ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆକୁ ଭାରତ ୧୦୦ ରନ୍ରେ ହାରିଛି। ଫଳରେ ତିନି ଟିକିଆ ଶୃଙ୍ଖଳା ୧-୧ ସ୍ଥିତିରେ ରହିଛି। ଉଭୟ ଦଳ ବରାବର ସ୍ଥିତିରେ ଥିବାରୁ ରବିବାରର ତୃତୀୟ ତଥା ଶେଷ ମୁକାବିଲା ଏବେ ଶୃଙ୍ଖଳା ନିର୍ଣ୍ଣାୟକର ମାନ୍ୟତା ପାଇଛି। ଇଂଲଣ୍ଡ ଗୁରୁବାର ଭାରତ ସମ୍ମୁଖରେ ୨୪୭ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ପ୍ରଥମ ଦିନିକିଆରେ ସହଜ ବିଜୟ ହାସଲ କରିଥିବା ଭାରତ ଅପ୍ରତ୍ୟାଶିତ ଭାବେ ମାତ୍ର ୧୪୬ ରନ୍ କରିଥିଲା। ରିଶି ଟପଲେ ୬ ୱିକେଟ୍ ନେଇ ଇଂଲଣ୍ଡ ବିଜୟର ମୁଖ୍ୟ ନାୟକ ସାଜିଥିଲେ। ସେ ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଖାତା ଖୋଲିପାରି ନଥିଲେ। ୧୦ ବଲ୍ ଖେଳି କୌଣସି ରନ୍ କରିବା ପୂର୍ବରୁ ରିଶି ଟପ୍ଲେ ତାଙ୍କୁ ଏଲ୍ବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଅନ୍ୟତମ ଓପନର ଶିଖର ଧାୱନ (୯) ବିଫଳ ହେବାରୁ ଦୁଇ ଓପନରଙ୍କୁ ୨୭ ରନ୍ରେ ହରାଇ ଭାରତ ସଂକଟରେ ପଡ଼ିଥିଲା। ସେହିଭଳି ଋଷଭ ପନ୍ତ (୦) ଏକ ସହଜ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ। ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ଥିଲେ ମଧ୍ୟ ସେ ୧୬ ରନ୍ ଆଗକୁ ବଢ଼ି ନଥିଲେ। ସୂର୍ଯ୍ୟକୁମାର ଯାଦବ (୨୭) ଓ ହାର୍ଦିକ ପାଣ୍ଡ୍ୟା (୨୯) ଲଢ଼ିଥିଲେ। ତେବେ ଠିକଣା ସମୟରେ ଉଭୟଙ୍କୁ ଆଉଟ୍ କରି ଇଂଲଣ୍ଡ ମ୍ୟାଚ୍କୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଶେଷ ଆଶା ରବୀନ୍ଦ୍ର ଜାଦେଜା ୨୯ ରନ୍ରେ ଆଉଟ୍ ହେବା ପରେ ଭାରତ ୩୮.୫ ଓଭରରେ ୧୪୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା।
କୋହଲିଙ୍କ ପ୍ରତ୍ୟାବର୍ତ୍ତନ ମ୍ୟାଚ୍ରେ ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଊରୁସନ୍ଧି ଆହତରୁ ମୁକୁଳି କୋହଲି ଆଜି ଭାରତର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ଭାରତୀୟ ବୋଲିଂ ବାହିନୀ ମଧ୍ୟ ଆଉ ଏକ ଧମାକାଦାର ପ୍ରଦର୍ଶନ ଦେଇଥିଲା। ପ୍ରଥମ ଦିନିକିଆରେ ଯଶପ୍ରୀତ ବୁମ୍ରା ନିଜ ଯାଦୁ ଦେଖାଇଥିଲା ବେଳେ ଗୁରୁବାର ସ୍ପିନର ୟୁଝବେନ୍ଦ୍ର ଚହଲ କମାଲ କରିଥିଲେ। ଇଂଲଣ୍ଡ ପାଳିର ଆଦ୍ୟ ଭାଗରେ ବୁମ୍ରାଙ୍କ ସହ ମହମ୍ମଦ ସାମି ଷ୍ଟମ୍ପ ଟୁ ଷ୍ଟମ୍ପ ବୋଲିଂ କରି ଘରୋଇ ଦଳ ଶୀର୍ଷକ୍ରମ ଉପରେ ଅସହନୀୟ ଚାପ ସୃଷ୍ଟି କରିଥିଲେ। ଆଉ ଏହି ଚାପ ପାଇଁ ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। ଚହଲ ମଧ୍ୟ ଚମତ୍କାର ବୋଲିଂ କରି ଚାରି ଜଣ ଇଂଲଣ୍ଡ ବ୍ୟାଟର୍ଙ୍କୁ ନିଜ ଶିକାର କରି ନେଇଥିଲେ। ଜାସନ ରୟ (୨୩), ଜନି ବେୟାରଷ୍ଟୋ (୩୮), ଜୋ ରୁଟ୍ (୧୧) ଓ ବେନ୍ ଷ୍ଟୋକ୍ସ (୨୧) ଭଲ ଆରମ୍ଭ ପାଇଥିଲେ। ହେଲେ ଭାରତୀୟ ବୋଲର ସେମାନଙ୍କୁ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରିବାର ସୁଯୋଗ ଦେଇ ନଥିଲେ। ଅଧିନାୟକ ଜୋସ୍ ବଟଲରଙ୍କ ବିଫଳତା ଧାରା ଆହୁରି ଲମ୍ବିଥିଲା। ମହମ୍ମଦ ସାମି ତାଙ୍କୁ କ୍ଲିନ୍ ବୋଲ୍ଡ କରିବା ପରେ ଇଂଲଣ୍ଡ ୧୦୨ ରନ୍ରେ ଅଧାଦଳ ହରାଇ ସଂଘର୍ଷ କରିଥିଲା। ଲିଆମ ଲିଭିଂଷ୍ଟୋନ୍ (୩୩), ମୋଇନ ଅଲ୍ଲୀ (୪୭) ଓ ଡେଭିଡ୍ ୱିଲି (୪୧) ଇଂଲଣ୍ଡକୁ ଘୋର ବିପଦରୁ ବାହାର କରିବାକୁ ବହୁ ଚେଷ୍ଟା କରିଥିଲେ। ଏହି ତିନି ଜଣଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ପାଇଁ ଇଂଲଣ୍ଡ ୨୪୬ ରନ୍ର ସମ୍ମାନଜନକ ସ୍କୋର କରି ନେଇଥିଲା। ତେବେ ଗୋଟିଏ ଓଭର ପୂର୍ବରୁ ଅଲଆଉଟ୍ ହୋଇ ଅଢ଼େଇ ଶହ ରନ୍ ପାର କରିବାର ଲକ୍ଷ୍ୟ ଛୁଇଁ ପାରି ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/f54h56s4fh65sfh4sf65h.jpg)