ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ଟିକିଆ ଶୃଙ୍ଖଳାର ସବୁ ମ୍ୟାଚ୍‌ ହାରିଲା ଭାରତ

ତୃତୀୟ ଦିନିକିଆକୁ ୪ ରନ୍‌ରେ ଜିତି ଦକ୍ଷିଣ ଆଫ୍ରିକା ୩-୦ରେ ଶୃଙ୍ଖଳା ବିଜୟୀ

କେପଟାଉନ୍ : ତୃତୀୟ ତଥା ଶେଷ ଦିନିକିଆକୁ ୪ ରନ୍‌ରେ ହାରିବା ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ଟିକିଆ ଶୃଙ୍ଖଳାର ସବୁ ମ୍ୟାଚ୍‌ ହାରି ଭାରତ ୦-୩ରେ ମୂଳପୋଛ ହୋଇଛି।

ରବିବାର ୨୮୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ୨୧୦ ରନ୍‌ରେ ୬ ୱିକେଟ୍ ହରାଇ ପରାଜୟ ଦ୍ବାର ଦେଶରେ ଥିଲା। ଏହା ପରେ ସୂର୍ଯ୍ୟକୁମାର ଯାଦବଙ୍କ ଦ୍ରୁତ ୩୯ ରନ୍ ସହ ଦୀପକ ଚହର (୫୪)ଙ୍କ ଲଢ଼ୁଆ ତଥା ଧୁଆଁଧାର ଅର୍ଦ୍ଧଶତକ ବଳରେ ଏକପ୍ରକାର ବିଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। ଏପରିକି ଶୃଙ୍ଖଳାରେ ସାନ୍ତ୍ବନା ମୂଳକ ବିଜୟ ହାସଲ କରିବା ଲାଗି ଶେଷ ୩ ଓଭରରୁ ଭାରତକୁ ମାତ୍ର ୧୦ ରନ୍‌ର ଦରକାର ଥିଲାବେଳେ ହାତରେ ୩ ୱିକେଟ୍ ଥିଲା। ଏଭଳି ଏକ ମୋଡ଼ରେ ଚହର ଅଯଥାରେ ବଡ଼୍ ସଟ୍ ଖେଳିବାକୁ ପ୍ରୟାସ କରି ୪୮ତମ ଓଭରର ପ୍ରଥମ ବଲ୍‌ରେ ଆଉଟ୍ ହୋଇଯାଇଥିଲେ। ଦକ୍ଷିଣ ଆଫ୍ରିକା ବୋଲର ଏହି ସୁଯୋଗରେ ମ୍ୟାଚ୍‌କୁ ଫେରିଥିଲେ। ୪୯ତମ ଓଭରର ତୃତୀୟ ବଲ୍‌ରେ ଯଶପ୍ରୀତ ବୁମ୍‌ରା ଆଉଟ୍ ହେବା ବେଳକୁ ବି ଭାରତ ପାଖରେ ବିଜୟ ସୁଯୋଗ ଥିଲା। ତେବେ ସେ ଠିକଣା ସମୟରେ ଆଉଟ୍ ହୋଇଯିବାରୁ ଭାରତକୁ ଶେଷ ୱିକେଟ୍ ଯୋଡ଼ିରେ ଶେଷ ୬ ବଲ୍‌ରୁ ୬ ରନ୍‌ର ଦରକାର ଥିଲା। ପ୍ରସିଦ୍ଧ କ୍ରିଷ୍ଣା ପ୍ରଥମ ବଲ୍‌ରେ ସିଙ୍ଗଲ ରନ୍ ନେବା ପରେ ଦ୍ବିତୀୟରେ ୟୁଜବେନ୍ଦ୍ର ଚହଲ ପଏଣ୍ଟ ଅଞ୍ଚଳକୁ କ୍ୟାଚ୍ ଦେଇଥିଲେ। ଫଳରେ ଭରତର ଆଶା ସେହିଠାରେ ମଉଳି ଯାଇଥିଲା। ଦଳ ଏକ ନିଶ୍ଚିତ ବିଜୟ ସୁଯୋଗ ହାତଛଡ଼ା କରି ୪ ବଲ୍ ପୂର୍ବରୁ ୨୮୩ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଅନ୍ୟପକ୍ଷରେ ରୋମାଞ୍ଚକର ବିଜୟ ସହ ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ସ୍ମରଣୀୟ ମୂଳପୋଛ ବିଜୟ ହାସଲ କରିଥିଲା। ଏହା ପୂର୍ବରୁ ଅଧିନାୟକ କେଏଲ୍ ରାହୁଲ ୯ ଏବଂ ଋଷଭ ପନ୍ତ ଖାତା ଖୋଲି ନଥିଲେ। ପ୍ରାରମ୍ଭିକ ବ୍ୟାଟର୍‌ ଶିଖର ଧାୱନ୍ ୬୧ ଓ ବିରାଟ କୋହଲି ୬୫ ରନ୍ କରିଥିଲେ। ଶ୍ରେୟସ୍ ଆୟର (୨୬) ପୁଣି ଥରେ ନିରାଶ କରିଥିଲେ। ରାହୁଲ ପ୍ରଥମ ଭାରତୀୟ ଅଧିନାୟକ ଭାବେ ନିଜ ନେତୃତ୍ବର ପ୍ରଥମ ୩ ମ୍ୟାଚ୍ ହାରିଥିଲେ।

ଡି’କକ୍‌ଙ୍କ ଶତକରେ ଦକ୍ଷିଣ ଆଫ୍ରିକା ୨୮୭
ଭାରତ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ରାହୁଲଙ୍କ ନିଷ୍ପତ୍ତିକୁ ଯଥାର୍ଥ ପ୍ରମାଣିତ କରି ୭୦ ରନ୍‌ରେ ଘରୋଇ ଦଳର ୩ଜଣ ଶୀର୍ଷକ୍ରମ ବ୍ୟାଟର୍‌ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ ଭାରତୀୟ ବୋଲର। ଏହା ସତ୍ତ୍ବେ କ୍ବିଣ୍ଟନ୍ ଡି’କକ୍ (୧୨୪)ଙ୍କ ସପ୍ତଦଶ ଶତକ ଏବଂ ରସେ ଭାନଡର ଦୁସେନ (୫୨)ଙ୍କ ଦଶମ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୪୯.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୮୭ ରନ୍‌ କରିନେଇଥିଲା।

ଚମକପ୍ରଦ ଶତକ ପାଇଁ ଡି’କକ୍‌ ଉଭୟ ମ୍ୟାଚ୍‌ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜରେ ସେ ୨୨୯ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର