋଇଯାଇଥିଲେ। ହେଲେ ଦୀପଗ୍ରେସ୍ ଏକ୍କାଙ୍କ ଲକ୍ଷ୍ୟହୀନ ଡ୍ରାଗ୍‌ଫ୍ଲିକ୍ ପାଇଁ ଏହି ସୁଯୋଗ ବି ହାତରୁ ଖୁସି ଯାଇଥିଲା। ହେଲେ ମାତ୍ର ଦୁଇ ମିନିଟ୍ ପରେ ମିଳିଥିବା ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି ଗୁରଜିତ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଗୋଲ୍ ଦେଇ ଭାରତକୁ ୨-୧ରେ ଆଗୁଆ କରି ଦେଇଥିଲେ। ପରବର୍ତ୍ତୀ ୧୧ ମିନିଟ୍ ପର୍ଯ୍ୟନ୍ତ ଭାରତୀୟ ରକ୍ଷଣଭାଗ ଚୀନ୍‌କୁ ଆଉ ଗୋଲ୍ କରିବାର ସୁଯୋଗ ଦେଇ ନଥିଲା। ଭାରତ ତାର ପରବର୍ତ୍ତୀ ମ୍ୟାଚ୍‌ରେ ଫେବ୍ରୁଆରି ୧୯ ଓ ୨୦ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ନେଦରଲାଣ୍ଡ୍ସକୁ ଭେଟିବ।